ଅଢ଼େଇ ହଜାର ବର୍ଷ ପରେ ବି ଗାନ୍ଧୀ ବିଚାର ବଞ୍ଚି ରହିବ

‘ଗାନ୍ଧୀ ବିଚାର: ଗାନ୍ଧୀଙ୍କ ଭାଷାରେ’ ପୁସ୍ତକମାଳା ଲୋକାର୍ପିତ
ଓଡ଼ିଆ ଭାଷାରେ ଏହି ପୁସ୍ତକମାଳା ଓଡ଼ିଆଙ୍କ ପାଇଁ ମାଇଲ୍‌ଖୁଣ୍ଟ

ଭୁବନେଶ୍ବର : ଗାନ୍ଧୀଜୀ ବୁଦ୍ଧଙ୍କ ଭଳି କରୁଣା, କ୍ଷମା, ଦୟା ଓ ପ୍ରଶାନ୍ତିର ପ୍ରତୀକ ଥିଲେ। ଯୀଶୁ ଖ୍ରୀଷ୍ଟଙ୍କ ଭଳି ଗାନ୍ଧୀ ମଧ୍ୟ ଭାରତର ସମସ୍ତ ପାପ ନିଜ ମୁଣ୍ଡକୁ ନେଇ ଶେଷରେ ଗୁଳିବିଦ୍ଧର ଶିକାର ହୋଇଥିଲେ। ଫରକ ଏତିକି ଯେ ଯୀଶୁଙ୍କୁ କ୍ରୁଶବିଦ୍ଧ କରିଥିବା ଆତତାୟୀମା‌ନେ ଅନୁତପ୍ତ ହୋଇଥିଲେ କିନ୍ତୁ ଗାନ୍ଧୀଜୀଙ୍କ ହତ୍ୟାକାରୀ ଅନୁତପ୍ତ ହେଲେ ନାହିଁ। ମାତ୍ର ପୃଥିବୀ ଯଦି ତିଷ୍ଠି ରୁହେ, ତେବେ ଅଢ଼େଇ ହଜାର ବର୍ଷ ପରେ ମଧ୍ୟ ଗାନ୍ଧୀ ବିଚାର ଦ୍ରୁତ ପ୍ରସାରିତ ବିଚାର ଭାବେ ପରିଗଣିତ ହେବ। ଏହା କହିଛନ୍ତି ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସୂଚନା କମିସନର ପଦ୍ମଶ୍ରୀ ପ୍ରଫେସର ରାଧାମୋହନ।

‘ସମ୍ବାଦ ଓ ଆମ ଓଡ଼ିଶା’ ପକ୍ଷରୁ ଗାନ୍ଧୀଜୀଙ୍କ ବିଚାରଧାରାକୁ ନେଇ ପ୍ରକାଶିତ ‘ଗାନ୍ଧୀ ବିଚାର: ଗାନ୍ଧୀଙ୍କ ଭାଷାରେ’ ପୁସ୍ତକମାଳାକୁ ଲୋକାର୍ପଣ କରି ସେ କହିଲେ, ଗାନ୍ଧୀଜୀଙ୍କ ଦୃଢ଼ ବିଶ୍ବାସ ଥିଲା ଆମ ପାଠପଢ଼ା ମାତୃଭାଷାରେ ହେବା ଦରକାର। ଯେପରି ରାମାୟଣ, ମହାଭାରତ ଓ ଶ୍ରୀମଦ ଭାଗବତ ଓଡ଼ିଆରେ ଲେଖା ହୋଇ ନ ଥିଲେ, ତାହାର ମର୍ମ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରି ନ ଥାଆନ୍ତା, ଠିକ୍‌ ସେହିଭଳି ଗାନ୍ଧୀଙ୍କ ବିଚାରକୁ ଯଦି ଏପରି ଭାବେ ସଂକଳିତ କରାଯାଇ ନ ଥାଆନ୍ତା, ତାହା ହୁଏତ ସାଧାରଣ ଲୋକଙ୍କ ନିକଟତର ହୋଇପାରି ନ ଥାଆନ୍ତା। ତେଣୁ ଏହା ଆମ ପାଇଁ ଏକ ମାଇଲ୍‌ ଖୁଣ୍ଟ।

ଆମ ଓଡ଼ିଶା ପରିସରରେ ଆୟୋଜିତ ବୌଦ୍ଧିକ ସମାବେଶରେ ଶୈଳଜ ରବିଙ୍କ ସଂକଳିତ ଗାନ୍ଧୀଙ୍କ ‘ଆଧ୍ୟାତ୍ମିକ ବିଚାର’ ଓ ‘ବିବିଧ ବିଚାର’, ନଟବର ଖୁଣ୍ଟିଆଙ୍କ ସଂକଳିତ ‘ଅର୍ଥନୈତିକ ବିଚାର’, ପାବକ କାନୁନ୍‌ଗୋଙ୍କ ‘ରାଜନୈତିକ ବିଚାର’, ପ୍ରହ୍ଲାଦ ସିଂହଙ୍କ ସଂକଳିତ ‘ସାମାଜିକ ବିଚାର’, ପ୍ରୀତୀଶ ଆଚାର୍ଯ୍ୟଙ୍କ ସଂକଳିତ ‘ସାଂସ୍କୃତିକ ବିଚାର’, ସଂଗ୍ରାମ ଜେନାଙ୍କ ସଂକଳିତ ‘ଓଡ଼ିଶା ବିଚାର’, ପଦ୍ମଚରଣ ନାୟକଙ୍କ ସଂକଳିତ ‘ବ୍ୟକ୍ତି ବିଚାର’, ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ବାରା ପୂର୍ବରୁ ଦୁଇ ଭାଗରେ ବାହାରିଥିବା ଲେଖାକୁ ନେଇ ପ୍ରସ୍ତୁତ ସଂକଳନ ‘ବିଶେଷ ବିଚାର’ ଓ ଗୌରାଙ୍ଗ ଚରଣ ଦାଶଙ୍କ ସଂକଳିତ ‘ଅହିଂସକ ଆୟୁଧ’କୁ ଅତିଥିମାନେ ଲୋକାର୍ପଣ କରିଥିଲେ।

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଗାନ୍ଧୀଜୀ କହିଥିଲେ, ମୁଁ ଯଦି ସହିଦ ନ ହେବି, ମତେ ‘ମହାତ୍ମା’ ଡାକିବନି। ସେ ସହିଦ ହେଲେ ଏବଂ ଗାନ୍ଧୀ ବି ମହାତ୍ମା ହେଲେ। ଶାନ୍ତି ଓ ଅହିଂସା ମାର୍ଗରେ ଗାନ୍ଧୀଜୀ ଭାରତରେ ଯେଉଁ ସ୍ବାଧୀନତା ଆନ୍ଦୋଳନ ଆରମ୍ଭ କଲେ, ତାହା ସବୁବେଳେ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ।

ବିଶିଷ୍ଟ ସ୍ତମ୍ଭକାର ଡ.ଭଗବାନ ପ୍ରକାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଗାନ୍ଧୀଙ୍କ ଚରିତ୍ର ଓ ଆଦର୍ଶ ଏତେ ବ୍ୟାପକ ଯେ ଆଉ ଜଣେ ଗାନ୍ଧୀ ଜନ୍ମ ନେଲେ ହିଁ ତାହା ବୁଝି ହେବ। ଗାନ୍ଧୀଙ୍କ ପ୍ରତିଟି ବାକ୍ୟ ଥିଲା ଆପ୍ତ ବାକ୍ୟ। ଏଥିସହ ଗାନ୍ଧୀଜୀଙ୍କୁ ‘ମହାତ୍ମା’ ଓ ‘ରାଷ୍ଟ୍ରପିତା’ ସମ୍ବୋଧନ ସମ୍ପର୍କରେ ଆଲୋକପାତ କରି କହିଲେ, ଗାନ୍ଧୀଜୀ ଦକ୍ଷିଣଆଫ୍ରିକାରୁ ଆସିବା ପରେ ତାଙ୍କୁ ଏକ ସ୍କୁଲ୍‌ରେ ସମ୍ବର୍ଧନା ପ୍ରଦାନ ଅବସରରେ ଏବଂ ଶାନ୍ତି ନିକେତନର ଏକ ସଭାରେ ରବୀନ୍ଦ୍ରନାଥ ଟାଗୋର ତାଙ୍କୁ ‘ମହାତ୍ମା’ ବୋଲି ଉଚ୍ଚାରଣ କରିଥିଲେ। ସେହିଭଳି ନେତାଜୀ ସୁଭାଷ ବୋଷ ଓ ‌ଜବାହାରଲାଲ ନେହରୁ ତାଙ୍କୁ ‘ରାଷ୍ଟ୍ରପିତା’ ନାମରେ ସମ୍ବୋଧନ କରିଥିଲେ। ଓଡ଼ିଆରେ ଗାନ୍ଧୀ ସାହିତ୍ୟର ଅଭାବ ଥିବା ବେଳେ ‘ସମ୍ବାଦ-ଆମ ଓଡ଼ିଶା’ ଏହାକୁ ୧୦ଟି ସଂକଳନରେ ପ୍ରସ୍ତୁତ କରି ସାମାଜିକ ଦାୟିତ୍ବବୋଧ କେମିତି ପାଳନ କରାଯାଏ, ତାହା ପ୍ରମାଣିତ କରିଛି ବୋଲି ସେ କହିଥିଲେ।

‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ, ଆଜି ଭାରତରେ ବିଚାର ସପକ୍ଷରେ ପରିବେଶ ହଜି ହଜି ଯାଉଛି। ତେଣୁ ଗାନ୍ଧୀ ବିଚାରକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇ ତା’ ସପକ୍ଷରେ ଏକ ବାତାବରଣ ସୃଷ୍ଟି କରିବା ନିମନ୍ତେ ଏହା ଏକ ଛୋଟିଆ ଉଦ୍ୟମ। ଅନ୍ୟ ବିଚାର ପ୍ରତି ସହିଷ୍ଣୁତାର ଅଭାବ ସାରା ଭାରତରେ ଦେଖାଦେଇଥିବା ବେଳେ ଗାନ୍ଧୀଜୀ ଏଭଳି ବ୍ୟକ୍ତିତ୍ବ ଥିଲେ ଯେ ଆଜକୁ ଦେଢ଼ଶହ ବର୍ଷ ତଳେ ମଧ୍ୟ ଗୋଟେ ଡାକରାରେ ପୂରା ଭାରତକୁ ଯୋଡ଼ି ପାରୁଥି‌ଲେ। ଏହି ପୁସ୍ତକମାଳା ସହଜ ଓ ସୁଲଭ ଭାବେ ଯେପରି ସ୍କୁଲ୍‌ ପିଲାଙ୍କ ପାଖେ ପହଞ୍ଚି ପାରିବ, ସେନେଇ ପ୍ରଚେଷ୍ଟା ହେବା ଉଚିତ ବୋଲି ସେ କହିଥିଲେ।

ପୁସ୍ତକ ସିରିଜ୍‌ର ସାଧାରଣ ସମ୍ପାଦକ ଶୈଳଜ ରବି ନିଜ ମତ ରଖି କହିଥି‌‌ଲେ, ଗାନ୍ଧୀଜୀ ପୁସ୍ତକ ରଚନା ଅପେକ୍ଷା ତତ୍ତ୍ବର ପ୍ରୟୋଗ ଓ ଆଚରଣ ଉପରେ ଅଧିକ ଗୁରୁତ୍ବ ଦେଉଥିଲେ। ଟଲଷ୍ଟୟ ଶରୀର ଶ୍ରମର ମହତ୍ତ୍ବ ବୁଝାଇବାକୁ ଯାଇ ‘କୋଦାଳର ମହତ୍ତ୍ବ’ ଶୀର୍ଷକ ଗୋଟିଏ ପୁସ୍ତକ ଲେଖିଥିଲେ। ମାତ୍ର ଯେତେବେଳେ ଆବିଷ୍କାର କଲେ ଯେ କୋଦାଳ ଅପେକ୍ଷା ତାଙ୍କର ସେହି ବହି ଅଧିକ ବିକ୍ରି ହେଲା, ସେ ଖୁବ୍‌ ଦୁଃଖିତ ହେଲେ। ତେଣୁ ଏହି ସିରିଜ ଅନ୍ତର୍ଭୁକ୍ତ ପୁସ୍ତକଗୁଡ଼ିକ ପାଠକମାନଙ୍କୁ ଗାନ୍ଧୀମାର୍ଗ ଅନୁସରଣ କରି କିଛି ସାମାଜିକ କର୍ମ କରିବାକୁ ପ୍ରେରିତ କରିବ ବୋଲି ସେ କହିଛନ୍ତି। ପୁସ୍ତକର ସଂକଳକମାନେ ମଧ୍ୟ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର ଅତିଥି ପରିଚୟ ଦେଇଥିବା ବେଳେ ‘ଆମ ଓଡ଼ିଶା’ ପ୍ରକାଶନ ସମ୍ପାଦକ ଅସିତ ମହାନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବାରଙ୍ଗ ବ୍ଲକ୍‌ ରତାଗଡ଼ ଲେଙ୍କା ସାହିର ନିବେଦିତା ନାରୀ କଲ୍ୟାଣ ସମିତି ସଭ୍ୟାମାନେ ନିମନ୍ତ୍ରିତ ଅତିଥିମାନଙ୍କୁ ଓଡ଼ିଆ ଘରର ପିଠା ପରଷିଥିଲେ।

ସମ୍ବନ୍ଧିତ ଖବର