ଭୁବନେଶ୍ବର: ଓଡ଼ିଆଙ୍କ ଭିତରେ ଦୃଢ଼ ଆତ୍ମବିଶ୍ୱାସ ଅଛି। ପ୍ରବାସୀ ଓଡ଼ିଆମାନେ ଏହି ଆତ୍ମବିଶ୍ୱାସକୁ ବଢ଼ାଇ ଓଡ଼ିଶାକୁ ଆଗାମୀ ଦିନରେ ବଡ଼ କରିବାର ଦାୟିତ୍ୱ ନିଅନ୍ତୁ ବୋଲି ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୟୁଏଇ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆବୁଧାବି ଠାରେ ପ୍ରବାସୀ ଓଡ଼ିଆଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ଓଡ଼ିଆ ସମାଜ ଏକ ଜୀବନ୍ତ ସମାଜ। ଆମ ଓଡ଼ିଆଙ୍କ ପାଖରେ ବୈଶ୍ୱିକ ନେତୃତ୍ୱ ନେବାର ସବୁ ଗୁଣ ଅଛି। ଅତୀତରେ ଆମ ସମୃଦ୍ଧ ରାଜ୍ୟ ଓଡ଼ିଶା ନୌବାଣିଜ୍ୟ ଅର୍ଥନୀତି ରାଜ୍ୟ ଥିଲା। ଆମେ ପୂର୍ବରୁ ସମ୍ପନ୍ନ ଥିବା କାରଣରୁ ହଜାର ହଜାର ବର୍ଷ ପୂର୍ବରୁ କୋଣାର୍କ ଓ ଲିଙ୍ଗରାଜ ମନ୍ଦିର ଭଳି ବଡ଼ ବଡ଼ ମନ୍ଦିର ନିର୍ମାଣ କରିଥିଲେ। ଆମେ କଳିଙ୍ଗ ଯୁଦ୍ଧ ମାଧ୍ୟମରେ ସମ୍ରାଟ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିବା ପାଇଁ ବାଧ୍ୟ କରିଥିଲେ। ତିର୍ତ୍ତୋଲରେ ଥିବା ଓଡ଼ଙ୍ଗଗଡ଼ ଓଡ଼ିଶାର ପୁରାତନ ସଭ୍ୟତାର ପରିଚୟ ଦେଉଛି। ଆମର ରଘୁରାଜପୁରର ପଟ୍ଟଚିତ୍ର, ଇକତ୍ ନିଖୁଣ କାରିଗରୀର ପରିଚୟ ଦେଉଛି। ହଜାର ହଜାର ବର୍ଷ ତଳୁ ଓଡ଼ିଆ ଲୋକଙ୍କ ଦ୍ୱାରା ତିଆରି ହୋଇଥିବା ସୃଜନଶୀଳତା ଏବେ ବି ଲୋକଙ୍କ ମଧ୍ୟରେ ଉନ୍ମାଦନା ତିଆରି କରୁଛି। ଆଜି ନୂଆ ସଂସଦ ଭବନ, ଭାରତ ମଣ୍ଡପମରେ କୋଣାର୍କ ଚକ୍ର ଅଛି। ଜି-୨୦ରେ କୋଣାର୍କ ଚକ୍ର ତଳେ ବିଶ୍ୱର ନେତାମାନଙ୍କୁ ସ୍ୱାଗତ କରାଯାଉଛି। ଏହା ହିଁ ଆମ ଓଡ଼ିଶାର ଗୌରବ।

Advertisment

ସେହିପରି ୟୁଏଇରେ ରହୁଥିବା ଓଡ଼ିଆମାନେ ଅଭିଭାବକ ଭାବରେ ସେମାନଙ୍କ ପିଲାଙ୍କୁ ଓଡ଼ିଆରେ କଥାବାର୍ତ୍ତା କରିବା ପାଇଁ ସବୁବେଳେ ଶିକ୍ଷା ଦେବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଆମ ଓଡ଼ିଆ ଭାଷାର ସ୍ୱତନ୍ତ୍ର ପରିଚୟ ଅଛି। ସ୍ୱାଧୀନ ଭାରତ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଛି। ତେଣୁ ଆମେମାନେ ଓଡ଼ିଆତ୍ୱ ବଜାୟ ରଖିବା। ୨୦୩୬ରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ ହେଉଥିବା ବେଳେ ଓଡ଼ିଶାକୁ ଏକ ନମ୍ବର କରିବା ବୋଲି ସେ କହିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ଭାରତର ବଢୁଥିବା ଅର୍ଥନୀତି, ସ୍ୱଦେଶୀ ଭ୍ୟାକସିନ ପ୍ରସ୍ତୁତି, ଉର୍ଜା ବ୍ୟବହାର, ବଦଳୁଥିବା ଟେକ୍ନୋଲୋଜି, ୟୁପିଆଇ ପେମେଣ୍ଟ, ଦେଶବାସୀଙ୍କର ବଢୁଥିବା ଆକାଂକ୍ଷା ଉପରେ ମଧ୍ୟ ବର୍ଣ୍ଣନା କରିଥିଲେ।