ପର୍ଯ୍ୟାୟକ୍ରମେ ପିଲାଙ୍କ ପାଖରେ ପହଞ୍ଚିବ ବହି, ଶିକ୍ଷକ ଶିକ୍ଷୟିତ୍ରୀ ବାଣ୍ଟିବାକୁ ଆସିବେ ତ?

ବେସରକାରୀ ସ୍କୁଲ ପିଲାଙ୍କ କଥା ଭୁଲି ଯାଇଛନ୍ତି

ଭୁବନେଶ୍ୱର: ସାରା ଦେଶରେ ଲକ୍‌ଡାଉନ୍‌ ଅବଧି ବଢ଼ିବା ପରେ ଏବେ ପିଲାଙ୍କ ପାଠପଢ଼ା ନେଇ ପୁଣିଥରେ ଆଶଙ୍କା ଦେଖାଦେଇଛି। ‘କରୋନା’ ପାଇଁ ରାଜ୍ୟ ସରକାର ଆଗୁଆ ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟକୁ ବନ୍ଦ କରିଥିଲେ। ତେବେ ସମଗ୍ର ଦେଶରେ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଓଡ଼ିଶା ସରକାର ଜୁନ୍‌ ୧୭ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ତେଣୁ ଆସନ୍ତା ୨ ମାସ ଧରି ପିଲାମାନେ ଘରେ ରହି ପଢ଼ିବେ। ତେବେ ପାଖରେ ବହି ନ ଥିବାରୁ ସେମାନେ କିଭଳି ପଢିବେ? ସ୍କୁଲ ବନ୍ଦ ଥିବାରୁ ସେମାନେ କିଭଳି ମାଗଣା ବହି ପାଇବେ, ତାହାକୁ ନେଇ ସମସ୍ୟା ଦେଖାଦେବାରୁ ଛାତ୍ରଛାତ୍ରୀଙ୍କ ଘରେ ବହି ପହଞ୍ଚାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପୂର୍ବରୁ ସୂଚନା ଦେଇଥିବା ବେଳେ ଆଜି ଚୂଡ଼ାନ୍ତ ରୂପରେଖ ସମ୍ପର୍କ‌ରେ କହିଛନ୍ତି।

ଶ୍ରୀ ଦାଶ କହିଛନ୍ତି ଯେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ବହି ବ୍ଲକ ଓ ସ୍କୁଲସ୍ତରରେ ପହଞ୍ଚି ସାରିଛି। ଏପ୍ରିଲ ୨୫ ସୁଦ୍ଧା ପୁରୀ ଜିଲ୍ଲାର ପିଲାଙ୍କ ଘରେ ବହି ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। କୌଣସି ବି ପିଲା ବହି ନେବାକୁ ସ୍କୁଲକୁ ଆସିବେ ନାହିଁ। ସାମାଜିକ ଦୂରତା ରକ୍ଷା କରି ଶିକ୍ଷକ/ଶିକ୍ଷୟିତ୍ରୀ ଘରକୁ ଘର ବୁଲି ପିଲାଙ୍କ ନିକଟରେ ବହି ପହଞ୍ଚାଇବେ। ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରେ ବହି ବଣ୍ଟନ କରାଯିବ। ବହି ବଣ୍ଟନ ଲାଗି କୌଣସି ଦିନ ଧାର୍ଯ୍ୟ ହୋଇ ନଥିବା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି। ତେବେ ପାଠ୍ୟପୁସ୍ତକ ବଣ୍ଟନ ନେଇ ଏବେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଛି। ଏବେ ସ୍କୁଲ ଛୁଟି ରହିଛି। ଦୂରଦୂରାନ୍ତରେ ଚାକିରି କରିଥିବା ଶିକ୍ଷକ/ଶିକ୍ଷୟିତ୍ରୀ ନିଜ ଘରକୁ ପଳାଇ ଆସିଛନ୍ତି। ବସ୍‌, ଟ୍ରେନ୍‌, କାର୍‌ ସେବା ବନ୍ଦ ଥିବାରୁ ସେମାନେ କିଭଳି ସ୍କୁଲରେ ପହଞ୍ଚି ବହି ବାଣ୍ଟିବେ, ତାହାକୁ ନେଇ ପ୍ରଶ୍ନ ଉଠିଛି। ସବୁ ଶିକ୍ଷକ/ଶିକ୍ଷୟିତ୍ରୀ ଏହି କାର୍ଯ୍ୟରେ ସହଯୋଗ କରିବେ ତ? ଯଦି ଠିକ୍‌ ଭାବେ ପିଲାଙ୍କୁ ବହି ବଣ୍ଟନ ନ ହୁଏ, ତାହାକୁ ନେଇ ବିବାଦ ସୃଷ୍ଟି ହେବାର ସମ୍ଭାବନା ବି ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ଗୁରୁତ୍ୱ ଦିଆଯାଉଛି। ହେଲେ ବେସରକାରୀ ସ୍କୁଲ ତଥା ସରସ୍ବତୀ ଶିଶୁ ମନ୍ଦିର, ଜ୍ଞାନ ମନ୍ଦିର ପରି ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ସମ୍ପର୍କରେ କିଛି ବି ଆଲୋଚନା କରାଯାଉ ନାହିଁ। ପାଖାପାଖି ୨ ହଜାର ବେସରକାରୀ ବିଦ୍ୟାଳୟରେ ପଢ଼ୁଥିବା ୧୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ କେମିତି ବହି ପାଇବେ, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। କାରଣ ଏହି ବିଦ୍ୟାଳୟରେ ପଢ଼ୁଥିବା ପିଲାଙ୍କୁ ବହି ବଣ୍ଟନ ପାଇଁ ସ୍ୱତନ୍ତ୍ର ବିକ୍ରୟ କେନ୍ଦ୍ର ଖୋଲିଥାଏ। ଏପର୍ଯ୍ୟନ୍ତ ସେନେଇ କୌଣସି ନିଷ୍ପତ୍ତି ନିଆଯାଇ ନ ଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର