ତୁଟୁନି ନବମ, ଦଶମ ବହି ଛପା ବିବାଦ : ଟିବିପିଏମ୍ ରଖିଛି କାଗଜ; ପାଣ୍ଡୁଲିପି ବୋର୍ଡ ପାଖରେ, ଆସନ୍ତା ଶିକ୍ଷାବ‌ର୍ଷରେ ଅଭାବ ପଡ଼ିବ ବହି

କଟକ : ସମୟ ଗଡ଼ୁଛି, ହେଲେ ସମାଧାନର ବାଟ ବାହାରୁନି। ଉଚ୍ଚସ୍ତରୀୟ କମିଟି ଗଢ଼ା ହୋଇଛି। ବୈଠକ ପରେ ବୈଠକ ବସୁଛି। ହେଲେ ନିଷ୍କର୍ସ ମିଳୁନି। ଖୋଦ ଗଣଶିକ୍ଷା ମନ୍ତ୍ରୀ ଏପ୍ରସଙ୍ଗରେ ହସ୍ତକ୍ଷେପ କରିଥିଲେ ମଧ୍ୟ ଏଯାଏ ପାଠ୍ୟପୁସ୍ତକ ନେଇ ଚୂଡାନ୍ତ ନିଷ୍ପତ୍ତି ‌ହୋଇପାରି ନାହିଁ। ଏଥିପାଇଁ ଡିସେମ୍ବରରୁ ଛପା ଆରମ୍ଭ ହେବାକୁ ଥିବା ହାଇସ୍କୁଲ ବହି ଏଯାଏ ଛପାଯାଇ ନାହିଁ। ନୂଆ ଦାୟିତ୍ବ ନେଇଥିବା ଟେକ୍ସଟ୍ ବୁକ୍ ପ୍ରଡକ୍ସନ ଆଣ୍ଡ୍ ମାର୍କେଟିଂ(ଟିବିପିଏମ୍‌) ବହି ଛାପିବ ନା ଆରମ୍ଭରୁ ଛାପି ଆସୁଥିବା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ବହି ଛାପିବ ତାହା ‌ଏଯାଏ ଠିକ୍ ‌‌ହୋଇନାହିଁ। ଯଦି ଡିସେମ୍ବରରୁ ଛପା ନ ହୁଏ ତେବେ ନୂତନ ଶିକ୍ଷାବର୍ଷରେ ହାଇସ୍କୁଲ ଛାତ୍ରଛାତ୍ରୀ ବହି ପାଇବା ନେଇ ସମସ୍ୟାରେ ପଡ଼ିବା ଜଳଜଳ ଦିଶୁଛି।

ନବମ ଓ ଦଶମ ‌ଶ୍ରେଣୀ ପାଇଁ ସିଲାବସ୍ ପ୍ରସ୍ତୁତି, ବହି ଛାପିବା ଓ ବିକ୍ରୟ ଆଦି କାର୍ଯ୍ୟ ବୋର୍ଡ ପକ୍ଷରୁ ସଂପାଦିତ କରାଯାଉଥିଲା। କିନ୍ତୁ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସଚିବସ୍ତରୀୟ ବୈଠକରେ ଏହି ଦାୟିତ୍ବକୁ ବୋର୍ଡ ହାତରୁ କାଢ଼ି ନିଆଯାଇ ଟିବିପିଏମ୍‌କୁ ଦେବାକୁ ଚୂଡାନ୍ତ ହେଲା। ବୋର୍ଡର କୌଣସି କମିଟିରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ନ କରି ବହି ଛାପିବା ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବକୁ ଟିବିପିଏମ୍‌ ଦେବାକୁ ସହଜରେ ଗ୍ରହଣ କରିପାରି ନଥିଲେ ବୋର୍ଡ କର୍ମଚାରୀ ସଂଘ। ଏହା ବିରୋଧରେ ବୋର୍ଡ ଅଫିସର୍ସ ଆସୋସିଏସନ୍ ଓ ଏମ୍ପ୍ଲଇଜ୍ ଆସୋସିଏସନ ସ୍ବର ଉତ୍ତୋଳନ କରିଥିଲେ। ଉଭୟ ସଂଘ ପକ୍ଷରୁ ଏହାର ପ୍ରତିବାଦରେ କ୍ରମାଗତ ଭାବେ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ ସମେତ ସମସ୍ତ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା। ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବା ସହ ମନ୍ତ୍ରୀଙ୍କୁ ସ୍ମାରକପତ୍ର ମଧ୍ୟ ଦିଆଯାଇଥିଲା। ଚଳିତମାସ ୩ ତାରିଖରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ‌ସଚିବାଳୟରେ ଏ ପ୍ରସଙ୍ଗରେ ଏକ ଉଚ୍ଚସ୍ତରୀୟ ‌ବୈଠକ ବସିଥିଲା। ଏଥିରେ ବୋର୍ଡ କର୍ମଚାରୀ ସଂଘ କର୍ମକର୍ତ୍ତା, ଗଣଶିକ୍ଷା କମିସନର, ନିର୍ଦ୍ଦେଶକ, ସଚିବଙ୍କ ସମେତ ଟିବିପିଏମ୍‌ ନି‌ର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ମନ୍ତ୍ରୀ ଘୋଷଣା କରିଥିଲେ, ଆସନ୍ତା ୩ଦିନ ମଧ୍ୟରେ ପ୍ରସଙ୍ଗର ସମାଧାନ ହେବ। କିନ୍ତୁ ସପ୍ତାହେ ବିତିଲା ପରେ ବି ସବୁ ନିଷ୍ପତ୍ତି ଶୀତଳଭଣ୍ଡାରରେ ରହି ଯାଇଛି। ଏବେ ବହି ଛାପିବା ପାଇଁ ଆସିଥିବା କାଗଜ ଟିବିପିଏମ୍ ଭଣ୍ଡାରରେ, ବହିର ସିଡି(ପାଣ୍ଡୁଲିପି) ବୋର୍ଡ ହାତରେ ତ ମନ୍ତ୍ରୀଙ୍କ ଘୋଷଣା ତା ବାଟରେ। କେବେ ବହି ଛପା ହେବ ତାହା ଏଯାଏ ଜଣାପଡ଼ୁନି। ବୋର୍ଡର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଡିସେମ୍ବରରେ ବହି ଛପା ହୁଏ। ଏଥିପାଇଁ ପାଖାପାଖି ଦେଢ଼ରୁ ୨ମାସ ସମୟ ଲାଗେ। ଆସନ୍ତା ଶିକ୍ଷାବର୍ଷରେ ନବମ ବହି ବଦଳୁ ନଥିବାରୁ ପାଖାପାଖି ୩.୫ ଲକ୍ଷ ବହି ଛପାଯିବ। ଦଶମ ବହି ଆଂଶିକ ପରିବର୍ତ୍ତନ ହେବ। ଏଥି ପାଇଁ ଦଶମ ବହି ୬ଲକ୍ଷରୁ ଅଧିକ ଛପାଯିବ। ତେଣୁ ଏବେଠାରୁ କାମ ଆରମ୍ଭ ନହେଲେ ଆସନ୍ତା ଶିକ୍ଷାବର୍ଷରେ ପିଲାମାନେ ପାଠ୍ୟପୁସ୍ତକ ପାଇବାରେ ଅସୁବିଧା ଭୋଗିବେ ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି। ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି, ଟିବିପିଏମ୍‌ ଛାପିବ କି ବୋର୍ଡ ଛାପିବ ତାହା ଏଯାଏ ଚୂଡାନ୍ତ ହୋଇନାହିଁ। କିନ୍ତୁ ଯିଏ ଛାପିଲେ ବି ନୂଆ ଶିକ୍ଷା ବର୍ଷ ଆରମ୍ଭ ପୂର୍ବରୁ ବହି ଛପା ସରିଯିବ ବୋଲି ସଭାପତି ଶ୍ରୀ ହାଜରା କହିଛନ୍ତି।

ସମ୍ବନ୍ଧିତ ଖବର