ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଗବେଷଣା ଶାଖା ପକ୍ଷରୁ ପ୍ରକାଶିତ ‘ଏ ବ୍ରିଫ୍ ହିଷ୍ଟ୍ରି ଅଫ୍ ଓଡ଼ିଶା ଲେଗିସ୍ଲେଟିଭ୍ ଆସେମ୍ବ୍ଲି’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ପୁସ୍ତକଟିକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି, ଏହି ପୁସ୍ତକ ପ୍ରକାଶନର ଯଥାର୍ଥତା ରହିଛି। ଏହି ପୁସ୍ତକ ଲୋକ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ଗବେଷକ, ବୁଦ୍ଧିଜୀବୀ, ବିଦ୍ୟାର୍ଥୀ ତଥା ସାଧାରଣ ଜନତାଙ୍କ ପାଇଁ ନିଶ୍ଚିତ ଭାବେ ଉପାଦେୟ ହେବ ବୋଲି ବାଚସ୍ପତି ଆଶାବ୍ୟକ୍ତ କରିଛନ୍ତି।
୧୯୩୬ ଏପ୍ରିଲ ପହିଲାରେ ବ୍ରିଟିସ ଶାସନାଧୀନ ଭାରତରେ ଏକ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶା ଶାସନଗତ ସ୍ୱାଧୀନତା ତଥା ସ୍ୱତନ୍ତ୍ର ସାମ୍ବିଧାନିକ ସ୍ଥିତି ହାସଲ କଲା। ସ୍ୱତନ୍ତ୍ର ଓଡ଼ିଶାର (ପ୍ରାକ୍ ସ୍ୱାଧୀନତା) ପ୍ରଥମ ବିଧାନସଭାଠାରୁ ଚଳିତ ସପ୍ତଦଶ ଓଡ଼ିଶା ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଓଡ଼ିଶା ଦାୟିତ୍ୱରେ ଥିବା ରାଜ୍ୟପାଳ, ବାଚସ୍ପତି, ଗୃହର ନେତା (ମୁଖ୍ୟମନ୍ତ୍ରୀ), ବିରୋଧୀ ଦଳ ନେତା, ଉପବାଚସ୍ପତି, ବିଧାନସଭା ସଚିବାଳୟର ସଚିବଙ୍କ ସହିତ ବିଭିନ୍ନ ପର୍ଯ୍ୟାୟରେ ମନ୍ତ୍ରିମଣ୍ଡଳ ଗଠନ, ସାଧାରଣ ନିର୍ବାଚନ, ଉପନିର୍ବାଚନ, ଦଳୀୟ ସ୍ଥିତି ସହିତ ବିଧାନସଭା ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏହି ପୁସ୍ତକରେ ପ୍ରକାଶିତ ହୋଇଛି। ଉନ୍ମୋଚନ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉପବାଚସ୍ପତି ଭବାନୀଶଙ୍କର ଭୋଇ, ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକ ବୃନ୍ଦ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, ବିଧାନସଭା ସଚିବ ସତ୍ୟବ୍ରତ ରାଉତ, ଗବେଷଣା ଶାଖାର ନିର୍ଦ୍ଦେଶକ ତ୍ରିବିକ୍ରମ ପ୍ରଧାନ, ପୁସ୍ତକ ସଂକଳନରେ ସଂପୃକ୍ତ ଗବେଷଣା ଅଧିକାରୀ ଜୟକୃଷ୍ଣ ପ୍ରଧାନ, ପ୍ରଶାନ୍ତ ଦାସ ଓ ଅମୂଲ୍ୟ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।