ଅକ୍ଷୟ ଦାସଙ୍କ ଆତ୍ମଜୀବନୀ ‘ମୋ ଜୀବନ ମୋ ସମୟ’ ଲୋକାର୍ପିତ

କଟକ : ଆତ୍ମଜୀବନୀରେ ସ୍ରଷ୍ଟାଙ୍କ ଜୀବନ କାହାଣୀ ସହ ସମକାଳୀନ ସମାଜର ଅନେକ ଚିତ୍ର ପ୍ରତିଫଳିତ ହୋଇଥାଏ। ଏହା ସ୍ରଷ୍ଟାଙ୍କ ଉତ୍ତରପିଢ଼ି ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍। ଜଣେ ସଫଳ ବ୍ୟକ୍ତିର ଆତ୍ମଜୀବନୀ ସମାଜ ପାଇଁ ପ୍ରେରଣାର ଉତ୍ସ ବୋଲି ରାଜ୍ୟ ମାନବାଧିକାର କମିସନ ଅଧ୍ୟକ୍ଷ ଜଷ୍ଟିସ୍ ବିମଳ ପ୍ରସାଦ ଦାସ କହିଛନ୍ତି। ଶତାବ୍ଦୀ ଭବନରେ ଆୟୋଜିତ ପ୍ରଫେସର ଅକ୍ଷୟ କୁମାର ଦାସଙ୍କ ଆତ୍ମଜୀବନୀ ‘ମୋ ଜୀବନ ମୋ ସମୟ’ର ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍ ଦାସ, ସ୍ରଷ୍ଟା ଶ୍ରୀ ଦାସଙ୍କୁ ସଫଳ ବ୍ୟକ୍ତି ଭା‌ବେ ବର୍ଣ୍ଣନା କରିବା ସହିତ ତାଙ୍କ ଆତ୍ମଜୀବନୀ ଓଡ଼ିଆ ସାହିତ୍ୟ ପାଇଁ ଉପାଦେୟ ଗ୍ରନ୍ଥ ବୋଲି ମତବ୍ୟକ୍ତ କରିଥିଲେ।

ଉତ୍କଳ ସାହିତ୍ୟ ସମାଜର ସଭାପତି ତରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ଡକ୍ଟର ବିଜୟାନନ୍ଦ ସିଂହ ଯୋଗ ଦେଇ କହିଥିଲେ ଯେ ଆତ୍ମଜୀବନୀ ଜଣେ ବ୍ୟକ୍ତି ଜୀବନର ନିର୍ଭୁଲ ବିବରଣୀ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବିଶି‌ଷ୍ଟ ସମାଲୋଚକ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସାହିତ୍ୟିକ ଡକ୍ଟର ସତ୍ୟାନନ୍ଦ ସ୍ବାଇଁ ପୁସ୍ତକର ସମୀକ୍ଷା କରିଥିଲେ। ଉତ୍ସବରେ ସ୍ରଷ୍ଟା ଶ୍ରୀ ଦାସ ଲେଖକୀୟ ଅଭିବ୍ୟକ୍ତି ପ୍ରକାଶ କରିଥିଲେ। ଅଧ୍ୟାପକ କମଳ କୁମାର ମାହୁନ୍ତ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବ‌େଳେ ଉତ୍କଳ ସାହିତ୍ୟ ସମାଜ ସଂପାଦିକା ମୀନାକ୍ଷୀ ଦେବୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମାରୋହରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜସେବୀ ଚିତ୍ତରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଫେସର ଦାସଙ୍କ ସହଧର୍ମିଣୀ ରଞ୍ଜିତା ଦାସ, ପୁଅ ଅମ୍ରିତ ଦାସ, ସୁମିତ ଦାସ,‌ ବୋହୂ ସୌମ୍ୟା ସୁଚରିତା ପଟ୍ଟନାୟକ, ସ୍ବୀକୃତୀ ମହାନ୍ତି, ଶ୍ବଶୁର ନୀଳାଦ୍ରୀନାଥ ମହାନ୍ତି ଓ ଦ୍ବାରିକାନାଥ ମହାନ୍ତି, ଭଣଜା ତଥା ‘ସମ୍ବାଦ’ର ପ୍ରକାଶକ ବିଜୟ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର