ମାଓବାଦୀ ଆତଙ୍କ: ଓଡ଼ିଶା ସୀମାରେ ହାଇ ଆଲର୍ଟ

ପୁଲିସ ମୁଖ୍ୟାଳୟରେ ଡିଜିଙ୍କ ବୈଠକ

କଟକ/ଭୁବନେଶ୍ୱର : ଓଡ଼ିଶା ସୀମାନ୍ତରୁ ମାତ୍ର ୧୦ କିମି ଦୂର ଆନ୍ଧ୍ରପ୍ରଦେଶରେ ଦୁଇ ନେତାଙ୍କୁ ନକ୍ସଲଙ୍କ ହତ୍ୟା ଘଟଣା ପରେ ରାଜ୍ୟର ମାଓ ଉପଦ୍ରୁତ ଜିଲ୍ଲାରେ ହାଇଆଲର୍ଟ ଜାରି ହୋଇଛି। ଓଡ଼ିଶା ପୁଲିସ ଡିଜି ଆଜି ଆନ୍ଧ୍ର ଡିଜି ଏବଂ ଏଡିଜି(ଅପରେସନ୍‌)ଙ୍କ ସହିତ ମାଓ ଗତିବିଧି ସମ୍ପର୍କରେ ଆଲୋଚନା କରିଛନ୍ତି। ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜିଲ୍ଲାରେ ମିଳିତ କମ୍ବିଂ ଅପରେସନ୍‌ ଜୋର୍‌ଦାର ଆରମ୍ଭ ହୋଇଥିବା ବେଳେ ଗୁଇନ୍ଦା ବିଭାଗକୁ ଅଧିକ ସକ୍ରିୟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ନକ୍ସଲମାନେ ଓଡ଼ିଶାରେ ୨୦୧୧ରେ ବିଜେଡି ବିଧାୟକ ଜଗବନ୍ଧୁ ମାଝୀଙ୍କୁ ହତ୍ୟା ଏବଂ ୨୦୧୨ରେ ଝିନ୍ନ ହିକାକାଙ୍କ ଅପହରଣ କରିଥିବାରୁ ରାଜ୍ୟର ସମସ୍ତ ଲୋକ ପ୍ରତିନିଧିଙ୍କୁ ସେ ସମୟରେ ଗୃହ ବିଭାଗ ପକ୍ଷରୁ ଜାରି ଏସ୍‌ଓପି(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜିଓର) ଏବେ କଡ଼ାକଡ଼ି ଭାବରେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଡିଜି ଡାକ୍ତର ଆର.ପି. ଶର୍ମା।

ଆନ୍ଧ୍ର ପ୍ରଦେଶ ଆରକୁ ନିର୍ବାଚନମଣ୍ଡଳୀର ଟିଡିପି(ତେଲୁଗୁ ଦେଶମ୍‌ ପାର୍ଟି) ନେତା ତଥା ବିଧାୟକ କେଦାରି ସର୍ବେଶ୍ୱର ରାଓ ଏବଂ ପୂର୍ବତନ ବିଧାୟକ ଏସ୍‌. ସୋମାଙ୍କୁ ନକ୍ସଲ ଗୁଳି କରି ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତାଙ୍କ ଦୁଇ ଅଙ୍ଗରକ୍ଷୀଙ୍କୁ ଅପହରଣ ମଧ୍ୟ କରାଯାଇଛି। ମାଲ୍‌କାନଗିରି ସୀମାନ୍ତରୁ ମାତ୍ର ୧୦ କିମି ଦୂରରେ ଆନ୍ଧ୍ରପ୍ରଦେଶ ଆରକୁ ଅଞ୍ଚଳର ଡୁମ୍ବରିଗୁଡ଼ା ନିକଟସ୍ଥ ଜଙ୍ଗଲରେ ସଂଘବଦ୍ଧ ଭାବେ ମହିଳା ନକ୍ସଲ ଏଭଳି କାଣ୍ଡ ଭିଆଇବା ପରେ ଆଜି ଓଡ଼ିଶା ପୁଲିସ ବିଭାଗ ଅଧିକ ସତର୍କ ହୋଇ ଉଠିିଛି। ଓଡ଼ିଶାର ମାଓ ଉପଦ୍ରୁତ ଇଲାକା କୋରାପୁଟ, ମାଲ୍‌କାନଗିରି ଓ ରାୟଗଡ଼ାରେ ଥିବା ବିଏସ୍‌ଏଫ୍‌ ଓ ସିଆର୍‌ପିଏଫ୍‌ ଯବାନଙ୍କ କ୍ୟାମ୍ପଗୁଡ଼ିକ ଆଲର୍ଟ କରାଯାଇଛି। ସେମାନେ ମିଳିତ ଭାବେ ଆଜି କମ୍ବିଂ ଆପରେସନ୍‌ ଆରମ୍ଭ କରିଛନ୍ତି। ଏହି ତିନି ଜିଲ୍ଲା ବାଦ୍‌ ଅନ୍ୟ ପଡ଼ୋଶୀ ଜିଲ୍ଲାର ଏସପିଙ୍କୁ ମଧ୍ୟ ଆଲର୍ଟ କରାଯାଇଛି। ଓଡ଼ିଶାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଯାଞ୍ଚ କଡ଼ାକଡ଼ି ସହିତ ସୀମାରେ ଥିବା ଘଞ୍ଚ ଜଂଗଲରେ ଲୁଚିବାକୁ ଯୋଜନା କରୁଥିବା ନକ୍ସଲଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁଲିସ ଡିଜି ଡାକ୍ତର ଶର୍ମା ଆନ୍ଧ୍ର ପ୍ରଦେଶ ଡିଜି, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଏବଂ ଏଡିଜି(ଅପରେସନ୍‌)ଙ୍କ ସହିତ ଘନ ଘନ ଆଲୋଚନା କରୁଛନ୍ତି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ମାଓ ଗତିବିଧି ଏବଂ ଉଭୟ ରାଜ୍ୟର ଗୁଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଆଦାନପ୍ରଦାନ କରାଯାଇଛି। ପୂର୍ବରୁ ଝିନ୍ନ ହିକାକାଙ୍କୁ ଅପହରଣ ବେଳେ ଏସ୍‌ଓପି ଜାରି କରାଯାଇଥିଲା। ଏହାକୁ ଓଡ଼ିଶାର ସମସ୍ତ ଲୋକପ୍ରତିନିଧି କଡ଼ାକଡ଼ି ଭାବେ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ସାଂସଦ କିମ୍ବା ବିଧାୟକ ଓଡ଼ିଶାର ମାଓ ଉପଦ୍ରୁତ ଜିଲ୍ଲାକୁ ଗସ୍ତ ପୂର୍ବରୁ ସମ୍ପୃକ୍ତ ଜିଲ୍ଲାର ଏସ୍‌ପିଙ୍କୁ ଆଗୁଆ ସୂଚନା ପ୍ରଦାନ କରିବା ପାଇଁ ସେମାନଙ୍କୁ ପିଏସ୍‌ଓ(ବ୍ୟକ୍ତିଗତ ଅଙ୍ଗରକ୍ଷୀ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ଆନ୍ଧ୍ରରେ ହତ୍ୟାକାଣ୍ଡ ପଛରେ ଆନ୍ଧ୍ର-ଓଡ଼ିଶା ବର୍ଡର ଜୋନାଲ କମିଟିର ସମ୍ପୃକ୍ତି ଥିବା ଉଭୟ ରାଜ୍ୟର ପୁଲିସ ବିଭାଗ ସନ୍ଦେହ କରୁଛି। ହତ୍ୟାକାଣ୍ଡ ପଛରେ ଏହି କମିଟିର ସମ୍ପାଦକ ଟପ୍‌ ମାଓ ନେତା ରାମକ୍ରିଷ୍ଣା ନେତୃତ୍ୱ ନେଇଥିବା କୁହାଯାଉଛି।

ଓଡ଼ିଶାରେ ଲୋକ ପ୍ରତିନିଧିଙ୍କୁ ଦୁଇଥର ମାଓବାଦୀ ଟାର୍ଗେଟ କରି ସଫଳ ହୋଇଥିଲେ। ୨୦୧୧ ସେପ୍ଟେମ୍ବର ୨୪ ତାରିଖରେ ନବରଙ୍ଗପୁର ଜିଲ୍ଲା ଉମରକୋଟର ବିଜେଡି ବିଧାୟକ ଜଗବନ୍ଧୁ ମାଝୀ ନିଜ ନିର୍ବାଚନମଣ୍ଡଳୀରେ ଜମି ପଟ୍ଟା ବାଣ୍ଟିବାକୁ ତାଙ୍କ ପିଏସ୍‌ଓ ପି.କେ. ପାତ୍ରଙ୍କ ସହିତ ଯାଇଥିଲେ। ଏହି ସମୟରେ ସଂଘବଦ୍ଧ ମାଓବାଦୀ ଉଭୟଙ୍କୁ ଗୁଳି ମାରି ହତ୍ୟା କରିଥିଲେ। ସେହିପରି ୨୦୧୨ ମାର୍ଚ୍ଚ ୨୪ ତାରିଖ ଲକ୍ଷ୍ମୀପୁରର ବିଜେଡି ବିଧାୟକ ଝିନ୍ନ ହିକାକା କୋରାପୁଟ ସେମିଳିଗୁଡ଼ାରୁ ନିଜ ନିର୍ବାଚନ ମଣ୍ଡଳୀକୁ ଫେରୁଥିବା ସମୟରେ ଦିନ ପ୍ରାୟ ଗୋଟାଏ ବେଳେ ପ୍ରାୟ ୮୦ରୁ ଅଧିକ ମାଓବାଦୀ ତାଙ୍କୁ ଅପହରଣ କରିବା ଘଟଣା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

ଏଭଳି ସମ୍ବେଦନଶୀଳ ପ୍ରସଂଗରେ କଟକ ପୁଲିସ ମୁଖ୍ୟାଳୟରେ ଡିଜି ଶ୍ରୀ ଶର୍ମା କହିଛନ୍ତି ଯେ, ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁଯାୟୀ, ପାଖାପାଖି ୩୫ ଜଣ ଅସ୍ତ୍ରଶସ୍ତ୍ରଧାରୀ ନକ୍ସଲ ଦୁଇ ନେତାଙ୍କୁ ହତ୍ୟା କରିଛନ୍ତି। ମାଲ୍‌କାନଗିରି ସୀମାରୁ ମାତ୍ର ୧୦ କିମି ଦୂରରେ ଏ ପ୍ରକାର କାଣ୍ଡ ନକ୍ସଲମାନେ ଘଟାଇଥିବାରୁ ସୀମାନ୍ତ ଅଞ୍ଚଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଉପରେ କଡ଼ା ନଜର ରଖାଯାଇଛି। ପୁଲିସ କ୍ୟାମ୍ପଗୁଡ଼ିକୁ ଆଲର୍ଟ କରିଦିଆଯାଇଛି। ଆନ୍ଧ୍ର ପ୍ରଦେଶର ଗ୍ରେହାଉଣ୍ଡର ଅଫିସରଙ୍କ ସହିତ ଯୋଗାଯୋଗ ରଖାଯାଇଛି। ଗ୍ରେହାଉଣ୍ଡ ସହିତ ଓଡ଼ିଶା ପୁଲିସ ପକ୍ଷରୁ ଜଏଣ୍ଟ ଅପରେସନ୍‌ କରାଯାଉଛି।

ସମ୍ବନ୍ଧିତ ଖବର