‘ପ୍ରତ୍ୟେକ ସଫଳ ମଣିଷ ନିଜ ଜୀବନୀ ଲେଖନ୍ତୁ’

ପ୍ରହ୍ଲାଦ ମଲ୍ଲିକଙ୍କ ଜୀବନୀ ‘ଫଲ୍‌ଗୁ’ ଲୋକାର୍ପିତ

ଭୁବନେଶ୍ବର : ଐତିହାସିକମାନେ ଜନବାଦୀ ଇତିହାସ ତଥା ସମକାଳୀନ ଇତିହାସ ଉପରେ ଦୃଷ୍ଟି ଦେଉନାହାନ୍ତି। ଏହା ଭବିଷ୍ୟତ ପିଢ଼ିଙ୍କ ପାଇଁ ଶୁଭଙ୍କର ନୁହେଁ। ଏହାଦ୍ବାରା ସେମାନଙ୍କ ମଧ୍ୟରେ ଇତିହାସବୋଧର ଅଭାବ ଦେଖାଯିବ। ଛପା ହେଉ ବା ନ ହେଉ, ପ୍ରତ୍ୟେକ ସଫଳ ମଣିଷ ନିଜ ଜୀବନୀ ଲେଖିବା ଦରକାର। ତାହା ପରବର୍ତ୍ତୀ ପିଢ଼ି ପାଇଁ ବହୁତ କାମରେ ଆସିବ। ଏବେ ଆମେ ସମସ୍ତେ ତୁଣ୍ଡି ଖୋଲି ଦେଲେଣି କିନ୍ତୁ କେହି ତୁଣ୍ଡ ଖୋଲୁ ନାହାନ୍ତି। ବର୍ତ୍ତମାନ ସମୟ ଆସିଛି, ସମସ୍ତେ ତୁଣ୍ଡ ଖୋଲି ସମକାଳୀନ ଇତିହାସ ଲେଖିବାର ସାହସ କରନ୍ତୁ। ‘ପ୍ରହ୍ଲାଦ ମଲ୍ଲିକ ସ୍ମୃତି ପରିଷଦ’ ପକ୍ଷରୁ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ଜନନେତା ପ୍ରହ୍ଲାଦ ମଲ୍ଲିକଙ୍କ ଜୀବନୀ ପୁସ୍ତକ ‘ଫଲ୍‌ଗୁ’କୁ ଲୋକାର୍ପଣ କରି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଏପରି ଆହ୍ବାନ ଦେଇଛନ୍ତି।

ସ୍ମୃତି ପରିଷଦର ଉପସଭାପତି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଆହୁରି କହିଲେ, ରାଜନୈତିକ ଦୃଷ୍ଟିକୋଣରୁ ପ୍ରହ୍ଲାଦ ମଲ୍ଲିକ ଜଣେ ସଫଳ ବ୍ୟକ୍ତିତ୍ବ ଥିଲେ। ସଂରକ୍ଷିତ ଏବଂ ଅଣସଂରକ୍ଷିତ, ଉଭୟ ନିର୍ବାଚନମଣ୍ଡଳୀରୁ ତା‌ଙ୍କୁ ବିପୁଳ ଜନସମର୍ଥନ ମିଳୁଥିଲା। ତାଙ୍କ ଜୀବନୀ ପୁସ୍ତକ ରଚନା ହେବା ଅତ୍ୟନ୍ତ ଖୁସିର ବିଷୟ। ଏଭଳି ପୁସ୍ତକରୁ ସେ ସମୟର ରାଜନୀତି ସଂପର୍କରେ ଜାଣିବାକୁ ମିଳିବ। କେନ୍ଦ୍ରାପଡ଼ା ଏବଂ ବିଜୁବାବୁଙ୍କ ବିଷୟରେ ଜାଣିବାକୁ ଇଚ୍ଛା କରୁଥିବା ବ୍ୟକ୍ତି ନିଶ୍ଚିତ ଭାବେ ଏହି ବହି ପଢ଼ିବ‌ା ଦରକାର।

ଅନ୍ୟତମ ଅତିଥି ପ୍ରଫେସର୍‌ ବସନ୍ତ ମଲ୍ଲିକ କହିଲେ, ଓଡ଼ିଶାର ପୂର୍ଣ୍ଣାଙ୍ଗ ଇତିହାସ ଲେଖାଗଲେ ପ୍ରହ୍ଲାଦ ମଲ୍ଲିକଙ୍କ ଭଳି ଲୋକମାନେ ସେଥିରେ ନିଶ୍ଚୟ ସ୍ଥାନ ପାଇବେ। ଏହି ପୁସ୍ତକରେ ଇତିହାସ ଏବଂ ସାହିତ୍ୟର ଏକ ଅପୂର୍ବ ସମନ୍ବୟ ଘଟିଛି। ପରିଷଦର କାର୍ଯ୍ୟକାରୀ ସଭାପତି ତଥା ସ୍ବର୍ଗତ ମଲ୍ଲିକଙ୍କ ବଡ଼ ଝିଅ ସିପ୍ରା ମଲ୍ଲିକ କହିଲେ, ମୋ ବାପା ସବୁବେଳେ ତୃଣମୂଳସ୍ତରର ଲୋକମାନଙ୍କ ବିଷୟରେ ଚିନ୍ତା କରୁଥିଲେ। ପୁସ୍ତକର ଲେଖିକା ତଥା ସ୍ବର୍ଗତ ମଲ୍ଲିକଙ୍କ ସାନ ଝିଅ ସୁପ୍ରିୟା ମଲ୍ଲିକ କହି‌ଲେ, ବାପାଙ୍କ ବାଲ୍ୟ ଜୀବନରୁ ଆରମ୍ଭ କରି ଜୀବନର ଶେଷାର୍ଦ୍ଧ ପର୍ଯ୍ୟନ୍ତ, ଏଥିରେ ଅନେକ କିଛି ସ୍ଥାନିତ ହୋଇଛି।

ପୁସ୍ତକକୁ ସମୀକ୍ଷା କରି ବିଶିଷ୍ଟ ଗାନ୍ଧୀବାଦୀ ପ୍ରହ୍ଲାଦ ସିଂହ କହିଲେ,‘ଫଲଗୁ’ରେ ସ୍ବର୍ଗତ ମଲ୍ଲିକଙ୍କ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଗୁରୁତ୍ବପୂର୍ଣ୍ଣ ଘଟଣାବଳୀ ସ୍ଥାନ ପାଇଛି। ୩୭ଟି ଅଧ୍ୟାୟ ଏବଂ ୨୦୮ ପୃଷ୍ଟା ବିଶିଷ୍ଟ ଏହି ପୁସ୍ତକରେ ଗ୍ରାମ୍ୟ ଜୀବନର ଅନେକ କଥା ଉଲ୍ଲେଖ ରହିଛି। କାର୍ଯ୍ୟକ୍ରମରେ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ପ୍ରଫେସର କୁଞ୍ଜବିହାରୀ ପଣ୍ଡା ଧନ୍ୟବାଦ‌ ଦେଇଥିଲେ।

ସମ୍ବନ୍ଧିତ ଖବର