୧୦୧ ମନ୍ଦିରକୁ ନେଇ ପୁସ୍ତକ ‘ଆବୋଡ୍ ଅଫ୍ ଗଡ୍’, ରାଜଭବନରେ ଉନ୍ମୋଚନ କଲେ ରାଜ୍ୟପାଳ

ଭୁବନେଶ୍ବର  : ଓଡ଼ିଶାର ୩୦ଟି ଜିଲ୍ଲାର ୧୦୧ଟି ପ୍ରମୁଖ ମନ୍ଦିରକୁ ନେଇ ପ୍ରସ୍ତୁତ କଫିଟେବଲ୍ ପୁସ୍ତକ ‘ଆବୋଡ୍ ଅଫ୍ ଗଡ୍: ଆର୍କିଟେକ୍‌ଚର୍- କଲ୍‌ଚର୍- ଫେଥ୍’ ଆଜି ଉନ୍ମୋଚିତ ହୋଇଯାଇଛି। ରାଜଭବନ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହାକୁ ଉନ୍ମୋଚନ କରିଥିଲେ। ଏହି ପୁସ୍ତକ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ କଳା, ସ୍ଥାପତ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନା ସମ୍ପର୍କରେ ରାଜ୍ୟ ତଥା ରାଜ୍ୟ ବାହାରର ଲୋକ ଅବଗତ ହୋଇପାରିବେ ବୋଲି ରାଜ୍ୟପାଳ ଆଶାପ୍ରକଟ କରିଥିଲେ। ସାମ୍ବାଦିକ ଚୌଧୁରୀ ଅମିତାଭ ଦାସଙ୍କ ଦ୍ବାରା ଲିଖିତ ଏହି ପୁସ୍ତକରେ ପ୍ରତି ମନ୍ଦିରର ସଂକ୍ଷିପ୍ତ ଇତିହାସ, ନିର୍ମାଣ ଶୈଳୀ ଓ ଧର୍ମୀୟ ଭାବନା ସମ୍ପର୍କରେ ଉଲ୍ଳେଖ ରହିଛି। ଆଜିର ଉନ୍ମୋଚନ ଉତ୍ସବରେ ବିଶିଷ୍ଟ ଲେଖକ ଦାଶ ବେନହୁର, ସମାଜସେବୀ ତଥା ଟିମ୍ ଆଡ୍‌ମାର୍କର ସିଏମ୍‌ଡି ନିଶିକାନ୍ତ ମିଶ୍ର, ଶିକ୍ଷାବିତ୍ ତଥା ଡିଏଭି ସ୍କୁଲ୍ ଅଫ୍ ବିଜ୍‌ନେସ୍ ମ୍ୟାନେଜ୍‌ମେଣ୍ଟ୍‌ର ଅଧ୍ୟକ୍ଷ ଡି ଏନ୍ ମିଶ୍ର, କବି ରକ୍ଷକ ନାୟକ ଓ ପ୍ରକାଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା ଉପସ୍ଥିତ ଥିଲେ। କେ ଏମ୍ ପବ୍ଲିକସେନ୍ ଓ ପେନ୍ ଇନ୍ ବୁକ୍ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକରେ ଫଟୋ ସାମ୍ବାଦିକ ଅସିତ ଶତପଥୀ, ସତ୍ୟବ୍ରତ ମିଶ୍ର ଓ ଉମାକାନ୍ତ ବିଶ୍ବାଳଙ୍କ ଫଟୋଗୁଡ଼ିକ ସ୍ଥାନିତ ହୋଇଛି।

ସମ୍ବନ୍ଧିତ ଖବର