କୋଟିଆରୁ କିଛି ଶିଖିଲାନି ଓଡ଼ିଶା : ବୋରା ପାଇଁ ଉଦ୍ୟମ ନାହିଁ

କୋରାପୁଟ : ଓଡ଼ିଶା ଭିତରେ ରହିଛି କୋଟିଆ ପଞ୍ଚାୟତର ତଳ ଗଂଜେଇପଦର ଗ୍ରାମ। ଆନ୍ଧ୍ର ପଟୁ ଏହି ଗ୍ରାମକୁ ରାସ୍ତା ନାହିଁ। ତଥାପି ଓଡ଼ିଶା ଭିତରେ ପଶି ଆନ୍ଧ୍ର ସରକାର ଏହି ଅଂଚଳର ବିକାଶ ପାଇଁ କାମ କରୁଛନ୍ତି। ଦଳବଳ ଲଗାଇ କୋଟିଆର ବିବାଦୀୟ ଗାଁଗୁଡିକରେ ନିଜ ଯୋଜନା ବାଣ୍ଟୁଛନ୍ତି। କିନ୍ତୁ ନିଜ ଇଲାକା ହୋଇଥିବା ସତ୍ତ୍ୱେ ବୋରା ଗାଁକୁ ଯିବା ପାଇଁ ସାହସ ଜୁଟାଇ ପାରୁନି ଓଡ଼ିଶା ପ୍ରଶାସନ। ଏହି ଗାଁକୁ ଆନ୍ଧ୍ର ଦେଇ ରାସ୍ତା ଥିବାରୁ ଓଡ଼ିଶା ଡରିମରି ରହୁଛି। ବୋରା ଏବେ ଓଡ଼ିଶା ପାଇଁ ଅପହଞ୍ଚ ପାଲଟିଥିଲା ବେଳେ ଏହାକୁ ନିଜ ମାନଚିତ୍ରରେ ବସ୍ତୁତଃ ମିଶାଇ ସାରିଲାଣି ଆନ୍ଧ୍ର। ଏହା ଏବେ ଆନ୍ଧ୍ରର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ।

ସରକାରୀ ରେକର୍ଡରେ ଓଡ଼ିଶା ନନ୍ଦପୁର ବ୍ଲକ ଚାଟୁଆ ପଞ୍ଚାୟତରେ ବୋରା ଗ୍ରାମ ରହିଥିଲାବେଳେ ଏହାକୁ ସମ୍ପୂର୍ଣ୍ଣ ଭାବେ ଅକ୍ତିଆର କରି ସାରିଲାଣି ଆନ୍ଧ୍ର। ଓଡ଼ିଶା ପଟରୁ ଏହି ଗାଁକୁ ଯିବା ପାଇଁ ସୁବିଧା ନ ଥିବାରୁ ଆନ୍ଧ୍ର ଦେଇ ଯିବାକୁ ପଡିଥାଏ। ତେଣୁ ଓଡ଼ିଶା ଅଧିକାରୀଙ୍କ ପାଦ ଏହି ଗାଁରେ ପଡେ ନାହିଁଁ। ଏହାକୁ ମଉକା ଭାବେ ଗ୍ରହଣ କରି ବୋରା ଅଂଚଳକୁ ମାଡି ବସିଛି ଆନ୍ଧ୍ର। ଏହି ଗ୍ରାମରେ ଥିବା ଗୁମ୍ଫାକୁ ଏକ ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରି ପ୍ରଚୂର ଅର୍ଥ ରୋଜଗାର କରୁଛି। ଯେଉଁ ରାଜସ୍ୱ ଓଡ଼ିଶା ଆସିବା କଥା ତାହା ଏବେ ଆନ୍ଧ୍ର ପକେଟକୁ ଯାଉଛି।

ଏହି ଗାଁକୁ ନେଇ ଉଭୟ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଚାଲିଥିଲାବେଳେ ଏହି ବିବାଦକୁ ଗୁରୁତ୍ୱ ନ ଦେଇ ଆନ୍ଧ୍ର ସେଠାରେ ଉନ୍ନୟନମୂଳକ କାମ କରି ଚାଲିଛି। ଫଳରେ ବୋରା ବାସିନ୍ଦା ଏବେ ନିଜକୁ ଆନ୍ଧ୍ରର ବୋଲି ଗ୍ରହଣ କରି ସାରିଲେଣି। ଓଡ଼ିଶା ସରକାର ସେଠାରେ କେବଳ ନିର୍ବାଚନ ବେଳେ ଭୋଟ ଗ୍ରହଣ କରି ନିଜ କାମ ସାରି ଦେଉଛନ୍ତି।

ଆନ୍ଧ୍ର ଅଧିକାରୀ ଓଡ଼ିଶା ଭିତରେ ପଶି ବିବାଦୀୟ ଗାଁଗୁଡିକରେ ପହଞ୍ଚୁ ଥିଲାବେଳେ ଓଡ଼ିଶା ଅଧିକାରୀ ଆନ୍ଧ୍ର ଦେଇ ଯିବାକୁ ଭୟ କରୁଛନ୍ତି। ତେଣୁ ସମସ୍ତ ବିବାଦୀୟ ଅଂଚଳରେ ଆନ୍ଧ୍ରର ଦବ୍‌ଦବା ଅଧିକା ରହୁଛି। ପୁଣି ସେଠାକାର ସରକାର ବିଭିନ୍ନ ଲୋଭନୀୟ ଯୋଜନା କରି ଲୋକଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଲୋକମାନେ ଓଡ଼ିଶାକୁ ଭୁଲି ଆନ୍ଧ୍ରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏପଟେ ଘଟଣାକୁ ଗୁରୁତର ସହ ନେଉ ନାହାନ୍ତି ଓଡ଼ିଶା ସରକାର। ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଲୋକ ଦେଖାଣିଆ କିଛି କାମ କରୁଛନ୍ତି। ପରେ ପୁଣି ଏହି ବିବାଦୀୟ ଗାଁଗୁଡିକ ଭୁଲି ଯାଉଛନ୍ତି। କୋଟିଆ ହେଉ କି ବୋରା, ଏହି ଅଂଚଳର ବିକାଶ ପାଇଁ କୌଣସି ଦୀର୍ଘ ମିଆଦି ଯୋଜନା କରାଯାଇନି। ଓଡ଼ିଶାର ଏମିତି ଉଦାସୀନତା ପାଇଁ ଆନ୍ଧ୍ରର ଦାଦାଗିରି ବଢି ବଢି ଚାଲିଛି ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର