ଭୁବନେଶ୍ୱର : ଦୁଇ ମାସ ପର୍ଯ୍ୟନ୍ତ ସ୍କୁଲ ଖୋଲିବ ନାହିଁ। ପିଲା ସ୍କୁଲ ଆସିବେ ନାହିଁ କି ପାଠପଢ଼ା ହେବନି। ଏଭଳି ସ୍ଥିତିରେ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ମାଗଣା ପାଠ୍ୟପୁସ୍ତକ କିଭଳି ପାଇବେ, ତାହାକୁ ନେଇ ସମସ୍ୟା ଦେଖାଦେଇଛି। ଛୁଟି ପୂର୍ବରୁ ପିଲାଙ୍କ ନିକଟରେ ବହି ପହଞ୍ଚିଥିଲେ, ସେମାନେ ପଢ଼ି ପାରିଥାନ୍ତେ। ତେବେ ବର୍ତ୍ତମାନ ସ୍ଥିତିରେ ସ୍କୁଲ ଖୋଲିବାକୁ ନ ଥିବାରୁ ପିଲାଙ୍କ ପାଖରେ ବହି ପହଞ୍ଚାଇବା ଉପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗୁରୁତ୍ବ ଦେଇଛି। ଲକ୍ଡାଉନ୍ ଖୋଲିବା କ୍ଷଣି ପିଲାଙ୍କ ଘରେ ବହି ପହଞ୍ଚାଇବା ନେଇ ବିଚାରବିମର୍ଶ କରାଯାଉଛି।
ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ୧୫ସୁଦ୍ଧା ରାଜ୍ୟର ସମସ୍ତ ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ, ମହାନଗର ନିଗମରେ ମାଗଣା ପାଠ୍ୟପୁସ୍ତକ ପହଞ୍ଚି ସାରିଛି। ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଗତବର୍ଷ ନଭେମ୍ବର ୨୨ରୁ ପାଠ୍ୟପୁସ୍ତକ ବିତରଣ ଆରମ୍ଭ ହୋଇଥିଲା। ଏହି ଶିକ୍ଷାବର୍ଷରେ ମୋଟ ୨ କୋଟି ୫୪ଲକ୍ଷ ୨୯ ହାଜର ୬୩ଟି ପୁସ୍ତକ ଆବଶ୍ୟକ ରହିଛି। ସେଥିମଧ୍ୟରୁ ୨ କୋଟି ୪୯ ଲକ୍ଷ ୫୪ ହଜାର ୧୨୭ଟି ପୁସ୍ତକ ମାଗଣାରେ ବିଭିନ୍ନ ସରକାରୀ ବିଦ୍ୟାଳୟରେ ବିତରଣ କରାଯିବାକୁ ଥିବା ବେଳେ ୬୦ ଲକ୍ଷ ୬ ହଜାର ୬୮୯ ପୁସ୍ତକ ବିକ୍ରୟ ପାଇଁ ପଠାଯିବ। ତେବେ ମାର୍ଚ୍ଚ ୧୫ ସୁଦ୍ଧା ୩୦ଟି ଜିଲ୍ଲାର ୪୨୫ କେନ୍ଦ୍ରକୁ ଆବଶ୍ୟକ ଅନୁଯାୟୀ ବହି ଦିଆଯାଇଛି। ୪୨୫ କେନ୍ଦ୍ରରୁ ସମସ୍ତ ବିଦ୍ୟାଳୟକୁ ବହି ପଠା ଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କ ଏହା ଦାୟିତ୍ୱରେ ରହିଥିବା ସୂଚନା ମିଳିଛି। ସେହିପରି ଛାତ୍ରଛାତ୍ରୀଙ୍କୁ ବିଭିନ୍ନପ୍ରକାର ସହାୟକ ପୁସ୍ତକ (ରିମେଡିଆଲସ୍ ବୁକ୍ସ) ମଧ୍ୟ କିଛି ପରିମାଣରେ ବିତରଣ ହୋଇଛି। ୩୦ ଜିଲ୍ଲାରେ ଉଜ୍ଜ୍ୱଳ ଓ ଉତ୍ଥାନ ପାଇଁ ୧ କୋଟି ୧୪ ଲକ୍ଷ ୨୬ ହଜାର ୯୭ଟି ବହି ଆବଶ୍ୟକ ଥିବା ବେଳେ ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ୨୦ ଲକ୍ଷ ୫୦ ହଜାର ୭୯୦ ପୁସ୍ତକ ବିତରଣ ହୋଇଥିଲା। ରାଜ୍ୟ ବାହାରକୁ ଯଥା ସୁରଟ, ପଶ୍ଚିମବଙ୍ଗ, ଛତିଶଗଡ଼, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଆଦି ରାଜ୍ୟକୁ ମଧ୍ୟ କିଛି ବହି ପଠା ସରିଥିବା ଜଣାପଡ଼ିଛି।ଛୁଟି ସମୟରେ ଏହି ବହିଗୁଡ଼ିକ କିଭଳି ପିଲା ପାଇପାରିବେ, ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆଭ୍ୟନ୍ତରୀଣ କମିଟି ପ୍ରାଥମିକ ଆଲୋଚନା କରିଛି। ସାମାଜିକ ଦୂରତ୍ୱ ରଖି ପିଲାଙ୍କ ଘରେ ବହି ପହଞ୍ଚାଇବାକୁ ଶିକ୍ଷକ ସଂଘଙ୍କ ସହ କଥାବାର୍ତ୍ତା ହେଉଛି। ଯଦି ସବୁ କିଛି ଠିକ୍ ଚାଲେ, ତେବେ ଲକ୍ଡାଉନ୍ ଉଠିବା କ୍ଷଣି ପିଲାଙ୍କ ଘରେ ବହି ପହଞ୍ଚାଯିବ। ଶିକ୍ଷକମନେ ସାମାଜିକ ଦୂରତ୍ୱ ରଖି ପିଲାଙ୍କ ଘରେ ବହି ପହଞ୍ଚାଇବେ। ଏହାଦ୍ୱାରା ଗ୍ରୀଷ୍ମକାଳୀନ ଛୁଟି ସମୟରେ ପିଲାମାନେ ବହି ପାଇବେ ଏବଂ ଘରେ ରହି ପଢ଼ିପାରିବେ।
ଅନ୍ୟପକ୍ଷରେ ଅଧା ରହିଥିବା ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା ମୂଲ୍ୟାୟନ ଓ ଯୁକ୍ତ୨ ପରୀକ୍ଷା ଶେଷ କରିବା ଉପରେ ବି ଗୁରୁତ୍ୱାରୋପ କରାଯାଇଛି। କରୋନା ସ୍ଥିତିରେ ସୁଧାର ଆସିବା କ୍ଷଣି ଯେପରି ପରୀକ୍ଷା ଓ ଖାତା ମୂଲ୍ୟାୟନ ହୋଇପାରିବ, ସେଥିପ୍ରତି ବି ବିଭାଗ ଗୁରୁତ୍ୱାରୋପ କରିଛି। ଆସନ୍ତା ଏପ୍ରିଲ ୩୦ରେ ଲକ୍ଡାଉନ୍ ଉଠିବା କ୍ଷଣି ଏନେଇ ବୈଠକ କରାଯାଇ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ। ତେବେ ବର୍ତ୍ତମାନ ସମୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ମାଧ୍ୟମିକ ଶିକ୍ଷା ପରିଷଦ ଓ ବିଭାଗୀୟ ଅଧିକାରୀଙ୍କ ସହ ନିୟମିତ ଭାବେ ଆଲୋଚନା ଜାରି ରହିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/book.jpg)