ଭୁବନେଶ୍ବର : ଲୋକସେବା ଭବନର ୬୦ବର୍ଷ ପୂର୍ତି ଉପଲକ୍ଷେ ରଚିତ ପୁସ୍ତକ ‘ହ୍ବେୟାର ପିପୁଲ ମ୍ୟାଟର-ସିକ୍ସିଟି ଇୟର୍ସ ଅଫ୍‌ ଲୋକସେବା ଭବନ’ ଉନ୍ମୋଚିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁସ୍ତକର ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁସ୍ତକ ପ୍ରକାଶନ ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହିତ ଉତ୍ତର ପିଢ଼ି ପାଇଁ ଡକ୍ୟୁମେଣ୍ଟେସନ୍ ଉପରେ ଗୁରୁତ୍ବାରୋପ କରିଥିଲେ। ପୁସ୍ତକର ଉନ୍ମୋଚନ କାର୍ଯ୍ୟକ୍ରମରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍, ଓଏମ୍‌ସିର ପରିଚାଳନା ନିର୍ଦେଶକ ବଲୱନ୍ତ ସିଂ ଉପସ୍ଥିତ ଥିଲେ। ୧୯୫୯ ମସିହାରେ ଲୋକସେବା ଭବନ ଉଦ୍‌ଘାଟିତ ହୋଇଥିଲା।

Advertisment

publive-image

ପୁସ୍ତକରେ ଲୋକସେବା ଭବନରେ ଉପଲବ୍ଧ ହେଉଥିବା ସେବା ଓ ବ୍ୟବସ୍ଥାର ଫଟୋଚିତ୍ର, ସ୍ଥାପତ୍ୟ, ବଗିଚା, ଇତିହାସ ପ୍ରଭୃତି ସ୍ଥାନ ପାଇଛି। ଏହି ପୁସ୍ତକ ଜରିଆରେ ଓଡ଼ିଶା ସହିତ ଭୁବନେଶ୍ବରର ଇତିହାସ ସଂପର୍କରେ ଲୋକମାନଙ୍କୁ ଅଧିକ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି। ପୁସ୍ତକର ଅନ୍ୟ ଉଲ୍ଲେଖନୀୟ ବିଶେଷତ୍ବ ହେଉଛି ଏଥିରେ ବ୍ୟବହୃତ କାଗଜ ପାଇଁ ପ୍ରାକୃତିକ ଜଙ୍ଗଲରେ ଯେପରି କୌଣସି କ୍ଷତି ନ ହେବ ତାହା ଉପରେ ଗୁରୁତ୍ବ ଦିଆଯାଇଛି। ଜର୍ମାନିସ୍ଥିତ ଫରେଷ୍ଟ ଷ୍ଟେୱାର୍ଡସିପ୍‌ କାଉନ୍‌ସିଲ ବା ଏଫ୍‌ଏସ୍‌ସି ପକ୍ଷରୁ ପୁସ୍ତକରେ ବ୍ୟବହୃତ କାଗଜର ସାର୍ଟିଫିକେସନ୍‌ କରିଛନ୍ତି। ଓଡ଼ିଶା ଖଣି ନିଗମ(ଓଏମ୍‌ସି)ର ସହାୟତାରେ ଭାରତୀୟ ପବ୍ଲିକ୍ ରିଲେସନ ସୋସାଇଟି(ପିଆରଏସ୍‌ଆଇ) ଦ୍ବାରା ଏହା ପ୍ରକାଶିତ ହୋଇଛି। ପିଆରଏସ୍‌ଆଇର ଅଧ୍ୟକ୍ଷ ଅମରଜ୍ୟୋତି ମହାପାତ୍ର ଏହାର ରଚନା କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଲୋକସଂପର୍କ ଅଧିକାରୀ ସୁକାନ୍ତ କୁମାର ପଣ୍ଡା ଏହାର ସଂପାଦନା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପିଆରଏସ୍‌ଆଇ ଭୁବନେଶ୍ବର ଚାପ୍ଟରର ସଂପାଦକ ସଂଜୟ କୁମାର ସାହୁ, କ୍ରିଏଟିଭ୍ ଡିଜାଇନର ଜ୍ୟୋତିରଂଜନ ସ୍ବାଇଁ ଓ ଫଟୋଗ୍ରାଫର ଆଶିଷ ଧୀର ଏଥିରେ ସାମିଲ ଅଛନ୍ତି।