ଉଗ୍ର ହେଉଛନ୍ତି ପଡ଼ୋଶୀ, ଅଶାନ୍ତିରେ ଦିନ କାଟୁଛନ୍ତି ସୀମାନ୍ତ ଲୋକ

ସମାଧାନ ପାଇଁ ରାଜନୈତିକ କି ପ୍ରଶାସନିକ ତତ୍ପରତା ନାହିଁ
ସୀମା ଗସ୍ତ ପାଇଁ ବିଧାନସଭା କମିଟିକୁ ସମୟ ହେଉନି

ଭୁବନେଶ୍ବର, (ଚୌଧୁରୀ ଅମିତାଭ ଦାସ): କୋଟିଆ ସମେତ ରାଜ୍ୟର ସବୁ ସୀମାରେ ବିବାଦର ସମାଧାନ ପାଇଁ ବିଧାନସଭାରେ ଏକ ଗୃହ କମିଟି ଗଠନ କରାଯାଇଛି। ୨୦୨୧ ଜାନୁଆରି ମାସରେ କମିଟିର ବୈଠକ ବସିଥିଲା। ସଦସ୍ୟମାନେ ସ୍ଥିର କରିଥିଲେ ଯେ ପ୍ରଥମେ କୋଟିଆ ଯିବେ ଓ ପରେ ପର୍ଯ୍ୟାୟକ୍ରମେ ସବୁ ସୀମାକୁ ଯିବେ। କିନ୍ତୁ ୯ ମାସ ହେଲା କମିଟି ଗୋଟିଏ ବି ସୀମାକୁ ଯାଇପାରିଲା ନାହିଁ।

ଗଜପତି ଜିଲ୍ଲାରେ ଆନ୍ଧ୍ର ମନ୍ତ୍ରୀ ଓ ଅଧିକାରୀ ଓଡ଼ିଶା ସୀମାରେ ଅଙ୍ଗନବାଡ଼ି କେନ୍ଦ୍ର ଭାଙ୍ଗିଲେ। ଓଡ଼ିଶା ଅଧିକାରୀ ଆସିଲେ ଗୁଳି ମାରିବାକୁ ପୁଲିସ୍‌କୁ ନି‌ର୍ଦ୍ଦେଶ ଦେବା ପରି ଆସ୍ପର୍ଦ୍ଧା ବି କଲେ। ସେହି ସମୟରେ ମୁଖ୍ୟ ଶାସନ ସଚିବ ଗଜପତି ଜିଲ୍ଲା ଗସ୍ତରେ ଯାଇଥିଲେ। କିନ୍ତୁ ସୀମାନ୍ତର ସେହି ଅଞ୍ଚଳକୁ ଯିବାକୁ ସେ ଉଚିତ ମନେ କଲେ ନାହିଁ। ବିବାଦ ସମ୍ପର୍କରେ ପାଟି ଫିଟାଇଲେ ନାହିଁ। ହୁଏତ ମୁଖ୍ୟ ଶାସନ ସଚିବ ଯାଇଥିଲେ ସୀମାନ୍ତବାସୀଙ୍କ ମନୋବଳ ଓ ଓଡ଼ିଶା ପ୍ରଶାସନ ଉପରେ ବିଶ୍ବାସ ବଢ଼ିଥା’ନ୍ତା।

ଗତ ଅଗଷ୍ଟ ୩୧ ତାରିଖରେ କୋଟିଆ ମାମଲାର ବିଚାର କରି ସୁପ୍ରିମକୋର୍ଟ ରାଜନୈତିକ ସ୍ତରରେ ଦ୍ବିପାକ୍ଷିକ ଆଲୋଚନା କରି ସମାଧାନର ବାଟ ବାହାର କରିବା ପାଇଁ ଉଭୟ ରାଜ୍ୟକୁ କହିଥିଲେ। ୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହା ମଧ୍ୟରେ ୧୮ ଦିନ ବିତିଯାଇଥିଲେ ମଧ୍ୟ ଆଲୋଚନା ଆରମ୍ଭ ହୋଇପାରିଲା ନାହିଁ। ଆଲୋଚନା ପାଇଁ କୌଣସି ସ୍ତରରେ ଆଗ୍ରହ ବି ପ୍ରକାଶ ପାଉନି।

କୋରାପୁଟ ଓ ଗଜପତିରେ ଆନ୍ଧ୍ରର ଦାଦାଗିରି ବଢ଼ୁଥିଲା ବେଳେ ବାଲେଶ୍ବରର ଉଦୟପୁରରେ ଅନୁପ୍ରବେଶ କରି ପଶ୍ଚିମବଙ୍ଗ ଅଶାନ୍ତି ସୃଷ୍ଟି କରିଚାଲିଛି। ପଡ଼ୋଶୀ ରାଜ୍ୟ ଦିନକୁ ଦିନ ଅଧିକ ଉଗ୍ର ହେଉଥିଲା ବେଳେ ‌ସୀମାନ୍ତର ଲୋକମାନେ ଏକ ଅସ୍ବସ୍ତିକର ପରିବେଶରେ ଦିନ କାଟୁଛନ୍ତି। କିନ୍ତୁ ରାଜ୍ୟରେ ଉଭୟ ରାଜନୈତିକ ଓ ପ୍ରଶାସନିକ ସ୍ତରରେ ସୀମା ବିବାଦ ପ୍ରତି ଏମିତି ବେପରୱା ଆଭିମୁଖ୍ୟ ପରିସ୍ଥିତିକୁ ଅଧିକ ଜଟିଳ କରୁଛି। ପଡ଼ୋଶୀଙ୍କ ଦାଦାଗିରିର ମୁକାବିଲା ପାଇଁ ଓଡ଼ିଶା ସରକାର ଠୋସ୍‌ ରଣନୀତି ପ୍ରସ୍ତୁତ କରୁ ନ ଥିବାରୁ ସୀମାନ୍ତବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।

ଓଡ଼ିଶାର ୧୪ଟି ଜିଲ୍ଲା ପଡ଼ୋଶୀ ରାଜ୍ୟର ସୀମାକୁ ଲାଗିଛି। ଏହି ରାଜ୍ୟଗୁଡ଼ିକ ହେଲା ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ। ପଡ଼ୋଶୀ ରାଜ୍ୟ ସହ ଲାଗିଥିବା ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ବର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ। ଏହା ମଧ୍ୟରେ ୭ଟି ଜିଲ୍ଲାରେ ପଡ଼ୋଶୀ ରାଜ୍ୟ ସହ ସୀମା ବିବାଦ ଲାଗି ରହିଛି। ଏହାର ସମାଧାନ ପାଇଁ ବିଭିନ୍ନ ସମୟରେ ଆଲୋଚନା ଜାରି ରହିଛି ବୋଲି ଗତ ଫେବ୍ରୁଆରି ମାସରେ ସୀମା ବିବାଦ ନେଇ ବିଧାନସଭାରେ ହୋଇଥିବା ଏକ ଆଲୋଚନା ଅବସରରେ ରାଜସ୍ବ ମନ୍ତ୍ରୀ କହିଥିଲେ। କେବଳ ଚଳିତ ବର୍ଷ ନୁହେଁ, ଯେତେବେଳେ ବିଧାନସଭାରେ ସୀମା ବିବାଦ ଉପରେ ପ୍ରଶ୍ନ ଆସିଛି ସେତେବେଳେ ମନ୍ତ୍ରୀଙ୍କର ସମାନ ଉତ୍ତର ଦେଖିବାକୁ ମିଳେ। ପଡ଼ୋଶୀଙ୍କ ସହ ବିବାଦର ସମାଧାନ ପାଇଁ ଆଲୋଚନା ଚାଲିଛି ବୋଲି ମନ୍ତ୍ରୀ ଦର୍ଶାଇଥା’ନ୍ତି। କିନ୍ତୁ ସେହି ଆଲୋଚନା ପ୍ରକ୍ରିୟା କେବେ ସରୁ ନାହିଁ କି ସୀମାନ୍ତରେ ଶାନ୍ତି ଆସୁନି।

