କଟକ : ସାହିତ୍ୟ ଓ ରାଜନୀତିର ସଂପର୍କ ନିବିଡ଼। ଉଭୟଙ୍କ ଲକ୍ଷ୍ୟ ସମୂହ ହିତ ସାଧନ। ଆଇନଜୀବୀମାନେ ସାହିତ୍ୟ ପ୍ରତି ଆକୃଷ୍ଟ ହେବା ଶୁଭଲକ୍ଷଣ ବୋଲି କହିଛନ୍ତି ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଆଇନଜୀବୀ ରାଜେନ୍ଦ୍ର କୁମାର ପ୍ରଧାନଙ୍କ ଷଷ୍ଠ କାବ୍ୟ ‘ଜାହ୍ନବୀ’ର ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଅନ୍ୟମନସ୍କ ହେବାକୁ ପରାମର୍ଶ ଦେଇଛନ୍ତି। ଆମେ ଅନ୍ୟମନସ୍କ ହେଲେ ଅର୍ଥାତ୍ ଅନ୍ୟମାନଙ୍କ କଥା ଚିନ୍ତା କଲେ ନାଗରିକ ସମାଜ ନିଜ କର୍ତ୍ତବ୍ୟ ଠିକ୍ରେ ନିର୍ବାହ କରିବ। ନାଗରିକ ସମାଜ ଦୁର୍ବଳ ହେଲେ ଗଣତନ୍ତ୍ର ଅବକ୍ଷୟମୁଖୀ ହେବ। ଏହାର ସୁରକ୍ଷା କିଏ କରିବ ବୋଲି ପ୍ରଶ୍ନ କରିବା ସହିତ ନାଗରିକ ସମାଜ ସମସ୍ତ ଶକ୍ତି, ସାମର୍ଥ୍ୟ, ସ୍ବର ବ୍ୟବହାର କରି ଆମ ଚତୁଃପାର୍ଶ୍ବରେ ଥିବା ଅନୁଷ୍ଠାନମାନଙ୍କର ସୁରକ୍ଷା କରିବାକୁ ଶ୍ରୀ ପଟ୍ଟନାୟକ ଉପସ୍ଥିତ ବୁଦ୍ଧିଜୀବୀଙ୍କୁ ଆହ୍ବାନ ଦେଇଛନ୍ତି।
ଶତାବ୍ଦୀ ଭବନରେ ଆୟୋଜିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ପ୍ରଫେସର ବୈଷ୍ଣବ ଚରଣ ସାମଲ। ସେ କହିଥିଲେ, ରାଜେନ୍ଦ୍ର ପ୍ରଧାନଙ୍କ କାବ୍ୟ ‘ଜାହ୍ନବୀ’ର ଛନ୍ଦବୋଧ ଓ ଶବ୍ଦ ବିନ୍ୟାସ ଉଚ୍ଚକୋଟୀର। ‘ଜାହ୍ନବୀ’ ନାରୀ ସଶକ୍ତୀକରଣର ଏକ ଅନନ୍ୟ ସାରସ୍ବତ ଉପସ୍ଥାପନା ତଥା ସମାଜର କୁସଂସ୍କାର, ଅନ୍ଧବିଶ୍ବାସ ବିରୋଧରେ ଏକ ସଚେତନତା ବାର୍ତ୍ତା ପ୍ରଦାନ କରୁଛି। ଏଭଳି ସାହିତ୍ୟ ସମାଜ ପାଇଁ ପ୍ରେରଣା ବୋଲି ପ୍ରଫେସର ସାମଲ କହିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଫେସର ବିଜୟ କୁମାର ଶତପଥୀ ‘ଜାହ୍ନବୀ’ କାବ୍ୟର ସ୍ରଷ୍ଟା ରାଜେନ୍ଦ୍ର ପ୍ରଧାନଙ୍କୁ ଶବ୍ଦଯୋଦ୍ଧା ଭାବେ ବର୍ଣ୍ଣନା କରିଥିଲେ। କାବ୍ୟରେ ସ୍ରଷ୍ଟାଙ୍କର ଉଭୟ ପାଣ୍ଡିତ୍ୟ ଓ ବିନୟ ଭାବ ପ୍ରତିଫଳିତ ହେଉଛି ବୋଲି ପ୍ରଫେସର ଶତପଥୀ କହିଥିଲେ।
କାର୍ଯ୍ୟକ୍ରମରେ ଆଇନଜୀବୀ ବୈଦ୍ୟନାଥ ନାୟକ ଅଧ୍ୟକ୍ଷତା କରିଥିଲାବେଳେ ସ୍ରଷ୍ଟା ରାଜେନ୍ଦ୍ର କୁମାର ପ୍ରଧାନ ଲେଖକୀୟ ଅଭିବ୍ୟକ୍ତି ଉପସ୍ଥାପନ କରିଥିଲେ। ଏହି ଅବସରରେ ବୋର୍ଡ ଅଫ୍ ରେଭିନ୍ୟୁ ବାର ଆସୋସିଏସନ୍ ସଂପାଦକ ଜ୍ଞାନେନ୍ଦ୍ର କୁମାର ପରିଡ଼ା, ସ୍ରଷ୍ଟା ଶ୍ରୀ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବୋର୍ଡ ଅଫ୍ ରେଭିନ୍ୟୁ ବାର ଆସୋସିଏସନ୍ ସଭାପତି ଦେବାଶିଷ ପାଣିଗ୍ରାହୀ ଧନ୍ୟବାଦ ଦେଇଥିବାବେଳେ ବହୁ ଆଇନଜୀବୀ ଉତ୍ସବରେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/book-r.jpg)