ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ ସଂକ୍ରମଣ ରୂପ ନେଲାଣି ଡିପ୍ଥେରିଆ। ରାୟଗଡ଼ା ପରେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ଏହି ରୋଗ ମାଡ଼ିଲାଣି। ବର୍ତ୍ତମାନ ସୁଦ୍ଧା ଏଥିରେ ୫ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ଡିପ୍ଥେରିଆ ବ୍ୟାପିବା ଓ ଏଥିରେ ଶିଶୁଙ୍କ ମୃତ୍ୟୁ ହେବା ପ୍ରଥମ ବୋଲି କୁହାଯାଉଛି। ଅପରପକ୍ଷରେ ଡିପ୍ଥେରିଆକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଆସନ୍ତାକାଲି ରାୟଗଡ଼ାର କାଶୀପୁର ମୁନୁଷପଦର ଅଞ୍ଚଳରେ ଶିଶୁମାନଙ୍କୁ ପେଣ୍ଟା ଡୋଜ୍ ଟିକା ଦିଆଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ମୃତ ୫ ଶିଶୁଙ୍କୁ ମିଶାଇ ପ୍ରାୟ ୨୦ଜଣ ଡିପ୍ଥେରିଆ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି। ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଓ ଆରଏମ୍ଆରସିକୁ ପଠାଯାଇଛି। କୋରାପୁଟ ବନ୍ଧୁଗାଁରୁ ଚିହ୍ନଟ ଆକ୍ରାନ୍ତଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତାଙ୍କୁ ଏମ୍କେସିଜିକୁ ଚିକିତ୍ସା ପାଇଁ ପଠାଯାଇଛି। ଏକ ସ୍ବତନ୍ତ୍ର ଟିମ୍ ଏହା ଉପରେ ନଜର ରଖିଛନ୍ତି। ରାୟଗଡ଼ାରେ ମାମଲା ସ୍ଥିର ରହିଛି। ସଂକ୍ରମଣର ମୁକାବିଲା ପାଇଁ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ), ଓଡ଼ିଶାର ଟିମ୍ ମିଳିତଭାବେ ଗାଁ ଗାଁ ବୁଲି ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଆଗ୍ରା ଓ ହାଇଦ୍ରାବାଦ୍ରୁ ଆଣ୍ଟି ଡିପ୍ଥେରିଆଲ ସିରିମ୍ ଅଣାଯାଇ ଆକ୍ରାନ୍ତଙ୍କୁ ଦିଆଯାଉଛି। ଏହାସହ ରାଜ୍ୟ ଔଷଧ ନିଗମ ଜରିଆରେ ଆହୁରି ସିରମ୍ ଆଣିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ଆଣ୍ଟିବାୟୋଟିକ୍ ଦ୍ବାରା ଏ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ। ଏହା ବାୟୁ ଦ୍ବାରା ସଂକ୍ରମିତ ହେଉଥିବାରୁ ସଂକ୍ରମଣ ରୋକିବା ଲାଗି ପ୍ରଭାବିତ ଅଞ୍ଚଳର ଲୋକମାନେ ମାସ୍କ ପିନ୍ଧିବା ଉଚିତ୍। ଏହାସହ ହାତ ଧୋଇବା ନିୟମ ପାଳନ କରିବାକୁ ଲୋକମାନଙ୍କୁ ସଚେତନ କରିବା ଲାଗି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଆକ୍ରାନ୍ତଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ରହିବା କାରଣରୁ ଡିପ୍ଥେରିଆ ବ୍ୟାପିଥାଇପାରେ ବୋଲି ଆଶଙ୍କା କରାଯାଉଛି। ତେଣୁ ଏହାର କାରଣ ଖୋଜିବା ଲାଗି ଆଣ୍ଟିବଡି ଟାଇଟର ଟେଷ୍ଟ(ଏଟିଟି) କରାଯିବ ବୋଲି ଡାକ୍ତର ମିଶ୍ର କହିଛନ୍ତି।
ଆଜିଠାରୁ ବୁଷ୍ଟର ଡୋଜ୍
ଆକ୍ରାନ୍ତଙ୍କ କରାଯିବ ଆଣ୍ଟିବଡି ଟାଇଟର ଟେଷ୍ଟ
ପ୍ରଭାବିତ ଅଞ୍ଚଳରେ ମାସ୍କ ପିନ୍ଧିବା ଲାଗି ପରାମର୍ଶ
ଅପରପକ୍ଷରେ ଡିପ୍ଥେରିଆ ସଂକ୍ରମଣ ବଢ଼ିବା ପରେ ଆସନ୍ତାକାଲି ରାୟଗଡ଼ାର କାଶୀପୁର ବ୍ଲକ୍ ମୁନୁଷପଦରରେ ଡିପ୍ଥେରିଆ ବୁଷ୍ଟର ଡୋଜ୍ ଟିକା ଦେବା ଲାଗି ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତା ସାହୁ କହିଛନ୍ତି ଯେ ବର୍ଷକରୁ କମ୍ ଶିଶୁଙ୍କୁ ପେଣ୍ଟା ଡୋଜ୍ ଦିଆଯିବ। ବୟସ୍କ ପିଲାଙ୍କୁ ଟିଡି(ଟିଟାନ୍ସ-ଡିପ୍ଥେରିଆ) ଡୋଜ୍ ଦିଆଯିବ। ସର୍ଭେଲାନ୍ସ ସରିବା ପରେ ସଂକ୍ରମଣ ହୋଇଥିବା ଅନ୍ୟ ଅଞ୍ଚଳରେ ବୁଷ୍ଟର ଡୋଜ୍ ଦିଆଯିବ। ଏବେ ନିର୍ଦ୍ଦେଶାବଳୀ ଅନୁସାରେ ସଂକ୍ରମଣ ଅଞ୍ଚଳରେ ସର୍ଭେଲାନ୍ସ ଚାଲିଛି। ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଆଣ୍ଟି ବାୟୋଟିକ୍ସ ଦିଆଯାଇଛି। ଆଗକୁ ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରିରେ ସର୍ଭେଲାନ୍ସ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ କେବଳ ଶିଶୁ ନୁହେଁ, ବୟସ୍କ ବ୍ୟକ୍ତିମାନେ ବି ଡିପ୍ଥେରିଆରେ ଆକ୍ରାନ୍ତ ହୋଇଥାନ୍ତି। ସେମାନଙ୍କଠାରେ ଶିଶୁମାନଙ୍କ ଭଳି କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥାଏ। ମାତ୍ର ସେମାନେ ଅନ୍ୟମାନଙ୍କୁ ସଂକ୍ରମିତ କରିପାରିବେ। ତେଣୁ ଏହି ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇ ଟିକା ପ୍ରଦାନ କରାଯିବ। ତେବେ ମୁନୁଷପଦରରେ କିଭଳି ଡିପ୍ଥେରିଆ ବ୍ୟାପିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଯେହେତୁ ପ୍ରଥମ ସଂକ୍ରମିତ ମୃତ ଶିଶୁଙ୍କୁ ହସ୍ପିଟାଲ ଅଣାଯାଇ ନ ଥିଲା, ତେଣୁ କେଉଁଠାରୁ ପ୍ରଥମେ ସଂକ୍ରମଣ ଆରମ୍ଭ ହେଲା ତାହା ଖୋଜିବା କଷ୍ଟକର ହୋଇପଡ଼ିଥିବା ଡାକ୍ତର ସାହୁ କହିଛନ୍ତି।