ରାଜେନ୍ଦ୍ର ନାରାୟଣ ଦାସଙ୍କ ‘ନିଜ ମତ ନ କହିଲେ ଭଲ’ ଲୋକାର୍ପିତ

ନିରନ୍ତର ସାଧନା ମଣିଷକୁ ପରିପକ୍ବ କରେ: ‌ସୌମ୍ୟ

ଭୁବନେଶ୍ବର : ନିରନ୍ତର ସାଧନା ମଣିଷକୁ ଅଧିକ ପରିପକ୍ବ କରିଥାଏ। ଏହାର ସର୍ବୋତ୍କୃଷ୍ଟ ଉଦାହରଣ ହେଉଛନ୍ତି ବିଶିଷ୍ଟ ଚିନ୍ତକ ତଥା ସ୍ତମ୍ଭକାର ଡକ୍ଟର ରାଜେନ୍ଦ୍ର ନାରାୟଣ ଦାସ। ତାଙ୍କର ପ୍ରଥମ ପୁସ୍ତକ ‘କହି ବସିଲେ ବହୁତ କଥା’ଠାରୁ ଆରମ୍ଭ କରି ଷ‌ଷ୍ଠ ପୁସ୍ତକ ‘ନିଜ ମତ ନ କହିଲେ ଭଲ’ ପର୍ଯ୍ୟନ୍ତର ଯାତ୍ରା ଏହାର ସାକ୍ଷ୍ୟ। ତାଙ୍କର ନିରନ୍ତର ଲେଖାଭ୍ୟାସ ଓ ପଠନ ପିପାସା ଆଜି ପାଠକଙ୍କୁ ବହୁ ପରିପକ୍ବ ଲେଖା‌ ଓ ପୁସ୍ତକ ଦେଇଚାଲିଛି। ନିରନ୍ତର ଲେଖିବା ଫଳରେ ପ୍ରବନ୍ଧକୁ କିଭଳି ପ୍ରଭାବୀ କରିବାକୁ ହୁଏ, ଭାଷା ଓ ଭାବ ସହ କେତେ ଲେଖିବାକୁ ହୁଏ ସେଥିରେ ସେ ସିଦ୍ଧହସ୍ତ ହୋଇସାରିଛନ୍ତି। ଗୁରୁବାର ‘ସମ୍ବାଦ ଭବନ’ ପରିସରରେ ତାଙ୍କ ପୁସ୍ତକ ‘ନିଜ ମତ ନ କହିଲେ ଭଲ’କୁ ଲୋକର୍ପଣ କରି ଏହା କହିଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ।

ଏହି ଅବସରରେ ଲେଖକଙ୍କ ଓଡ଼ିଶା ପ୍ରୀତିର ଭୁରିଭୁରି ପ୍ରଶଂସା କରି ଶ୍ରୀ ପଟ୍ଟନାୟକ କହିଲେ, ରାଜେନ୍ଦ୍ର ବାବୁ ବିଗତ ୬୦ ବର୍ଷ ଧରି ଜର୍ମାନୀରେ ରହୁଥିଲେ ମଧ୍ୟ ତାଙ୍କ ଓଡ଼ିଶା ପ୍ରେମ ଅନନ୍ୟ। ସେ ଜଣେ ଅଦ୍ଭୁତ ବ୍ୟକ୍ତିତ୍ବ। ତାଙ୍କର ଶୟନେ, ସପନେ ଜାଗରଣେ ଓ ସର୍ବାଙ୍ଗରେ ‌କେବଳ ଓଡ଼ିଶା ହିଁ ଆତ୍ମସ୍ଥ। ଓଡ଼ିଶା ପ୍ରେମର ସେ ଏଭଳି ଏକ ମାପକାଠି ତିଆରି ସାରିଛନ୍ତି, ଯେକୌଣସି ଓଡ଼ିଆକୁ ତାହା ପାଖାପାଖି ହେବା କଷ୍ଟକର ହେବ। ଶ୍ରୀ ପଟ୍ଟନାୟକ ଆହୁରି କହିଲେ, ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଥିବା ଶ୍ରୀ ଦାସଙ୍କ ଏହି ପ୍ରବନ୍ଧଗୁଡ଼ିକ ସଂକଳିତ ହୋଇ ଆଜି ଯେଉଁ ପୂର୍ଣ୍ଣ ପୁସ୍ତକରେ ପରିଣତ ହୋଇଛି ତାହା ପାଠକଙ୍କ ପାଇଁ ବେଶ ଉପାଦେୟ ହେବ। ଓଡ଼ିଶାର ସମସାମୟିକ ସାମାଜିକ ଜୀବନ ଓ ସମକାଳୀନ ଇତିହାସ ଉପରେ ଆଲେଖ୍ୟର ଘୋର ଅଭାବ ରହିଛି; ଯାହା ଫଳରେ ଆମେ ଓଡ଼ିଶାକୁ ବୁଝିବାରେ ଯେତିକି ସମର୍ଥ ହେବା କଥା ସେତିକି ହୋଇନାହୁଁ। ଶ୍ରୀ ଦାସଙ୍କ ଏହି ପୁସ୍ତକ ଆମକୁ ଦୂରରୁ ଓଡ଼ିଶା କିଭଳି, ତାହା ଦେଖାଇବାରେ ସଫଳ ହେବ।

‘ଆମ ଓଡ଼ିଶା’ର ସମ୍ପାଦକ ‌ସ୍ବରାଜ ମିଶ୍ରଙ୍କ ସଭାପତିତ୍ବ‌ରେ ଆୟୋଜିତ ଏହି ସଭାରେ ବିଶିଷ୍ଟ ସ୍ତମ୍ଭକାର ଡକ୍ଟର ଭଗବାନ ପ୍ରକାଶ ଯୋଗ ଦେଇ କହିଥିଲେ, ଜଣେ ଭଲ ଲେଖକ ହେବାକୁ ହେଲେ ପ୍ରଥମେ ଜଣେ ଭଲ ପାଠକ ହେବାକୁ ପଡ଼ିବ। ପୁସ୍ତକର ଲେଖକ ଶ୍ରୀ ଦାସ ଜଣେ ଉତ୍ତମ ପାଠକ। ‌ସକାଳୁ ଉଠୁଉଠୁ ବିଭିନ୍ନ ଖବରକାଗଜ ପୁଙ୍ଖାନୁପୁଙ୍ଖ ପଢ଼ିବା ଓ ସେସବୁ ଉପରେ ନିଜ ମତ ରଖିବା ତାଙ୍କ ଅଭ୍ୟାସ। ଖାଲି ସେତିକି ନୁହେଁ, ମୋବାଇଲ୍‌ ବାର୍ତ୍ତା ଜରିଆରେ ଅନ୍ୟମାନଙ୍କ ଲେଖାଗୁଡ଼ିକୁ ପଠାଇ ଅନେକଙ୍କୁ ପଢ଼ାଇବାକୁ ବି ସେ ପଛାନ୍ତି ନାହିଁ। ଆଜି ତାଙ୍କର ଲୋକାର୍ପିତ ପୁସ୍ତକରେ ୬୯ଟି ଲେଖାକୁ ସେ ୭ଟି ଗୁଚ୍ଛରେ ସଜାଇଛନ୍ତି। ସମସାମୟିକ ସମାଜକୁ ନେଇ ବେଶ୍‌ ସ୍ପଷ୍ଟ, ନିର୍ଭୀକ ଓ ସରଳ ଭାଷାରେ ସଙ୍କଳିତ ଏହି ପୁସ୍ତକ ଭବିଷ୍ୟତ ପିଢ଼ି ପାଇଁ ଉପାଦେୟ ହେବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ବିଶିଷ୍ଟ କଥାକାର ଗୌରହରି ଦାସ ଉପସ୍ଥିତ ରହି କହିଲେ, ମଣିଷ ଓ ଜୀବଜନ୍ତୁଙ୍କୁ ତ’ ସମସ୍ତେ କୃତଜ୍ଞତା ଜଣାନ୍ତି। କିନ୍ତୁ ଲେଖକ ଶ୍ରୀ ଦାସ ଏଭଳି ବ୍ୟକ୍ତିତ୍ବ, ଯିଏକି ନିର୍ଜୀବଙ୍କୁ ବି କୃତଜ୍ଞତା ଜଣାନ୍ତି। ସବୁ ଭିତରେ ସେ ଆଧ୍ୟାତ୍ମିକତାକୁ ଦେଖନ୍ତି। ତାଙ୍କ ଲେଖାରେ ନିର୍ଭୀକତା ଓ ଦାମ୍ଭିକତା ଭରି ରହିଥାଏ। ସେ ଯାହା ମତ ଦିଅନ୍ତି , ତାହା ବେଶ୍‌ ଉଚ୍ଚ ଓ ସ୍ପଷ୍ଟ ବୋଲି ସେ କହିଥିଲେ।

‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି ଏହି ଅବସରରେ ପୁସ୍ତକର ସମୀକ୍ଷା କରି କହିଥିଲେ ଯେ ଏଥିରେ କୃତଜ୍ଞତାର ସ୍ବୀକାରୋକ୍ତି ରହିଛି। ସାମାଜିକ ଗଣମାଧ୍ୟମରୁ ପାଇଥିବା କିଛି କଥାରୁ ପ୍ରେରଣା ପାଇ କିଛି ପ୍ରବନ୍ଧ ଲେଖାଯାଇଛି, ଭଲ ମତମନ୍ତବ୍ୟକୁ ‌ପୁସ୍ତକରେ ସ୍ଥାନ ଦିଆଯାଇଛି, କାହା‌ଠାରୁ ଭଲ ଧାଡ଼ିଟିଏ ଶୁଣି, କେଉଁଠାରୁ ଭଲ ଧାଡ଼ିଟିଏ ପଢ଼ି ପୁସ୍ତକରେ ଲିଖିତ ପ୍ରବନ୍ଧଗୁଡ଼ିକର ବୀଜରୋପଣ ହୋଇଛି। ପୁସ୍ତକରେ ସେଇ ସମସ୍ତଙ୍କୁ ଲେଖକ କୃତଜ୍ଞତା ଜଣାଇଛନ୍ତି। ପୁସ୍ତକଟିରେ ଓଡ଼ିଶାର ସାମାଜିକ ଜୀବନୀ ଉପରେ ଅଧିକ ଲେଖା ରହିଛି। ସ୍ଥଳବିଶେଷରେ ଜର୍ମାନ ଜୀବନ ସହ ତୁଳନା ମଧ୍ୟ ରହିଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଲେଖକଙ୍କ ସାନ ଭାଇ ପ୍ରଫେସର ହେମେନ୍ଦ୍ର ନାରାୟଣ ଦାସ, ରବୀନ୍ଦ୍ର ନାରାୟଣ ମହାନ୍ତି, ଅଜିତ ଦାସ, ସଂଯୁକ୍ତା ମହାନ୍ତି, ଅଜିତ ମହାନ୍ତି, ‘ସମ୍ବାଦ’ ବାର୍ତ୍ତା ବିଭାଗର ମୁଖ୍ୟମହାପ୍ରବନ୍ଧକ ଅରବିନ୍ଦ ଦାସ, ଉପମହାପ୍ରବନ୍ଧକ (ବାର୍ତ୍ତା) ଗୌତମବୁଦ୍ଧ ଦାସ, ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ସୁବ୍ରତ ବଳ ପ୍ରମୁଖ ଉପସ୍ଥିତ ରହି ନିଜ ମତ ରଖିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଓ ଶେଷରେ ଶାନ୍ତି ମହାନ୍ତି ସଂଗୀତ ପରିବେଷଣ କରିଥିଲେ। ପୁସ୍ତକର ପ୍ରକାଶକ ବିଜୟିନୀ ପ୍ରକାଶନୀର ମୁଖ୍ୟ ଦିଲ୍ଲୀପ କୁମାର ବେଉରା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର