କଟକ: ଓଡ଼ିଶା ଉପକୂଳରେ କେତେ ବାଂଲାଦେଶୀ ଅନୁପ୍ରବେଶକାରୀ ଲୁଚି ରହିଛନ୍ତି, ଏ ସମ୍ପର୍କରେ ରାଜ୍ୟ ଗୁଇନ୍ଦା ବିଭାଗ ନିକଟରେ ତଥ୍ୟ ଅଛି କି ବୋଲି ପ୍ରଶ୍ନ ଉଠୁଛି। ଆଜକୁ ୨୧ ବର୍ଷ ତଳେ ରାଜ୍ୟରେ ବାଂଲାଦେଶୀଙ୍କ ସଂପର୍କରେ ସର୍ଭେ କରାଯାଇଥିଲା। ଏଥିରେ ୭ ହଜାର ୬୧୧ ଜଣଙ୍କୁ ଚିହ୍ନଟ କରାଯାଇଥିଲା। ଏହାପରେ ବିଧିବଦ୍ଧ ସର୍ଭେ ହୋଇ ନଥିବାରୁ ଏହି ସଂଖ୍ୟା ୫ ଲକ୍ଷରୁ ଅଧିକ ବୋଲି କୁହାଯାଉଛି। ତେବେ ରାଜ୍ୟ ସରକାର ଘର ଘର ସର୍ଭେ କଲେ ସଂଖ୍ୟାକୁ ନେଇ ସ୍ପଷ୍ଟ ଚିତ୍ର ସାମନାକୁ ଆସିବା ସହିତ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଅନୁପ୍ରବେଶକାରୀଙ୍କୁ ସୀମା ପାର୍ କରିବା ଦିଗରେ ପଦକ୍ଷେପ ନିଆଯାଇପାରିବ ବୋଲି ବରିଷ୍ଠ ପୁଲିସ ଅଧିକାରୀମାନେ ମତ ରଖୁଛନ୍ତି।
୨୦୦୩ରେ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ସର୍ଭେ କରାଯାଇଥିଲା। ଏଥିପାଇଁ ଗୁଇନ୍ଦା ବିଭାଗର ଅଧ୍ୟକ୍ଷତାରେ ଏକ ଯୁଗ୍ମ ଟିମ୍ ଗଠନ କରାଯାଇଥିଲା। ଏହି ଟିମରେ ରାଜସ୍ବ, ଜଙ୍ଗଲ ବିଭାଗ, ମତ୍ସ୍ୟ ସମ୍ପଦ ବିଭାଗ, ଜିଲ୍ଲା ପୁଲିସର ଅଧିକାରୀମାନେ ସାମିଲ ହୋଇଥିଲା। ସର୍ଭେରେ ମୋଟ ୭ ହଜାର ୬୧୧ ଜଣ ବାଂଲାଦେଶୀ ଚିହ୍ନଟ ହୋଇଥିଲେ। ଏହି ତାଲିକାରେ ବାଲେଶ୍ବରରେ ୪ ହଜାର ୬୫୦ ଜଣ, ଭଦ୍ରକରେ ୨୦୦, କେନ୍ଦ୍ରାପଡ଼ାରେ ୧ ହଜାର ୬୪୯, ଜଗତସିଂହପୁରରେ ୧ ହଜାର ୧୧୨ ଚିହ୍ନଟ ହୋଇଥିଲା। ଏହାପରେ ୨୧ବର୍ଷ ଭିତରେ ଅନେକ ଅନୁପ୍ରବେଶକାରୀ ଓଡ଼ିଶା ଭିତରକୁ ଆସିଛନ୍ତି। ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକରେ ସର୍ଭେ ପାଇଁ ଆଲୋଚନା କରାଯାଇଛି। କିନ୍ତୁ ଏ ଦିଗରେ ଗୁଇନ୍ଦା ବିଭାଗ ମାଧ୍ୟମରେ କେବେ ପଦକ୍ଷେପ ଗ୍ରହଣ କରାଯାଇନି।
ଓଡ଼ିଶାରେ ୫ ଲକ୍ଷରୁ ଅଧିକ ଅନୁପ୍ରବେଶକାରୀ!
ଗୁଇନ୍ଦା ବିଭାଗ ନିକଟରେ ତଥ୍ୟ ଅଛି ତ?