ସୀମା ବିବାଦ ନେଇ କୋର୍ଟରେ ଏକାଧିକ ମାମଲା ବିଚାରାଧୀନ ରହିଥିଲେ ବି କୌଣସି ମାମଲାର ରାୟ ପ୍ରକାଶ ପାଇନାହିଁ। ବର୍ଷ ବର୍ଷ ଧରି ମାମଲା ଗଡ଼ୁଛି। କେବଳ ସ୍ଥିତାବସ୍ଥା ହିଁ ଯାହା ଜାରି କରାଯାଇଛି। କିନ୍ତୁ ପଡ଼ୋଶୀ ରାଜ୍ୟ ବିଶେଷ କରି ଆନ୍ଧ୍ରପ୍ରଦେଶ ଏହି ସ୍ଥିତାବସ୍ଥାକୁ ମାନିବାକୁ ପ୍ରସ୍ତୁତ ନାହିଁ। ଓଡ଼ିଶା ସୀମା ଭିତରେ ସବୁବେଳେ ଆନ୍ଧ୍ରର ନେତା, ଅଫିସର ଉତ୍ପାତ କରି ଅଶାନ୍ତି ସୃଷ୍ଟି କରୁଛନ୍ତି। ଗଜପତି ଜିଲ୍ଲାର ମାଣିକପାଟଣାରେ ଆନ୍ଧ୍ରର ମନ୍ତ୍ରୀ ଆସି ଅଙ୍ଗନବାଡ଼ି କେନ୍ଦ୍ର ତାଲା ଭାଙ୍ଗିଲେ ଓ ଆନ୍ଧ୍ର ସରକାର ଜବରଦସ୍ତ ସେଠାରେ ପୁଲିସ ମୁତୟନ କଲେ। ଗତ ଫେବ୍ରୁଆରି ମାସରେ ବିଧାନସଭାରେ ରାଜସ୍ବ ମନ୍ତ୍ରୀ କହିଥିଲେ ଯେ ଗଜପତି ଜିଲ୍ଲାରେ ପଡ଼ୋଶୀ ଆନ୍ଧ୍ର ସହ ୧୬ଟି ଗ୍ରାମକୁ ନେଇ ଥିବା ବିବାଦ ଉଭୟ ପକ୍ଷଙ୍କ ସୀମା ଚିହ୍ନଟ ପରେ ଶେଷ ହୋଇଛି। କିନ୍ତୁ ମନ୍ତ୍ରୀଙ୍କ ଉତ୍ତରର ୬ ମାସ ପରେ ଗଜପତି ଜିଲ୍ଲାରେ ଆନ୍ଧ୍ର ମନ୍ତ୍ରୀଙ୍କ ଏପରି ଗୁଣ୍ଡାଗର୍ଦ୍ଦି ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟର କଥା ଅଙ୍ଗନବାଡ଼ି କେନ୍ଦ୍ର ତାଲା ଭାଙ୍ଗିବା ଅଭିଯୋଗରେ ସେହି ମନ୍ତ୍ରୀଙ୍କ ବିରୋଧରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏତଲା ଦିଆଯାଇ ନାହିଁ। ବର୍ତ୍ତମାନ କୋଟିଆ, ମାଣିକପାଟଣା ପରି ଗାଁରେ ଲୋକମାନେ ନିଜର ସ୍ଥିତି ଜାଣିପାରୁ ନାହାନ୍ତି। କେଉଁ ରାଜ୍ୟର ଜନ ପ୍ରତିନିଧି ଓ ଅଧିକାରୀଙ୍କୁ ମାନିବେ, ତାହାକୁ ନେଇ ସେମାନେ ଦ୍ବନ୍ଦ୍ବରେ।

ସୀମା ବିବାଦର ସମାଧାନ ପାଇଁ ରାଜ୍ୟ ସ୍ତରରେ ଯେତିକି ତତ୍ପରତା ପ୍ରକାଶ ପାଇବା କଥା ପାଉ ନାହିଁ। କୋରାପୁଟ, ଗଜପତି ହେଉ କି ବାଲେଶ୍ବର, ସବୁଠି କେବଳ ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଦାୟିତ୍ବ ଛାଡ଼ି ଦେଇ ସମସ୍ତେ ହାତ ଟେକି ଦେଇଛନ୍ତି। ରାଜସ୍ବ ବିଭାଗ ପକ୍ଷରୁ ମଧ୍ୟ ଏ ନେଇ ଯେତିକି ତନାଘନା ହେବା କଥା ହେଉ ନାହିଁ। ସବୁ ସୀମାରେ କିପରି ସ୍ଥିତି ନିୟନ୍ତ୍ରଣକୁ ଆସିବ ଓ ଅଯଥାରେ ଅଶାନ୍ତି ସୃଷ୍ଟି ହେବ ନାହିଁ, ସେ ଦିଗରେ ଆବଶ୍ୟକ ରଣନୀତି ବି ବିଭାଗ ପ୍ରସ୍ତୁତ କରୁନି। କେବଳ କୋର୍ଟକୁ ଭରସା କରି ଦିନ ଗଡ଼ାଇବା ହିଁ ସୀମା ବିବାଦ କ୍ଷେତ୍ରରେ ଏକମାତ୍ର ରଣନୀତି ପାଲଟିଛି।

ଆହୁରି ଚିନ୍ତାର ବିଷୟ ହେଲା ରାଜ୍ୟର ଜନପ୍ରତିନିଧିମାନଙ୍କର ବେପରୱା ଆଭିମୁଖ୍ୟ। କୋଟିଆରେ ଯେତେବେଳେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କଲା ସେତେବେଳେ ରାଜଧାନୀରେ ସବୁ ଦଳ ବେଶ୍ ତମ୍ବିତୋଫାନ କଲେ। ବିଧାନସଭାର ଗୃହ କମିଟି ବସି କୋଟିଆ ଯିବାକୁ ସ୍ଥିର ହେଲା। କିନ୍ତୁ ଗୋଟିଏ ବୈଠକ ପ‌ରେ ସୀମା କଥା ସମସ୍ତେ ଯେମିତି ଭୁଲିଯାଇଛନ୍ତି। କରୋନାର ଦ୍ବିତୀୟ ଲହର ପୂର୍ବରୁ ଯଥେଷ୍ଟ ସମୟ ଥିଲେ ମଧ୍ୟ ଏହାକୁ ଏକ ଜରୁରୀ କାମ ବୋଲି କେହି ଭାବିଲେ ନାହିଁ। ସେହିପରି ଦ୍ବିତୀୟ ଲହର ପରେ ରାଜ୍ୟତମାମ ରାଜନୈତିକ କାର୍ଯ୍ୟକ୍ରମ ଚାଲିଥିଲେ ବି ସୀମା କଥାକୁ ବିଧାୟକମାନେ ଭୁଲିଯାଇଛନ୍ତି। କୌଣସି ପ୍ରସଙ୍ଗରେ ବିଧାନସଭାରେ ଗୃହ କମିଟି ଗଠନ ହେଲେ ଲୋକଙ୍କ ମଧ୍ୟରେ ଏକ ବିଶ୍ବାସ ଓ ଭରସା ସୃଷ୍ଟି ହୁଏ। କିନ୍ତୁ ସେହି ବିଶ୍ବାସକୁ ବଜାୟ ରଖିବାର ନୈତିକ ଦାୟିତ୍ବକୁ ବିଧାୟକମାନେ ସମ୍ଭବତଃ ଭୁଲିଯାଇଛନ୍ତି। ସେହିପରି ରାଜନୈତିକ ଦଳଗୁଡ଼ିକ ପରସ୍ପରକୁ କାଦୁଅ ଫିଙ୍ଗୁଛନ୍ତି ସିନା, କିନ୍ତୁ ସମାଧାନର ଠୋସ୍ ବାଟ ବାହାର କରିବାକୁ କେହି ଆଗ୍ରହୀ ନାହାନ୍ତି। ବିଜେଡି ପକ୍ଷରୁ ଏ ଦିଗରେ କାମଚଳା ଢଙ୍ଗରେ ମନ୍ତବ୍ୟ ଦିଆଯାଉଛି। ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରାଯାଉଥିଲେ ବି କେନ୍ଦ୍ର ଗୃହ ମନ୍ତ୍ରଣାଳୟରେ ଫେରାଦ ହୋଇ ସମାଧାନର ବାଟ ବାହାର କରିବାକୁ ଉଦ୍ୟମ ହେଉ ନାହିଁ।

ସୀମାରେ ଏପରି ଅଶାନ୍ତ ପରିସ୍ଥିତି ଜାରି ରହିଲେ, ଆସାମ-ନାଗାଲାଣ୍ଡର ସୀମା ବିବାଦ ପରି ଦିନେ ଏହା ଭୟଙ୍କର ରୂପ ନେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପା‌ରେ। ତେଣୁ ଅନ୍ୟ ରାଜ୍ୟର ବିବାଦରୁ ଶିକ୍ଷା ଲାଭ କରି ଓଡ଼ିଶାରେ ସୀମା ବିବାଦର ସମାଧାନ ପାଇଁ ସବୁ ସ୍ତରରେ ତତ୍ପରତା ପ୍ରକାଶ ପାଇବାକୁ ସଚେତନ ନାଗରିକମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର