ଭୁବନେଶ୍ବର : ଆଜି ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ବେଳେ ଘସିପୁରା ନିର୍ବାଚନମଣ୍ଡଳୀରେ ବିଭିନ୍ନ ବୁଥ୍ରେ ରିଗିଂ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦେଶନାମାକୁ ଖୋଲାଖୋଲି ଉଲ୍ଲଂଘନ କରି ଜୋରଜବରଦସ୍ତ ମତଦାନ କରାଯାଇଛି। ଏ ନେଇ ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ଅଭିଯୋଗ କରାଯିବା ସହିତ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ଆଜି ପିସିସି ଉପସଭାପତି ଯଜ୍ଞେଶ୍ୱର ବାବୁ, ଶିବାନନ୍ଦ ରାୟ ଓ ମୁଖପାତ୍ର ରଜନୀ କୁମାର ମହାନ୍ତି ସିଇଓଙ୍କୁ ଏକ ସ୍ମାରକପତ୍ର ଜରିଆରେ ଏହି ନିର୍ବାଚନରେ ସଂଘଟିତ ଘୋର ଅନିୟମିତତା ସଂପର୍କରେ ତାଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଘସିପୁରା ନିର୍ବାଚନ ମଣ୍ଡଳୀର ନାରଦା, ସାପୁଆସାହି, ଜିବିଗୋଡା, କୃଷ୍ଣପୁର, ଲହଗିରି, ପଡପଦନା, ସୁଆଁପଦ, ପାଟଣା, ରାଇତୋଳା, ରୁଦ୍ରନାରାୟଣପୁର ଓ ମାଛାଲୋ ଇତ୍ୟାଦି ବୁଥ୍ଗୁଡ଼ିକରେ ପୁନର୍ବାର ଭୋଟ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଛନ୍ତି।
ଏହି ସ୍ମାରକପତ୍ରରେ ଦର୍ଶାଯାଇଛି, ସିଇଓ ମୁକ୍ତ ଏବଂ ଅବାଧ ନିର୍ବାଚନ ପାଇଁ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ବିବୃତି ଦେଉଛନ୍ତି। ତେବେ ଅପରାଧପ୍ରବଣ ଏବଂ ଗଣ୍ଡଗୋଳର ଆଶଙ୍କା ରହିଥିବା ନିର୍ବାଚନ ମଣ୍ଡଳୀଗୁଡିକରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ପରିଚାଳନା ପାଇଁ ସେ ନିର୍ଦେଶନାମା ଜାରି କରିଥିଲେ। ଘସିପୁରା ଏକ ସ୍ପର୍ଶକାତର ନିର୍ବାଚନ ମଣ୍ଡଳୀ। ସିଇଓଙ୍କ ନିର୍ଦେଶ ଅନୁସାରେ ସଂପୃକ୍ତ ବୁଥ୍ଗୁଡିକରେ ସିସିଟିଭି ଲଗାଇବା ଜରୁରୀ। ସେହିପରି ବୁଥ୍ରୁ ୧୦୦ ମିଟର ପରିଧି ଭିତରେ ମତଦାତାମାନଙ୍କୁ କୌଣସି ପ୍ରକାର ପ୍ରଲୋଭିତ କରିବା ବା ମତଦାତାଙ୍କୁ ଭୟଭୀତ କରାଇବା ବିଧିସମ୍ମତ ନଥିଲା। ଏହା ସତ୍ତ୍ବେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କର କର୍ମୀମାନେ ବିଭିନ୍ନ ବୁଥ୍ ଭିତରେ ରହି ଭୋଟରମାନଙ୍କୁ ପ୍ରଭାବିତ କରି ଭୋଟ ଦେବା ପାଇଁ ଧମକାଇଥିବା ସେମାନେ ଅଭିଯୋଗ କରିଛନ୍ତି। କିନ୍ତୁ ସେଠାରେ ଥିବା ରିଟର୍ଣ୍ଣିଂ ଅଫିସର, ପୁଲିସ, ଜିଲ୍ଲା ପଦାଧିକାରୀ ନିର୍ବାଚନ କାର୍ଯ୍ୟକୁ ଚଳାଉଥିବା ଅଧିକାରୀବୃନ୍ଦ ସମସ୍ତେ ନୀରବ ରହିଛନ୍ତିି। ସବୁଠାରୁ ସାଂଘାତିକ କଥା ହେଉଛି, ବଡପଦନା ବୁଥ୍ରେ ସେହି ବ୍ଲକର ଚେୟାରମ୍ୟାନ୍ ନିଜେ ବୁଥ୍ ରିଗିଂ କରିଛନ୍ତି । ସେହିପରି ମାଛାଲୋ ବୁଥ୍ରେ ସିସିଟିଭିର ତାର ମଧ୍ୟ କଟାଯାଇଛି, ସିସିଟିଭି କାମ କରୁନାହିଁ ଏବଂ ତା’ ଭିତରେ ବିଜୁ ଜନତା ଦଳର କର୍ମୀମାନେ ରହି ଭୋଟରମାନଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଧମକାଇଛନ୍ତି। ଏ ସମସ୍ତ ଅଭିଯୋଗର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ସିଇଓ ପ୍ରତିଶ୍ରୁତି ଦେଇଥିବା ପିସିସି କର୍ମକର୍ତାମାନେ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/booth-1.jpg)