୨୦୦୩ରେ ଧରାପଡ଼ିଥିଲେ ୭୬୧୧
ପଶ୍ଚିମବଙ୍ଗ ବାସିନ୍ଦା ପରିଚୟରେ ଲୁଚିଛନ୍ତି
ଅନୁପ୍ରବେଶକାରୀମାନେ ଉପକୂଳ ଜିଲ୍ଲାରେ ବ୍ରାଉନ୍ସୁଗାର୍ କାରବାର, ଅପରାଧିକ କାର୍ଯ୍ୟକଳାପ, ଆତଙ୍କବାଦୀ ଗୋଷ୍ଠୀ ପାଇଁ ସ୍ଲିପର୍ ସେଲ୍ ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ ପୁଲିସ ଅଧିକାରୀମାନେ ସନ୍ଦେହ କରୁଛନ୍ତି। ଏମାନେ ପରିଚୟପତ୍ରରେ ନିଜର ଠିକଣା ଓ ଧର୍ମ ବଦଳାଉଥିବା କୁହାଯାଉଛି। ଅତୀତରେ ବାଲେଶ୍ବର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଚୋରି ମାମଲାରେ ସ୍ଲିପର୍ ସେଲ୍ଙ୍କ ଭୂମିକା ଚର୍ଚ୍ଚାକୁ ଆସିଥିଲା। ବାଂଲାଦେଶ ଓ ପଶ୍ଚିମବଙ୍ଗ ସୀମାରେ ଥିବା ଲାଲ୍ ଗୋଲା ଚେକ୍ଗେଟ୍ ରାସ୍ତାରେ ବ୍ରାଉନ୍ସୁଗାର୍ କଲିକତାକୁ ଆସୁଛି। ସେଠୁ ଜଳେଶ୍ବର ଦେଇ ସାରା ଓଡ଼ିଶାକୁ ଚାଲାଣ କରାଯାଉଛି। ଏମାନେ ମାଛ ପେଟରେ ଓ ପରିବାରେ ପୂରାଇ ଆଣୁଥିବା ଅବକାରୀ ବିଭାଗ ସୂତ୍ରରୁ ସୂଚନା ମିଳିଛି। ପୂର୍ବତନ ପୁଲିସ ଡିଜି ବିପିନବିହାରୀ ମିଶ୍ରଙ୍କ କହିବା ଅନୁଯାୟୀ, ବାଂଲାଦେଶରୁ ଓଡ଼ିଶା ଉପକୂଳକୁ ଆସିବା ବହୁତ ସହଜ। ଏମାନେ ବାଲେଶ୍ବର ଜିଲ୍ଲାର ଜଳେଶ୍ବର, ଭଦ୍ରକ ଜିଲ୍ଲାର ଚାନ୍ଦବାଲି, କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଓ ରାଜନଗର ବାଦ୍ କଟକ, ଭୁବନେଶ୍ବର, ପୁରୀ ଓ ରାଉରକେଲା ଆଡ଼କୁ ମଧ୍ୟ ମାଡ଼ିଗଲେଣି। ରାଉରକେଲାରେ ଅଧିକ ବାଂଲାଦେଶୀ ଅଛନ୍ତି। ବାଂଲାଦେଶୀମାନେ ଓଡ଼ିଶା ଉପକୂଳରେ ରହୁଥିବା ବେଳେ ସେମାନଙ୍କ ସହିତ ଅପରାଧୀ ଗୋଷ୍ଠୀ ମଧ୍ୟ ଚାଲିଆସି ଆଶ୍ରୟ ନେଉଛନ୍ତି। ଏମାନଙ୍କୁ ମୁଖ୍ୟତଃ ପାକିସ୍ତାନୀ ଆତଙ୍କବାଦୀ ବ୍ୟବହାର କରିଥାନ୍ତି। ଦକ୍ଷିଣ ଭାରତକୁ ବାଦ୍ ଦେଲେ ଅନ୍ୟ ସବୁ ଅଞ୍ଚଳକୁ ଏମାନେ ମାଡ଼ି ଗଲେଣି। ଓଡ଼ିଶା ସରକାର ଉପକୂଳରେ ପୃଥକ ଭାବେ ବାଂଲାଦେଶୀଙ୍କୁ ଯାଞ୍ଚ କଲେ ଏହାର ସତ୍ୟାସତ୍ୟ ସାମନାକୁ ଆସିପାରିବ। ଏମାନଙ୍କୁ ବଳପୂର୍ବକ ବାଂଲାଦେଶକୁ ଫେରାଇବା ଦିଗରେ ପଦକ୍ଷେପ ନେବା ଉଚିତ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।