ସୀମାନ୍ତ‌ରେ ଶିକ୍ଷା ବିଭ୍ରାଟ : ଗଞ୍ଜାମର ୪୧ ସ୍କୁଲ ବନ୍ଦ

‘ସମ୍ବାଦ’ ଗ୍ରାଉଣ୍ଡ ଜିରୋ : ଆନ୍ଧ୍ର ସ୍କୁଲ ଉପସ୍ଥାନ ବଢୁଛି, ଓଡ଼ିଆ ଲୋକଙ୍କ ପ୍ରଥମ ପସନ୍ଦ ଆନ୍ଧ୍ର ସ୍କୁଲ୍‌

ବ୍ରହ୍ମପୁର,(ପ୍ରଦୀପ ସାହୁ): ଆନ୍ଧ୍ରପ୍ରଦେଶ ସୀମାନ୍ତ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ରେ ଏବେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପ୍ରଥମ ପସନ୍ଦ ପାଲଟିଛି ଆନ୍ଧ୍ର ସ୍କୁଲ। ଗଞ୍ଜାମ ଜିଲ୍ଲାର ପିଲାମାନେ ଏବେ ଆନ୍ଧ୍ର ସ୍କୁଲ ମୁହାଁ। ଆନ୍ଧ୍ର ସ୍କୁଲରେ ପିଲା ଖଚାଖଚ୍‌, ସୀମାନ୍ତ ଗାଁ ଗୁଡ଼ିକରେ ପାତ୍ରପୁର ବ୍ଲକ୍‌ର ୨୦ରୁ କମ୍‌ ଥିବା ୪୧ ସ୍କୁଲକୁ ଚଳିତବର୍ଷରୁ ବନ୍ଦ କରାଯାଇଛି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ରେ ‘ଗ୍ରାଉଣ୍ଡ ଜିରୋ’ରୁ ଏହିଭଳି ତଥ୍ୟ ସଂଗ୍ରହ କରିଛି ‘ସମ୍ବାଦ’।

ତଥ୍ୟ ଅନୁସାରେ, ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ର ୮ଟି ପଞ୍ଚାୟତର ୩୪ଟି ଗାଁ ଆନ୍ଧ୍ର ସୀମାନ୍ତରେ ରହିଛି। ପାତ୍ରପୁର ବ୍ଲକ୍‌ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ୧୪୨ଟି ସ୍କୁଲ ରହିଛି। ୨୦ଟି ବହୁଭାଷୀ(ଓଡ଼ିଆ ଓ ତେଲୁଗୁ) ବିଦ୍ୟାଳୟ ଅଛି। ପାତ୍ରପୁର ଅଞ୍ଚଳରେ ତେଲୁଗୁ ଭାଷାଭାଷୀ ପରିବାର ବହୁ ସଂଖ୍ୟାରେ ରହୁଛନ୍ତି। ସେମାନେ ପାତ୍ରପୁରରେ ରହୁଥିଲେ ହେଁ ଓଡ଼ିଆ ଜାଣନ୍ତି ନାହିଁ। ପ୍ରଥମତଃ ଆନ୍ଧ୍ରରେ ତେଲୁଗୁ ଛାତ୍ରଛାତ୍ରୀଙ୍କ ଲାଗି ସ୍ବତନ୍ତ୍ର ତେଲୁଗୁ ବିଦ୍ୟାଳୟ ନାହିଁ। ସମସ୍ତ ପାଠ୍ୟପୁସ୍ତକ ତେଲୁଗୁ ଭାଷାର ମିଳୁନାହିଁ। ପିଲାମାନେ ବହିକୁ ଜେରସ୍କ କରି କିମ୍ବା ମାଗିଯାଚି ପାଠ ପଢୁଛନ୍ତି। ଦ୍ବିତୀୟରେ କରୋନା ପ୍ରାଦୁର୍ଭାବ ଯୋଗୁଁ ମାର୍ଚ୍ଚ ୧୭ରୁ ଗଞ୍ଜାମରେ ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ସ୍କୁଲରେ ତାଲା ଝୁଲୁଛି, ଏଯାଏ ଖୋଲି ନାହିଁ। କେବେ ଖୋଲିବ କି ନାହିଁ ତାହା ଅନିଶ୍ଚିତ। ପିଲାମାନେ ଘରେ ରହି ରହି ବିରକ୍ତ ହେଲେଣି। ସ୍କୁଲ ଯିବାକୁ ପିଲାଙ୍କ ମଧ୍ୟରେ ଉତ୍ସୁକତା ଥିଲେ ହେଁ ଯାଇପାରୁ ନାହାନ୍ତି। ଅନ୍ୟପକ୍ଷରେ ଜାନୁଆରି ମାସରୁ ଆନ୍ଧ୍ରରେ ସମସ୍ତ ସ୍କୁଲ ଖୋଲି ସାରିଲାଣି।

