‘ଡେୟାରଡେଭିଲ୍ ଡେମୋକ୍ରାଟ୍’ ଲୋକର୍ପିତ : ବିଜୁ ଥିଲେ ‘ମ୍ୟାନ୍‌ ଅଫ୍‌ ଏ ମିଲିୟନ୍‌ ଲି‌ଜେଣ୍ଡ’

ବିଜୁଙ୍କ ଭଳି ଉଦାର ଓ ସହିଷ୍ଣୁ ବ୍ୟକ୍ତିତ୍ୱ ରାଜନୀତିରେ ବିରଳ: ନରସିଂହ
ରାଜନୀତିରେ ବିଜୁବାବୁ ମୋ‌ତେ ପରିଚିତ କରାଇଥିଲେ: କେଭି

ଭୁବନେଶ୍ବର : ବିଜୁ ପଟ୍ଟନାୟକ ଥିଲେ କିମ୍ବଦନ୍ତୀ। ଏବେ ବି କିମ୍ବଦନ୍ତୀ ହୋଇ ରହିଛନ୍ତି। ଗୋଟିଏ ଶବ୍ଦରେ କହିବାକୁ ଗଲେ ସେ ହେଉଛନ୍ତି ‘ମ୍ୟାନ୍‌ ଅଫ୍‌ ଏ ମିଲିୟନ୍‌ ଲି‌ଜେଣ୍ଡ’। ରାଜ୍ୟର ବିକାଶ ତାଙ୍କର ପ୍ରଥମ ଏଜେଣ୍ଡା ଥିଲା। ଏହାଛଡ଼ା ସେ ଅନ୍ୟ କିଛି ଭାବୁ ନ ଥିଲେ। କ୍ଷୀପ୍ରଗତିରେ କାମ କରିବାକୁ ବିଜୁବାବୁ ସବୁବେଳେ ଚାହୁଁଥିଲେ। ଯେତେଶୀଘ୍ର ସମ୍ଭବ ଓଡ଼ିଶାକୁ ଶୀର୍ଷରେ ପହଞ୍ଚାଇବା ଲାଗି ଅନବରତ ଉଦ୍ୟମ ଜାରି ରହିଥିଲେ ବୋଲି ବିଜୁ ପଟ୍ଟନାୟକଙ୍କ ସାହସିକତାର କାହାଣୀକୁ ନେଇ ପ୍ରସ୍ତୁତ ପୁସ୍ତକ ‘ଡେୟାରଡେଭିଲ୍ ଡେମୋକ୍ରାଟ୍’କୁ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ହୋଟେଲ ସ୍ୱସ୍ତି ପ୍ରିମିୟମ୍‌ଠାରେ ଆଜି ଆୟୋଜିତ ଲୋକାର୍ପଣ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜୁ ବାବୁଙ୍କ ସଂଗ୍ରାମୀ ଜୀବନର ସ୍ମୃତିଚାରଣ କରି କହିଲେ ଯେ ଇଣ୍ଡୋନେସିଆରେ ନିଜର ଦୁଃସାହାସ ପ୍ରଦର୍ଶନ କରିଥିଲେ ବିଜୁ। ସ୍ବାଧୀନତା ଆନ୍ଦୋଳନ ସମୟରେ ରୟାଲ ଏୟାର ଫୋର୍ସର ପାଇଲଟ୍‌ ଭାବେ ଜାତୀୟସ୍ତରର ନେତା ଅରୁଣା ଅସଫ୍‌ ଅଲ୍ଲି, ରାମ ମୋହନ ଲୋହିଆ ପରି ସଂଗ୍ରାମୀଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇଥିଲେ। ସେ ଏପରି ଏକ ସଚ୍ଚୋଟ ନେତା ଥିଲେ, ଯିଏ କି ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଆଗଧାଡ଼ିରେ ରହି ଶ୍ରୀନଗରକୁ ପ୍ରବେଶ କରିଥିଲେ। ଏଭଳି ଜଣେ ବ୍ୟକ୍ତିଙ୍କ ଉପରେ ପ୍ରସ୍ତୁତ ହୋଇଥିବା ଏହି ପୁସ୍ତକଟି ପିଲାମାନଙ୍କ ପାଇଁ ବେଶ ଉପଯୋଗୀ ହେବ। ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ତାଙ୍କ ପଦାଙ୍କ ଅନୁସରଣ କରିପାରିବେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ ଯେ ବିଜୁ ବାବୁ ଥିଲେ ଜଣେ ପ୍ରକୃତ ଡେମୋକ୍ରାଟ୍। ତାଙ୍କ କାର୍ଯ୍ୟ କରିବାର ଶୈଳୀ ଥିଲା ସମ୍ପୂର୍ଣ୍ଣ ନିଆରା। କେହି କେହି ତାଙ୍କୁ ଏକଛତ୍ରବାଦୀ ବୋଲି କୁହନ୍ତି। ତେବେ ତାହା ଆଦୌ ଠିକ୍ ନୁହେଁ। ବିଜୁ ବାବୁଙ୍କ ଭଳି ଉଦାର ଓ ସହିଷ୍ଣୁ ବ୍ୟକ୍ତିତ୍ୱ ରାଜନୀତିରେ ବିରଳ। ଏଥିସହ ବିଜୁ ବାବୁଙ୍କ ସହ ତାଙ୍କର ରାଜନୈତିକ ଜୀବନର କିଛି କଥା ଅବତାରଣା କରିବା ବେଳେ ବିରୋଧୀଙ୍କ କଥାକୁ ସେ କିଭଳି ସମ୍ମାନ ଦିଅନ୍ତି ତାହା ମଧ୍ୟ ଶ୍ରୀ ମିଶ୍ର କହିଥିଲେ।

ଅନ୍ୟତମ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା‌ ବିଜେପି ନେତା‌ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ତାଙ୍କ ରାଜନୈତିକ ଜୀବନର ସଂଘର୍ଷ ବେଳେ ବିଜୁ ବାବୁ ତାଙ୍କୁ ଓଡ଼ିଶାରେ ପରିଚିତ କରାଇଥି‌ଲେ ବୋଲି ମତବ୍ୟକ୍ତ କରିଥିଲେ। ଶ୍ରୀ ସିଂହଦେଓ କହିଲେ ମୋ ଜେଜେବାପାଙ୍କ ସହ ସମସାମୟିକ ଥିଲେ ବିଜୁ ବାବୁ। ଛୋଟ ଥି‌ବା ସମୟରେ ବିଜୁ ବାବୁଙ୍କୁ ଘୃଣା କରୁଥିଲି। ତେବେ ୧୯୭୫ରେ ଜେଜେବାପାଙ୍କ ଦେହାନ୍ତ ପରେ ଭୁବନେଶ୍ବରରୁ ବଲାଙ୍ଗୀର ପର୍ଯ୍ୟନ୍ତ ମରଶରୀର ଭିଭଳି ଯିବ ସେନେଇ ବିଜୁ ବାବୁଙ୍କ ଉଦ୍ୟମକୁ ଦେଖିବା ପରେ ତାଙ୍କ ପ୍ରତି ମୋ ମନଭାବରେ ପରିବର୍ତନ ଆସିଥିଲା। ୧୯୯୨ରେ ପଞ୍ଚାୟତ ନିର୍ବାଚନ ବେଳେ ଜଣେ ବିଜେପି କର୍ମୀଙ୍କ ଦେହାନ୍ତ ହୋଇଥିଲା। ଏହି ଘଟଣା ସମ୍ପର୍କରେ ସେତେବେଳର ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କୁ ଭେଟି ରାଜ୍ୟର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲି। ଏହାପରେ ବିଜୁବାବୁ ମୋତେ ବ୍ରେକଫାଷ୍ଟ ପାଇଁ ନବୀନ ନିବାସ ଡକାଇଥିଲେ। ବ୍ରେକ୍‌ଫାଷ୍ଟ କରି ବଲାଙ୍ଗୀରରେ ପହଞ୍ଚିବା ପରେ ସେଠାରେ ପୁଲିସ ଲଗାଇ ମୋତେ ଗିରଫ କରିଥିଲେ। ୨୧ ଦିନ ଜେଲ୍‌ରେ ରହି ଫେରିବା ପରେ ବିଜୁ ବାବୁଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ସଚିବାଳୟର ତୃତୀୟ ମହଲାରେ ପହଞ୍ଚିଥିଲି। ସେଠାରେ ବିଜୁବାବୁ ମୋ ପିଠି ଥାପୁଡ଼େଇ କହିଥିଲେ ତମେ ଜେଲ୍ ଯାଇଥିବାରୁ ମତେ ଧନ୍ୟବାଦ ଦିଅ। ଏହାଦ୍ୱାରା ସାରା ଦେଶରେ ତମର ଯଥେଷ୍ଟ ପ୍ରଚାର ହେଲା। ରାଜନୀତିରେ ନାଁ କମେଇବାକୁ ପରିଶ୍ରମ କରିବାକୁ ପଡ଼ିଲାନି। ବିଜୁବାବୁଙ୍କ ପାଟିରୁ ଏହି ଦୁଇ ପଦ କଥା ଶୁଣିବା ପରେ ରାଗ ମିଳାଇ ଯାଇଥିଲା ଏବଂ ତାଙ୍କ ପ୍ରତି ସମ୍ମାନ ବଢ଼ିଥିଲା। ବିଜୁବାବୁଙ୍କୁ ସେଦିନ ଧନ୍ୟବାଦ ଦେଇ ଫେରିଥିଲି ବୋଲି ଶ୍ରୀ ସିଂହଦେଓ କହିଥିଲେ।

କଳିଙ୍ଗ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକର ଲୋକାର୍ପଣ ଉତ୍ସବରେ ଟ୍ରଷ୍ଟ ସଭାପତି ତଥା ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ବିଜୁବାବୁଙ୍କ ସହ ତାଙ୍କ ସମ୍ପର୍କର ସ୍ମୃତିଚାରଣ କରିଥିଲେ। ବିଧାୟକ ଅତନୁ ସବ୍ୟସାଚୀ ନାୟକ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଟ୍ରଷ୍ଟର ସମ୍ପାଦକ ବିମଳ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର