ଲୋକାର୍ପିତ ହେଲା ‘ଜଗନ୍ନାଥ: ରାଷ୍ଟ୍ରନୀତିର ନାଭିବ୍ରହ୍ମ’

ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଆମ ଆଚରଣ ସ୍ପଷ୍ଟ ହେଉ

ଭୁବନେଶ୍ବର : ଆମେ ଏବେ ଜଗନ୍ନାଥଙ୍କୁ ନେଇ ବେଶ୍‌ ଉତ୍ସାହିତ। ଉଚ୍ଚାରଣରେ ଜଗନ୍ନାଥଙ୍କୁ ନେଇ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନରେ କୌଣସି ଊଣା ଭାବ ନାହିଁ। କିନ୍ତୁ ଉଚ୍ଚାରଣରେ ଆମେ ଯେତିକି ଜଗନ୍ନାଥଙ୍କୁ ଓଡ଼ିଆ ଜାତିର ପରିଚୟ ବୋଲି କହୁଛୁ ଓ ତାଙ୍କୁ ନେଇ ଗର୍ବ କରୁଛୁ, ଆମ ଆଚରଣରେ ଏହା ସମ୍ପୂର୍ଣ୍ଣ ବିପରୀତ। ଜଗନ୍ନାଥ କେବଳ ଓଡ଼ିଶାର ପରିଚୟ ନୁହନ୍ତି, ସାରା ଦେଶ ଓ ବିଶ୍ବ ପାଇଁ ସେ ହେଉଛନ୍ତି ଏକାନ୍ତ ଭାବେ ଏକ ଅପରିହାର୍ଯ୍ୟ ମୂଲ୍ୟବୋଧର ପ୍ରତୀକ, ଏହି କଥାଟି ଆମ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିବା ଉଚିତ ବୋଲି କହିଛନ୍ତି ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ।

ଆଜି ‘ସମ୍ବାଦ ଭବନ’ ପରିସରରେ ଯୁବ ସାମ୍ବାଦିକ ତଥା ଲେଖକ ହରିହର ପଣ୍ଡାଙ୍କ ଲିଖିତ ପୁସ୍ତକ ତଥା ଆମେରିକାର ‘ବ୍ଲାକ୍‌ ଇଗଲ୍‌ ବୁକ୍ସ୍‌’ ପକ୍ଷରୁ ପ୍ରକାଶିତ ‘ଜଗନ୍ନାଥ: ରାଷ୍ଟ୍ରନୀତିର ନାଭିବ୍ରହ୍ମ’ ଉନ୍ମୋଚନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। ସେ ଆହୁରି କହିଲେ, ଦେଶରେ ସର୍ବ ଧର୍ମ ସମନ୍ବୟ କଥା ହେଉ କି ସମ୍ପୂର୍ଣ୍ଣ ବିଶ୍ବକୁ ଏକାଠି କରି ରଖିବା କଥା ହେଉ କି ସେ ହେଉ ଭକ୍ତ ଏବଂ ଭଗବାନଙ୍କ ସମ୍ପର୍କ କଥା; ଏ ବିଷୟରେ ଆମେ ଯେଉଁ ସବୁ କଥା କହିବା‌କୁ ଚେଷ୍ଟା କରୁଛୁ, ଜଗନ୍ନାଥଙ୍କୁ ନେଇ ଆମ ଯେତେ ସବୁ ଗଳ୍ପ, ଜ୍ଞାନ ଓ ଉଦାହରଣ ଦେଉ ସେ ସବୁ ସାରା ବିଶ୍ବ ପାଇଁ ନିଶ୍ଚିତ ଭାବେ ଏକ ମହୌଷଧି ଭଳି କାମ କରିବ। ଆଜି ଯେତେବେଳେ ସମଗ୍ର ବିଶ୍ବ ଭାଗ ଭାଗ ‌ହେବାକୁ ବସିଛି, ମୋର, ତୁମର ବିବାଦରେ ଫସିରହିଛି ସେହି ସମୟରେ ଏଭଳି ଏକ ପରିପ୍ରେକ୍ଷୀ ନିଶ୍ଚିତ ଭାବେ ‌ଗ୍ରହଣୀୟ। ଆମେ ଆଜି ଜାତିର ପ୍ରତୀକ ଭାବେ ଯାହାଙ୍କୁ ବି ଗ୍ରହଣ କରୁଛେ, ତାଙ୍କୁ ନେଇ ଆମ ଆଚରଣ ସ୍ପଷ୍ଟ ହେଉନାହିଁ। ଆମେ ଦାସିଆ ବାଉରି ଉପାଖ୍ୟାନ କ‌ଥା କହୁଛେ, କିନ୍ତୁ ମନ୍ଦିରକୁ କିଏ ପ୍ରବେଶ କରିବ ଓ କିଏ ନାହିଁ ସେ ନେଇ ସହମତି ଦେଇପାରୁନେ। ଭକ୍ତ ସାଲବେଗଙ୍କ କଥା କହୁଛେ କିନ୍ତୁ ‘ଜୟ ଜଗନ୍ନାଥ’ କିମ୍ବା ‘ଜୟ ଶ୍ରୀରାମ’ କହିବା ନେଇ ବିବାଦ ଘନଉଛି। ଶ୍ରୀମନ୍ଦିରର ଛୋଟ ଛୋଟ କଥାକୁ ନେଇ ବିବାଦ ଜୋରଦାର ହେଉଛି କିନ୍ତୁ ମନ୍ଦିରକୁ ନେଇ କୌଣସି ନିଷ୍ପତ୍ତି ନେବାକୁ ଆମ ସରକାର ଓ ପ୍ରଶାସକ ଡରୁଛନ୍ତି। ଆଜି ଓଡ଼ିଶା ପଶ୍ଚିମ ଓଡ଼ିଶା, ଉତ୍ତର ଓଡ଼ିଶା କିମ୍ବା ଜିଲ୍ଲାଭିତ୍ତିକ ଭାବେ ଖଣ୍ଡ ଖଣ୍ଡ ହୋଇଯାଉଥିବା ବେଳେ ଶ୍ରୀ ପଟ୍ଟନାୟକ ଏହି ଅବସରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ଓଡ଼ିଆମାନେ ଏକାଠି ହୋଇ ଓଡ଼ିଆ ଜାତିର ଏକ ନୂତନ ପରିଚୟ ସୃଷ୍ଟି କରିବାର ସଂକଳ୍ପ ନେବା ଉଚିତ ବୋଲି ମତ ପ୍ରକାଶ କରିଛନ୍ତି।

ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ବିପିନ ବିହାରୀ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ଲେଖକ ଶ୍ରୀ ପଣ୍ଡା ନିଜ ପୁସ୍ତକ ବିଷୟରେ ସାମ୍ୟକ ସୂଚନା ଦେଇ କହିଲେ, ଏହି ପୁସ୍ତକଟି ଜଗନ୍ନାଥଙ୍କ ଭାବ ଭକ୍ତିଠାରୁ ଟିକେ ଦୂରରେ। ଐତିହାସିକ ପୃଷ୍ଠଭୂମିରେ ଓଡ଼ିଶାର ରାଜନୈତିକ ପ୍ରସଙ୍ଗକୁ ନେଇ ଗଳ୍ପ ଆକାରରେ ଲିଖିତ ଏହି ପୁସ୍ତକ ସବୁ ବର୍ଗର ପାଠକଙ୍କୁ ଆକର୍ଷିତ କରିବ। ପୁସ୍ତକରେ ୭୨ଟି ଗଳ୍ପ ଆକାରରେ ୧୧୨୬ ମସିହାରୁ ୧୮୯୫ ମସିହାର ରଥଯାତ୍ରା ପର୍ଯ୍ୟନ୍ତ ଜଗନ୍ନାଥ, ଶ୍ରୀକ୍ଷେତ୍ର ଓ ଜଗନ୍ନାଥଙ୍କୁ ନେଇ ଓଡ଼ିଶା ରାଜନୀତି ବିଷୟରେ ବର୍ଣ୍ଣନା କରାଯାଇଛି।

‘ପୌରୁଷ’ର ସମ୍ପାଦକ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ଅସିତ ମହାନ୍ତି ପୁସ୍ତକର ସମୀକ୍ଷା କରି କହିଲେ, ଶ୍ରୀ ପଣ୍ଡା ଏହି ପୁସ୍ତକଟିକୁ ଏକ ଭକ୍ତ କିମ୍ବା ସାମ୍ବାଦିକ ହିସାବରେ ଲେଖିନାହାନ୍ତି। ଐତିହାସିକ କଥାବସ୍ତୁକୁ ନେଇ ଏହା ଏକ ସମ୍ପୂର୍ଣ୍ଣ ଗବେଷଣାଧର୍ମୀ ପୁସ୍ତକ। ଏହାକୁ ପଢ଼ିବା ଦ୍ବାରା ଜ୍ଞାନର ପରିସୀମା ବୃଦ୍ଧି ପାଇବା ସହ ବହୁ ତଥ୍ୟ ମଧ୍ୟ ମିଳିପାରିବ। କାର୍ଯ୍ୟକ୍ରମରେ ବିଶିଷ୍ଟ କଥାକାର ଗୌରହରି ଦାସ ସମ୍ମାନିତ ଅତିଥି ଭାବେ ‌ଯୋଗ ଦେଇ କହିଲେ, ପୁସ୍ତକଟିର ପ୍ରତିଟି ଗଳ୍ପରେ ଐତିହାସିକ କଥାବସ୍ତୁକୁ କାହାଣୀ ଢଙ୍ଗରେ ଉପସ୍ଥାପନା କରାଯାଇଛି। ପୁସ୍ତକରେ ଲେଖକଙ୍କ ଭାଷା ଅତ୍ୟନ୍ତ ବେଗଗାମୀ, ପ୍ରାଣବନ୍ତ ଓ ଆବେଗଧର୍ମୀ ହୋଇଛି ବୋଲି ଶ୍ରୀ ଦାସ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପ୍ରଫେସର ଉମାକାନ୍ତ ମିଶ୍ର ଓ ପ୍ରାବନ୍ଧିକ ଶଶିଭୂଷଣ ରଥ ଉପସ୍ଥିତ ଥିଲେ। ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ ଓ ଯୁବ ସାହିତ୍ୟିକ କ୍ଷେତ୍ରବାସୀ ନାୟକ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର