ନରମିଲେ ବି ଫଁ ଛାଡ଼ୁନି ଆନ୍ଧ୍ର; ମାଣିକପାଟଣାରୁ ଫୋର୍ସ ହଟାଇଲା, ୨ ପୁଲିସଙ୍କୁ ଛାଡ଼ିଗଲା

ଓଡ଼ିଶା ସରକାରୀ ଗାଡ଼ି ଉପରେ ନଜର
ଏବେବି ଚାଲିଛି ଆନ୍ଧ୍ରର ଅଙ୍ଗନବାଡ଼ି କେନ୍ଦ୍ର
ମଞ୍ଜୁଷା ପୁଲିସର ଟାର୍ଗେଟ୍‌ରେ ଆଦିବାସୀ ନେତା

ପାରଳାଖେମୁଣ୍ତି : ଗଜପତି ଜିଲ୍ଲାର ମାଣିକପାଟଣାରୁ ପୁଲିସ୍‌ ଫୋର୍ସ ହଟାଇ ଆନ୍ଧ୍ରପ୍ରଦେଶ ସରକାର ଅପେକ୍ଷାକୃତ ନରମ ମନୋଭାବ ପୋଷଣ କରିଛନ୍ତି। ତଥାପି, ନିଜର ଫଁ ଛାଡ଼ି ନାହାନ୍ତି। ସାଦା ପୋଷାକଧାରୀ ଦୁଇଜଣ ପୁଲିସ କର୍ମଚାରୀ ସେଠା‌ରେ ନିୟୋଜିତ କରିଛନ୍ତି। କେବଳ ସେତିକି ନୁହେଁ, ମଞ୍ଜୁଷା ମଣ୍ତଳର ଜଣେ ଅଧିକାରୀ ବର୍ତ୍ତମାନ ସ୍ବତନ୍ତ୍ର ଓ ସ୍ଥାୟୀ ଭାବେ ରାଜ୍ୟ ରାଜପଥରୁ ମାଣିକପାଟଣା ରାସ୍ତାରେ ନିୟୋଜିତ ଅଛନ୍ତି। ଓଡ଼ିଶାର ସରକାରୀ ଯାନବାହାନ ଓ ଅଧିକାରୀମାନଙ୍କ ଗତିବିଧି ଉପରେ ଟିକିନିଖି ନଜର ରଖୁଥିବା ଜଣାପଡ଼ିଛି।

ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାନ୍ତ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଗଙ୍ଗାବାଡ଼ ପଞ୍ଚାୟତରେ ରହିଛି ମାଣିକପାଟଣା ଗ୍ରାମ। ଗତ ୯ ତାରିଖ‌‌ ଦିନ ମାଣିକପାଟଣାରେ ସଦଳବଳେ ପଶି ପଡ଼ୋଶୀ ରାଜ୍ୟର ପଲାସା ବିଧାୟକ ତଥା ମନ୍ତ୍ରୀ ଏସ.ଆପ୍ପାଲାରାଜୁ ଦାଦାଗିରି କରିବା ସହିତ ଓଡ଼ିଶା ପ୍ରଶାସନ ବନ୍ଦ କରିଥିବା ଆନ୍ଧ୍ରର ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର ତାଲା ଭାଙ୍ଗି ଅଣ୍ଡା, ଛତୁଆ ବାଣ୍ଟିଥିଲେ। ଓଡ଼ିଶାର କୌଣସି ଅଧିକାରୀ ପୁନର୍ବାର ଆସି ତାଲା ପକାଇବାକୁ କିମ୍ବା ମୁଦିବା ପାଇଁ ପ୍ରୟାସ କଲେ ଗୁଳି କରିଦିଅ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ, ମାଣିକପାଟଣାକୁ ୨୪ ଘଣ୍ଟିଆ ପୁଲିସ୍‌ ନଜରରେ ରଖାଯାଇଥିଲା। ରବିବାର ଏ ସମ୍ପର୍କରେ ଖବର ପ୍ରକାଶ ପାଇବାପରେ ଚାରିଆଡ଼ୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଫଳରେ, ଦମ୍ଭ ଦେଖାଉଥିବା ଆନ୍ଧ୍ରର ମନ୍ତ୍ରୀ ଆପ୍ପାଲାରାଜୁ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିବା ପାଇଁ ବାଧ୍ୟ ହୋଇଛନ୍ତି। ଯାହାର ଝଲକ୍‌ ଆଜି ମାଣିକପାଟଣାରେ ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁସ‌ାରେ, ମାଣିକପାଟଣା ଗ୍ରାମରୁ ରବିବାର ଆନ୍ଧ୍ରପ୍ରଦେଶ ପୁଲିସ ଫୋର୍ସକୁ ହଟାଇ ଦିଆଯାଇଛି। ତେବେ, ସାଦା ପୋଷାକରେ ଦୁଇ ଆନ୍ଧ୍ର ପୁଲିସ କର୍ମଚାରୀ ସେଠାରେ ପଇଁତରା ମାରୁଛନ୍ତି। କେବଳ ସେତିକି ନୁହେଁ, ମଞ୍ଜୁଷା ମଣ୍ତଳର ଜଣେ ଅଧିକାରୀ ବର୍ତ୍ତମାନ ସ୍ବତନ୍ତ୍ର ଓ ସ୍ଥାୟୀ ଭାବେ ରାଜ୍ୟ ରାଜପଥରୁ ମାଣିକପାଟଣା ରାସ୍ତାରେ ନିୟୋଜିତ ଅଛନ୍ତି। ଆଉ ଓଡ଼ିଶାର ସରକାରୀ ଯାନବାହାନ ଓ ଅଧିକାରୀମାନଙ୍କ ଗତିବିଧି ଉପରେ ଟିକିନିଖି ନଜର ରଖାଯାଇଛି। ମଞ୍ଜୁଷା ଗ୍ରାମରୁ ମାଣିକପାଟଣାର ଦୂରତ୍ବ ହେଉଛି ୧୦ କିଲୋମିଟର। ଫଳରେ, ଓଡ଼ିଶା ଅଧିକାରୀଙ୍କ ଗସ୍ତ ନେଇ ଖବର ପାଇଲେ ତୁରନ୍ତ ପହଞ୍ଚିବା ପାଇଁ ମଣ୍ତଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ମାଣିକପାଟଣା ଉପରେ ମଞ୍ଜୁଷା ମଣ୍ଡଳ ଅଧିକାରୀଙ୍କ ନଜର ହଟି ନ ଥିବାବେଳେ ଆନ୍ଧ୍ରଦ୍ବାରା ନିର୍ମିତ ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର ଏବେ ବି ଚାଲିଛି। ଏଠାରେ ପିଲାଙ୍କୁ ଖାଦ୍ୟ ସାମଗ୍ରୀ ଦିଆଯିବା ସହ ପାଠପଢ଼ା ମଧ୍ୟ ଜାରି ରହିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ଆନ୍ଧ୍ରର ଦାଦାଗିରିକୁ ବିରୋଧ କରି ଆସୁଥିବା ପୂର୍ବତନ ସରପଞ୍ଚ ତଥା ଗଙ୍ଗାବାଡ଼ ପଞ୍ଚାୟତର ପ୍ରମୁଖ ଆଦିବାସୀ ନେତା ହରିବନ୍ଧୁ କାର୍ଜୀ ବର୍ତ୍ତମାନ ମଞ୍ଜୁଷା ପୁଲିସର ନଜରରେ ରହିଛନ୍ତି । ତାଙ୍କ ବିରୋଧରେ ଲକ୍ଷ୍ମୀ ଶବର ନାମ୍ନୀ ଜଣେ ଅଙ୍ଗନବାଡ଼ି କର୍ମୀ ମଞ୍ଜୁଷା ଥାନାରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି। ମିଥ୍ୟା ମାମଲାରେ ଫସାଇବା ପାଇଁ ହରିବନ୍ଧୁଙ୍କୁ ଏଭଳି ଟାର୍ଗେଟ କରାଯାଉଛି ବୋଲି ଗଙ୍ଗାବାଡ଼ ବାସିନ୍ଦା କହିଛନ୍ତି। ହେଲେ, ଗିରଫ ଭୟରେ ଗତ ଏକ ସପ୍ତାହ ହେଲା ହରିବନ୍ଧୁ ନିଜ ଗ୍ରାମକୁ ଫେରିପାରୁନାହାନ୍ତି।

ହରିବନ୍ଧୁ ଟେଲିଫୋନ୍‌ରେ ନିଜର ପ୍ରତିକ୍ରିୟା ରଖି ‘ସମ୍ବାଦ’କୁ କହିଛନ୍ତି, ‘ ଅନେକ ବର୍ଷ ହେଲା ସୀମାର ସୁରକ୍ଷା ଏବ˚ ଗଜପତି ଜିଲ୍ଲାର ସ୍ବାଭିମାନ ପାଇଁ ସ˚ଗ୍ରାମ ଜାରି ରହିଛି। ଗଙ୍ଗାବାଡ଼ ପଞ୍ଚାୟତକୁ ଆ‌ନ୍ଧ୍ରର ଅନୁପ୍ରବେଶକୁ ଦୃଢ଼ତାର ସହ ମୁଁ ପ୍ରତିବାଦ କରିଆସୁଛନ୍ତି। କିନ୍ତୁ ବର୍ତ୍ତମାନ ମିଥ୍ୟା ମାମଲାରେ ପୁଲିସ ତାଙ୍କୁ ଫସାଇ ଚାପ ସୃଷ୍ଟି କରୁଛି।’ ଏହି ଘଡ଼ିସନ୍ଧି ସମୟରେ ଗଜପତି ଜିଲ୍ଲା ପ୍ରଶାସନ ତାଙ୍କୁ ସୁରକ୍ଷା ଦେବ ବୋଲି ସେ ଆଶାବାଦୀ ଥିବା ହରିବନ୍ଧୁ କହିଛନ୍ତି।

ସୂଚନା ଥାଉକି, ଗଙ୍ଗାବାଡ଼ ପଞ୍ଚାୟତର ସୀମାନ୍ତ ୭ଟି ଗାଁକୁ ନିଜ ଦଖଲକୁ ନେବା ଲାଗି ଆନ୍ଧ୍ର ସରକାର ମସୁଧା କରୁଛନ୍ତି। ସୀମା ବିବାଦକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଦାବି ହୋଇଛି। ଏଥିସହିତ, ଆନ୍ଧ୍ର ମନ୍ତ୍ରୀଙ୍କ ଏଭଳି ଆଚରଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର