ସାହିତ୍ୟ‌ରେ ଲୋକଙ୍କ କଥା ସ୍ଥାନ ପାଉ: ସାତକଡ଼ି ହୋତା

ଚିନ୍ମୟ ହୋତାଙ୍କ ପ୍ରବନ୍ଧ ସଂକଳନ ‘ଏମିତି ଏମିତି’ ଉନ୍ମୋଚିତ

ଭୁବନେଶ୍ବର : କିଛି ବର୍ଷ ହେବ, ଲୋକ ସାହିତ୍ୟ ସହ ଯୋଡ଼ି ହେଉଛନ୍ତି। ଏହା ଏକ ଶୁଭ ଲକ୍ଷଣ। ଲୋକଙ୍କ ଦୁଃଖ, କଷ୍ଟ, ଯନ୍ତ୍ରଣା ସାହିତ୍ୟରେ ସ୍ଥାନ ପାଇଲେ, ତାହା ଲୋକଙ୍କ ମନକୁ ଛୁଇଁବ। ଏହାଦ୍ବାରା ଏକ ବୃହତ୍ତର ପାଠକ ସମାଜ ସୃଷ୍ଟି ହେବ ଓ ସାହିତ୍ୟ ଦୀର୍ଘଜୀବୀ ହେବ। ‘ସମ୍ବାଦ’ ଭବନରେ ସ୍ତମ୍ଭକାର ଚିନ୍ମୟ ହେତାଙ୍କ ପ୍ରବନ୍ଧ ସଂକଳନ ‘ଏମିତି ଏମିତି’ର ଉନ୍ମୋଚନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ସାହିତ୍ୟିକ ସାତକଡ଼ି ହୋତା।

‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିବା ସହ ଭିନ୍ନ ସ୍ବାଦର ସୃଷ୍ଟି ପାଇଁ ଲେଖକଙ୍କୁ କୃତଜ୍ଞତା ଜଣାଇଥିଲେ। ସେ କହିଲେ, ସଫଳତାର ଶ୍ରେୟ ଦେବା‌ରେ ‘ସମ୍ବାଦ’ କୁଣ୍ଠାବୋଧ କରେ ନାହିଁ। ‘ସମ୍ବାଦ’ର ସମ୍ପାଦକୀୟ ପୃ୍ଷ୍ଠାରେ ଦୀର୍ଘ ଦିନ ଧରି ଚିନ୍ମୟ ହୋତାଙ୍କ ଯୋଗଦାନ ‘ସମ୍ବାଦ’ ସମ୍ପାଦକୀୟ ପୃଷ୍ଠାକୁ‌ ଅନେକାଂଶରେ ଲୋକପ୍ରିୟ କରିପାରିଛି। ଓଡ଼ିଶାରେ ବ୍ୟଙ୍ଗ ସାହିତ୍ୟ ଏତେ ସମୃଦ୍ଧ ନୁହେଁ। ହେଲେ ଶ୍ରୀ ହୋତା ଆମ ଚାରିପାଖରେ ଘଟୁଥିବା ଘଟଣାକୁ ଭାଷା ଓ ଭାବର ସହ ଲେଖନ୍ତି, ଯେଉଁ ଲେଖାରେ ବ୍ୟଙ୍ଗ ସହ ରସ ଯୁକ୍ତ ହୋଇ ରହିଥାଏ। ଜଣେ ସାଧାରଣ ଲୋକ ମର୍ମକୁ ବୁଝୁ କି ନବୁଝୁ, ଲେଖାକୁ ଉପଭୋଗ କରେ ଓ ପଢ଼ୁ ପଢ଼ୁ ସବୁ ପଢ଼ି ହୋଇଯାଏ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

‘ପୌରୁଷ’ର ସମ୍ପାଦକ ଅସିତ୍‌ ମହାନ୍ତି ପୁସ୍ତକକୁ ସମୀକ୍ଷା କରି କହିଲେ, ଲେଖକ ଯେକୌଣସି ସାଧାରଣ ପ୍ରସଙ୍ଗକୁ ନେଇ ଉଚ୍ଚସ୍ତରୀୟ ରଚନା କରିବାର ଦକ୍ଷତା ରଖିଛନ୍ତି। ଯେମିତିକି ଆଳୁରୁ ଧଉଳି, ଉଇରୁ ଆଣ୍ଟି ସବୁ ପ୍ରସଙ୍ଗ ପୁସ୍ତକରେ ସ୍ଥାନ ପାଇଛି। ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟ ଘରର ରାଜ୍ୟ ସମ୍ପାଦିକା ଶୁଭଶ୍ରୀ ଲେଙ୍କା, ପ୍ରଶାସନିକ ଅଧିକାରୀ ବିଜୟ ନାୟକ, ପ୍ରଫେସର୍‌ ଜଗନ୍ନାଥ ଦାସ, ଗାଳ୍ପିକ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର, ସ୍ନେହଲତା ପୃଷ୍ଟି, ସରଳ ଦାସ, ସୁନନ୍ଦା ପ୍ରଧାନ ପ୍ରମୁଖ ଗାଳ୍ପିକ ଓ ପୁସ୍ତକ ସମ୍ପର୍କରେ ନିଜର ଅଭିବ୍ୟକ୍ତି ପ୍ରକାଶ କରିଥିଲେ। ଅଶୋକ ରଥ, ସଞ୍ଜୟ ହୋତା, ଗିରିଜା ଶଙ୍କର ଆଚାର୍ଯ୍ୟ, ଅର୍ଚ୍ଚନା ହୋତା ଉପସ୍ଥିତ ରହି ଲେଖଙ୍କ ପୁସ୍ତକର ବୃହତ୍‌ ପାଠକାଦୃତି ପାଇଁ ଶୁଭେଚ୍ଛା ଜଣାଇଥିଲେ। ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର ସଂଯୋଜନା କରିଥିବା ବେଳେ ‘କଥା’ର ସହସମ୍ପାଦକ କ୍ଷେତ୍ରବାସୀ ନାୟକ ଧନ୍ୟବାଦ ଦେଇଥି‌ଲେ।

ସମ୍ବନ୍ଧିତ ଖବର