ସୀମା ବିବାଦର ସମାଧାନ ତୁରନ୍ତ କରାଯାଉ

ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌କୁ ରୋକାଯାଉ: ମୋହନ
ଗୋଟିଏ ରାଜସ୍ବ ଆଇନ ପ୍ରଣୟନ କରାଯାଉ:ନରସିଂହ
ରାଜସ୍ବ ବିଭାଗରେ ବହୁ ସଂସ୍କାର ଆସିଛି: ଶାସକ ଦଳ
ରାଜସ୍ବ ବିଭାଗ ଖର୍ଚ୍ଚଦାବି ପାରିତ

ଭୁବନେଶ୍ବର : କୋଟିଆରେ ସୀମା ବିବାଦ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ସରକାର ଏହାକୁ ଗୁରୁତ୍ବ ନ ଦେବା ଲଜ୍ଜାର ବିଷୟ। ଏହି ସମସ୍ୟାର ତୁରନ୍ତ ସମାଧାନ କରାଯାଉ। ନଚେତ କୋଟିଆ ଆମ ହାତରୁ ଖସିଯିବ। ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ବିରୋଧୀ ଦଳ ପକ୍ଷରୁ ଏହି ଦାବି କରାଯାଇଛି।

ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, କୋଟିଆ ଏବେ ଓଡ଼ିଶାରେ ଥାଇ ନ ଥିଲା ପରି। ସରକାରୀ ଅବହେଳାର ଆଉ ଏକ ନାମ ପାଲଟିଛି କୋଟିଆ। ଆନ୍ଧ୍ରର ଜିଲ୍ଲାପାଳ ସେଠାରେ ଆସି ଲୋକଙ୍କୁ ପ୍ରଲୋଭିତ କରୁଥିଲା ବେଳ ଆମେ ଜଳକା ହୋଇ ଚାହିଁଛୁ। ସୁପ୍ରିମକୋର୍ଟରେ ମାମଲା କରି ଆମେ ହାତ ଟେକିଦେଇଛୁ। ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟ କାରବାରେ ମେଗା ସ୍କାମ୍ ହୋଇଛି। ଏହାକୁ ରୋକିବା ପାଇଁ ସରକାରୀ ସ୍ତରରେ ଦୃଢ଼ ପଦ‌କ୍ଷେପ ନିଆଯାଉନି। କେଉଁ ଉତ୍ସରୁ କେତେ ଲଘୁ ଖଣିଜ ଦ୍ରବ୍ୟ ଉତ୍ତୋଳନ ହେଉଛି ଓ କେତେ ପରିବହନ ହେଉଛି, ତାହାର ହିସାବ କାହା ପାଖରେ ନାହିଁ। ସରକାରୀ କାମରେ ବେଆଇନ୍ ଖଣିଜ ଦ୍ରବ୍ୟର ବ୍ୟବହାର ହେଉଛି। ରାଜସ୍ବ ମନ୍ତ୍ରୀ ଯାଜପୁର ଜିଲ୍ଲାରୁ ଆସିଛନ୍ତି। ସେହି ଜିଲ୍ଲାରେ ଲଘୁ ଖଣିଜ ଦ୍ରବ୍ୟ ଅଧିକ ଲୁଟ୍ ହେଉଛି। ସଂଗଠିତ ଉପାୟରେ ଏହି ଲୁଟ୍ ବର୍ଷ ବର୍ଷ ଧରି ଚାଲିଛି। ରାଜସ୍ବ ମନ୍ତ୍ରୀ ଏହାକୁ ରୋକିବା ପାଇଁ ଏକ ଚ୍ୟାଲେଞ୍ଜ୍ ଭାବେ ନେବାକୁ ଶ୍ରୀ ମାଝୀ ଆହ୍ବାନ ଦେଇଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ଗତ କିଛି ବର୍ଷ ହେଲା ରାଜସ୍ବ ବିଭାଗର ସ୍ଥିତି କ’ଣ ଜଣାପଡ଼ୁନି। ଗୋଟିଏ ରାଜ୍ୟରେ ଗୋଟିଏ ରାଜସ୍ବ ଆଇନ ଏ ଯାଏ ହୋଇପାରିଲା ନାହିଁ। ଓଡ଼ିଶାରେ କେତେ ରାଜସ୍ବ ଆଇନ ଅଛି, ତାହା ରାଜସ୍ବ ବିଭାଗର ଅଧିକାରୀମାନେ ବି ଜାଣି ନ ଥିବେ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ। ଏହି ବିଭାଗରେ ଅଧିକାରୀ ନାହାନ୍ତି। ବଲାଙ୍ଗୀରରେ ୮୪ ଆର୍ଆଇ ପଦବିରୁ ମାତ୍ର ୨ ଜଣ ଅଛନ୍ତି। କିଛି ବର୍ଷ ହେଲା ‘ଭୂମିହୀନ ଚା‌ଷୀ’ ଶବ୍ଦ ସରକାର ଓ ଶାସକ ଦଳ ସଭ୍ୟମାନଙ୍କ ପାଟିରୁ ଶିୁଣିବାକୁ ମିଳିଛି। ଏହି ଶବ୍ଦଟି କେଉଁ ଆଇନରେ ଅଛି? ମନ୍ତ୍ରୀ ଏହାକୁ ଖୋଜି ଦେଖାଇପାରିବେ କି? ରାଜନୈତିକ ଉଦ୍ଦେଶ୍ୟରେ ଟଙ୍କା ବାଣ୍ଟିବା ପାଇଁ ଏହି ଶବ୍ଦ ବ୍ୟବହାର କରାଯାଉଛି। ଭାଗ ଚାଷ ବେଆଇନ ଥିଲେ ମଧ୍ୟ ଭାଗ ଚାଷୀଙ୍କୁ ସହାୟତା ଦିଆଯାଉଛି ବୋଲି ସରକାର କହୁଛନ୍ତି।

ବଲାଙ୍ଗୀର ରାଜ ପରିବାରକୁ ଇଙ୍ଗିତ କରି ୪ ହଜାର କୋଟି ଟଙ୍କାର ଜମି ସ୍କାମ୍ ହୋଇଛି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ। ସେ ସିଧାସଳଖ ଅନଙ୍ଗ ଉଦୟ ସିଂହଦେଓଙ୍କ ନାମ ନେଇ ନ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବନ୍ଧୁ ବୋଲି ବାରମ୍ବାର ଉଚ୍ଚାରଣ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଆର୍ ଏନ୍ ସିଂହଦେଓ ୭୦୦ ଏକର ଜମି ଥିବା ନେଇ ରିଟର୍ଣ୍ଣ ଦେଇଥିଲେ। ଏହି ପ୍ରସଙ୍ଗରେ ଲମ୍ବା ସମୟରେ ମାମଲା ଚାଲିଲା ପରେ ଜମିକୁ ଚାରିଟି ସିଲିଂ କରାଯାଇଛି। ସେହି ପରିବାରର ସଦସ୍ୟ ନ ଥିବା ବ୍ୟକ୍ତିଙ୍କ ନାମରେ ବି ଏକ ସିଲିଂ କରାଯାଇଛି। ଶ୍ରୀ ସିଂହଦେଓ ରିଟର୍ଣ୍ଣ ଫାଇଲ୍ କରିଥିବା ୭୦୦ ଏକର ଜମିରୁ ୯୦% ଚାଷ ଜମି ଥିଲା। କିନ୍ତୁ ବର୍ତ୍ତମାନ ତାହା ମଧ୍ୟରୁ ୪୦୦ ଏକର ଘରବାଡ଼ି ଦର୍ଶାଯାଇଛି। ସେହି ରିଟର୍ଣ୍ଣ ଫାଇଲ୍‌କୁ ଗାଏବ୍ କରିଦିଆଯାଇ ଆଇନକୁ ମୋଡ଼ି ଦିଆଯାଇଛି। ବର୍ତ୍ତମାନ ସେହି ଜମି ବିକ୍ରି ଚାଲିଛି। ପାଖାପାଖି ୪ ହଜାର କୋଟି ଟଙ୍କାର ସ୍କାମ୍ ଏଥିରେ ରହିଛି। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ରାଜସ୍ବ ବିଭାଗ କିଛି ପଦକ୍ଷେପ ନେଉନି। ସଂପୃକ୍ତ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ବନ୍ଧୁ ବୋଲି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ।

ମୁକେଶ ମହାଲିଙ୍ଗ କହିଥିଲେ, ରାଜସ୍ବ ବିଭାଗରେ କର୍ମଚାରୀ ସଙ୍କଟ ଦେଖାଦେଇଛି। ଫଳରେ ଲୋକମାନେ ହଇରାଣ ହେଉଛନ୍ତି। ରାଜ୍ୟରେ ଲ୍ୟାଣ୍ଡ୍ କମିସନ୍ ଗଠନ ପ୍ରକ୍ରିୟା କେତେ ବାଟ ଗଲା? ସୁରେଶ ରାଉତରାୟ ଜଟଣୀରେ ଲୋକଙ୍କ ସ୍ଥିତିବାନ ଜମିକୁ ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ଭୁଲ୍‌କ୍ରମେ ହୋଇଯାଇଥିବା ସମ୍ପର୍କରେ କହିଥିଲେ। ତାରା ବାହିନୀପତି କହିଥିଲେ, କୋଟିଆ ଏବେ ରାଜ୍ୟ ପାଇଁ ସମ୍ମାନର ପ୍ରଶ୍ନ। ଏହି ସମସ୍ୟାର ସମାଧାନ ପାଇଁ ଠୋସ୍ ପଦ‌କ୍ଷେପ ନିଆଯାଉ। ଆଦିବାସୀଙ୍କୁ ଜମିପଟ୍ଟା ପ୍ରଦାନ ପାଇଁ ସରକାର ବ୍ୟବସ୍ଥା କରିବାକୁ ସେ ଦାବି କରିଥିଲେ।

ଶାସକ ଦଳ ପକ୍ଷରୁ ରାଜସ୍ବ ବିଭାଗରେ ନିଆଯାଇଥିବା ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପକୁ ପ୍ରଶଂସା କରାଯାଇଥିଲା। ସଭ୍ୟ ଅମର ପ୍ରସାଦ ଶତପଥୀ କହିଲେ, କୋଟିଆର ବିକାଶ ପାଇଁ ସରକାର ବହୁ ପଦକ୍ଷେପ ନେଇଛନ୍ତି। ସରକାର ତାଙ୍କ ଦାୟିତ୍ବ ତୁଲାଉଛନ୍ତି। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଏବେ ରୋଲ୍ ମଡେଲ୍ ପାଲଟିଛି। ମୁଖ୍ୟମନ୍ତ୍ରୀ ସବୁବେଳେ ଜିରୋ କାଜୁଆଲିଟିକୁ ଗୁରୁତ୍ବ ଦେଉଛନ୍ତି। ସୁବାସ ବେହେରା ରାଜସ୍ବ ବିଭାଗର ଡିଜିଟାଇଜେସନ୍ ଯୋଗୁ ସାଧାରଣ ଲୋକ ଉପକୃତ ହେଉଛନ୍ତି ବୋଲି କହିଥିଲେ।

ଅନନ୍ତ ଦାସ, ରମେଶ ସାଏ, ବିଷ୍ଣୁ ସେଠୀ, ଲକ୍ଷ୍ମଣ ମୁଣ୍ଡା, ସୁବାସ ବେହେରା, ରମେଶ ବେହେରା, ସୁବାସ ପାଣିଗ୍ରାହୀ, ଭାସ୍କର ମଢ଼େଇ ଆଲୋଚନାରେ ଭାଗ ନେଇଥିଲେ।

ଆଲୋଚନାର ଉତ୍ତରରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ରାଜସ୍ବ ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ଲୋକାଭିମୁଖୀ ପଦେକ୍ଷପ ସମ୍ପର୍କରେ ଆଲୋକପାତ କରିଥିଲେ। ଏହା ପରେ ବିଭାଗର ୧୫୧୦ କୋଟି ୯୬ ଲକ୍ଷ ୯ ହଜାର ଟଙ୍କାର ଖର୍ଚ୍ଚଦାବି ପାରିତ ହୋଇଥିଲା।

ସମ୍ବନ୍ଧିତ ଖବର