ଆରମ୍ଭ ହେଲା ଛାତ୍ରଛାତ୍ରୀଙ୍କୁ ବହି ବଣ୍ଟନ ପକ୍ରିୟା : ଲକଡାଉନରେ ବିନା ପାସରେ କିପରି ବହି ବାଣ୍ଟିବେ ଶିକ୍ଷକଶିକ୍ଷୟିତ୍ରୀ

ଜୟପୁର : ଚଳିତମାସ ୨୫ ତାରିଖ ସୁଧା ପୁରୀ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କୁ ବହି ବଣ୍ଟନ କରାଯାଇ ଥିବାବେଳେ କୋରାପୁଟ ଜିଲ୍ଲାରେ ଏହା ପରେ ବଣ୍ଟନ ହୋଇପାରେ। ଏନେଇ ଜିଲ୍ଲାରେ ପ୍ରାଥମିକ ପକ୍ରିୟା ଶେଷ ହୋଇଛି। ଲକଡାଉନ ସମୟରେ ଯେପରି ପାଠପଢ଼ାରେ ବ୍ୟାଘାତ ନ ହୁଏ, ସେଥିପ୍ରତି ଗୁରୁତ୍ୱ ଦେଇ ପୁରୀ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କୁ ବହି ବଣ୍ଟନ ଆରମ୍ଭ କରାଯାଇଥିବାବେଳେ କୋରାପୁଟ ଜିଲ୍ଲା ଜୟପୁର ବ୍ଲକରେ ମଧ୍ୟ ବ୍ୟବସ୍ଥା ଗ୍ରହଣ କରାଯାଉଛି। ବ୍ଲକର ୨୪୦ରୁ ଅଧିକ ସ୍କୁଲକୁ ବହି ଯାଇଥିବାବେଳେ କେବଳ ବଣ୍ଟନ କାର୍ଯ୍ୟ କରାଯିବାକୁ ଜିଲ୍ଲା ସ୍ତରରୁ ଆସିବାକୁ ଥିବା ଚିଠିକୁ ଅପେକ୍ଷା କରାଯାଇଛି। ଏନେଇ ଜୟପୁର ଗୋଷ୍ଠୀ ଶିକ୍ଷାଧିକାରୀ ସମସ୍ତ ସିଆରସିସିଙ୍କୁ ସଜାଗ ରହିବାକୁ କହିଥିବାବେଳେ ସବୁ ସ୍କୁଲକୁ ଯାଇ ସାରିଲାଣି ବହି। କେବଳ ପିଲାଙ୍କ ଘରକୁ ଯିବା ବାକି ରହିଛି।

ତେବେ ପାଠ୍ୟପୁସ୍ତକ ବଣ୍ଟନ ନେଇ ଏବେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଛି। ଏବେ ସ୍କୁଲ ଛୁଟି ରହି ଥିବାବେଳେ ଦୂରଦୂରାନ୍ତରେ ଚାକିରି କରିଥିବା ଶିକ୍ଷକଶିକ୍ଷୟିତ୍ରୀ ନିଜ ଘରକୁ ପଳାଇ ଯାଇଛନ୍ତି। ବସ୍, ଟ୍ରେନ୍, କାର୍ ସେବା ବନ୍ଦ ଥିବାରୁ ସେମାନେ କିଭଳି ସ୍କୁଲରେ ପହଞ୍ଚି ବହି ବାଣ୍ଟିବେ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଏହାସହ ବହି ସବୁକୁ କିପରି ବା କେଉଁ ମାଧ୍ୟମରେ ପିଲାଙ୍କ ନିକଟରେ ପହଞ୍ଚିବ ତାହାକୁ ନେଇ ଦ୍ବନ୍ଦ୍ବ ଉପୂଜିଛି। ତେବେ ସେମାନଙ୍କୁ ତେଲ ଖର୍ଚ୍ଚ ସରକାର ଦେବେ ନା କିପରି ଏହା କରାଯିବ ତାହାକୁ ନେଇ ଶିକ୍ଷକଙ୍କ ମହଲରେ ଆଲୋଚନା ଆରମ୍ଭ ହୋଇଗଲାଣି। ଏହାସହ ଲକଡାଉନ ରହିଥିବାରୁ ବିନା ପାସରେ କିପରି ଛାତ୍ରଛାତ୍ରୀଙ୍କ ଘରକୁ ବହି ପହଞ୍ଚିବ ତାହାକୁ ନେଇ ବଡ ସମସ୍ୟା ଉପୁଜିଛି। ତେବେ ଏପରି ସ୍ଥିତିରେ ସବୁ ଶିକ୍ଷକଶିକ୍ଷୟିତ୍ରୀ ଏହି କାର୍ଯ୍ୟରେ ସହଯୋଗ କରିବେ ତ? ଯଦି ଠିକ୍ ଭାବେ ପିଲାଙ୍କୁ ବହି ବଣ୍ଟନ ନ ହୁଏ, ତାହାକୁ ନେଇ ବିବାଦ ସୃଷ୍ଟି ହେବାର ସମ୍ଭାବନା ବି ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ଗୁରୁତ୍ୱ ଦିଆଯାଉଛି। ହେଲେ ବେସରକାରୀ ସ୍କୁଲ ତଥା ସରସ୍ବତୀ ଶିଶୁ ମନ୍ଦିର, ଜ୍ଞାନ ମନ୍ଦିର ପରି ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ସମ୍ପର୍କରେ କିଛି ବି ଆଲୋଚନା କରାଯାଉ ନାହିଁ।

ଏନେଇ ଜୟପୁର ବିଇଓ ଦାୟୀତ୍ବରେ ରହିଥିବା ସୁରେନ୍ଦ୍ର ପଟ୍ଟନାୟକ କହିଛନ୍ତି ଯେ ଶିକ୍ଷକଶିକ୍ଷୟିତ୍ରୀମାନେ ଘରକୁ ଘର ଯାଇ ଛାତ୍ରଛାତ୍ରୀଙ୍କୁ ବହି ବାଣ୍ଟିବା ନେଇ ଗଣମାଧ୍ୟମରେ ଶିକ୍ଷାମନ୍ତ୍ରୀଙ୍କ ଘୋଷଣା ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରିଥିଲୁ। ତାଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକର ସବୁ ସିଆରସିସିଙ୍କୁ ସଜାଗ ରହିବାକୁ କୁହାଯାଇଥିଲା। ଏହାସହ ସ୍କୁଲରେ ବହି ପହଞ୍ଚାଇବାକୁ କୁହାଯାଇଥିଲା। ସେମାନେ ତାଙ୍କ କାର୍ଯ୍ୟ କରିଛନ୍ତି। ଶିକ୍ଷକଶିକ୍ଷୟିତ୍ରୀଙ୍କ ସମସ୍ୟା ନେଇ ଜିଲ୍ଲାସ୍ତରରେ ସୂଚନା ଦିଆଯାଇଛି। ଜିଲ୍ଲାସ୍ତରରୁ ଯାହା ଚିଠି କରାଯିବ ତାହାକୁ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟଳୟପକ୍ଷରୁ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର