‘‘ପର୍ଯ୍ୟଟନ ଓ ପ୍ରତ୍ନତତ୍ତ୍ଵ : ମୟୂରଭଞ୍ଜ’’ ଲୋକାର୍ପିତ

ବାରିପଦା : ଭୂଗୋଳକୁ ଭଲ ଭାବେ ଚିହ୍ନିଲେ ଓ ଜାଣିଲେ ଗୋଟିଏ ଜାତିର ପ୍ରଗତି ସମ୍ଭବ ହୋଇପାରିବ। ଓଡ଼ିଶାରେ ସାଢ଼େ ଚାରିଶହ କିଲୋମିଟର ଦୀର୍ଘ ବେଳାଭୂମି, ବହୁ ବିଶାଳ ପାହାଡ଼, ପର୍ବତ, ମାଳଭୂମି, ନଦୀ, ଝରଣା, ଜଙ୍ଗଲ ଭଳି ପ୍ରାକୃତିକ ସଂପଦ, ପ୍ରାଚୀନ ପ୍ରତ୍ନତାତ୍ତ୍ଵିକ ବିଭବ, ଖଣିଜ ସଂପଦ ଥିବା ସତ୍ତେ୍ଵ ଆଜି ପଛୁଆ ରାଜ୍ୟର ଦୁର୍ନାମ କମେଇଛି। ଏହା ହୋଇଛି କେବଳ ଆମେ ଆମର ଭୂଗୋଳକୁ ଭଲ ଭାବେ ନ ଚିହ୍ନିବା ନ ଜାଣିବା ଯୋଗୁଁ। ଏଭଳି ମତବ୍ୟକ୍ତ କରିଛନ୍ତି ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ।

ଆଜି ବାରିପଦାସ୍ଥିତ ‘ଡିଭାଇନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି’ ସଭାଗୃହରେ ଗାଳ୍ପିକ ଓ ଗବେଷକ ରଂଜନ ପ୍ରଧାନଙ୍କ ଲିଖିତ ପୁସ୍ତକ ‘ପର୍ଯ୍ୟଟନ, ପ୍ରତ୍ନତତ୍ତ୍ଵ: ମୟୂରଭଞ୍ଜ’ର ଲୋକାର୍ପଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଏହି ଗ୍ରନ୍ଥଟି ମୟୂରଭଞ୍ଜ ଜିଲ୍ଲାକୁ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ କରାଇବାରେ ସହାୟକ ହେବ ବୋଲି ସେ କହିଥିଲେ। ବିଶିଷ୍ଟ ଭାଷାବିତ୍‌ ଚିନ୍ତକ ଡ. ପ୍ରଫୁଲ୍ଲ କୁମାର ତ୍ରିପାଠୀ ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ‘ମୟୂରଭଞ୍ଜ ସିଟିଜେନ୍‌ ଫୋରମ୍‌’ର ସଭାପତି ପୂର୍ଣ୍ଣଚନ୍ଦ୍ର ବୁଗୁଡ଼େଇ ଯୋଗଦେଇଥିଲେ। ବିଶିଷ୍ଟ କବି ଓ ଗୀତିକାର ନିମାଇଁ ମହାନ୍ତି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ମୟୂରଭଞ୍ଜ ଜିଲ୍ଲା ପାଇଁ ଏଭଳି ଏକ ପୁସ୍ତକର ଖୁବ୍‌ ଆବଶ୍ୟକ ଥିଲା ବୋଲି କହିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉକ୍ତ ପୁସ୍ତକର ଲେଖକ ରଂଜନ ପ୍ରଧାନ ନିଜର ଲେଖକୀୟ ଅନୁଭୂତି ଓ ପ୍ରେରଣା ସଂପର୍କରେ ବର୍ଣ୍ଣନା କରିଥିଲେ। ଏହି ଗ୍ରନ୍ଥରେ ମୟୂରଭଞ୍ଜ ଜିଲ୍ଲାର ଭୂଗୋଳ, ପର୍ଯ୍ୟଟନ, ପ୍ରତ୍ନତତ୍ତ୍ଵ, ସଂସ୍କୃତି, ଐତିହ୍ୟ, କଳା, ପ୍ରଥା, ପରଂପରା, ସଂପର୍କରେ ଆଲୋଚନା କରାଯାଇଛି।

ସମ୍ବନ୍ଧିତ ଖବର