ପାତ୍ରପୁର ବ୍ଲକ୍‌ ବି.ନୂଆଗାଁ ପଞ୍ଚାୟତର ଏକ ଗାଁ ଏ.ଶରଧାପୁର। ରାସ୍ତାର ଗୋଟିଏ ପାର୍ଶ୍ବରେ ଗଞ୍ଜାମର ଏହି ଗାଁ ରହିଥିବାବେଳେ ଅପର ପାର୍ଶ୍ବରେ ଆନ୍ଧ୍ରର ଜଗନ୍ନାଥପୁର ଗାଁ। ଏ.ଶରଧାପୁର ପ୍ରାଥମିକ ବିଦ୍ୟାଳୟରେ ତାଲା ଝୁଲୁଥିବାବେଳେ ଜଗନ୍ନାଥପୁର ସ୍କୁଲରେ ପିଲା ଭର୍ତ୍ତି, ପାଠପଢ଼ା ଚାଲିଥିଲା। ଶରଧାପୁର ପିଲାମାନେ ଜଗନ୍ନାଥପୁର ସ୍କୁଲରେ ପଢୁଛନ୍ତି। ସେହିପରି ବି.ଶରଧାପୁର ଓ ସି.ଶରଧାପୁର ଗାଁର ସ୍ଥିତି ସମାନ। ଏ.ଶରଧାପୁର ଠାରୁ ମାତ୍ର ୪କିମି ଦୂରରେ ରହିଛି ଆନ୍ଧ୍ରର କେ.ଶାସନମ୍‌ ଗାଁ। ଏହି ଗାଁରେ ରହିଛି ଆନ୍ଧ୍ରର ଜିଲ୍ଲା ପରିଷଦ ହାଇସ୍କୁଲ। ପାତ୍ରପୁର ଠାରୁ ଏହି ସ୍କୁଲର ଦୂରତା ମାତ୍ର ୬କିମି। ଆନ୍ଧ୍ରର ଏହି ସ୍କୁଲର ସ୍ଥିତି ପରଖିଲା ବେଳକୁ ଓଡ଼ିଶା ସ୍କୁଲ ତୁଳନାରେ ଏହି ସ୍କୁଲର ଶିକ୍ଷା ଭିତ୍ତିଭୂମି ବହୁ ଗୁଣରେ ଉନ୍ନତ। ଏହି ସ୍କୁଲରେ ଗଞ୍ଜାମର ୩୫୦ ଜଣ ପିଲା ପଢୁଛନ୍ତି। ପାତ୍ରପୁର ବ୍ଲକ୍‌ର କିଛି ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଏ ସମ୍ପର୍କରେ ‘ସମ୍ବାଦ’ ନିକଟରେ ନିଜର ମତାମତ ରଖିବା ସହ ଏକ ତୁଳନାତ୍ମକ ଚିତ୍ର ଦେଇଛନ୍ତି।

ସାମନ୍ତିଆପଲ୍ଲୀ ପଞ୍ଚାୟତ ଆମ୍ବଗାଁର ଏମ୍‌.କ୍ରିଷ୍ଣାଙ୍କ କହିବାନୁସାରେ, ତାଙ୍କ ଝିଅ କେ.ଶାସନ ଗାଁ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢୁଛନ୍ତି। ଓଡ଼ିଶାରେ ସ୍କୁଲ ନ ଖୋଲିବା ଫଳରେ ବାଧ୍ୟ ହୋଇ ଆନ୍ଧ୍ର ସ୍କୁଲରେ ନାମ ଲେଖାଇଥିବା ସେ ପ୍ରକାଶ କରିଛନ୍ତି। ଉକ୍ତ ସ୍କୁଲରେ ଭଲ ସୁବିଧା ମିଳୁଥିବା ସେ କହିଛନ୍ତି। ଆନ୍ଧ୍ର ଜିଲ୍ଲା ପରିଷଦ ହାଇସ୍କୁଲରେ ନବମ ଶ୍ରେଣୀରେ ପଢୁଥିବା ପାତ୍ରପୁର ବ୍ଲକ୍‌ ଜୟନ୍ତୀପୁର ଗ୍ରାମର ଏମ୍‌.କୁରେଶୁ କହିଛନ୍ତି, ଆମ ଅଞ୍ଚଳରେ ତେଲୁଗୁ ସ୍କୁଲ ନାହିଁ। ଦ୍ବିତୀୟରେ ଆନ୍ଧ୍ର ସ୍କୁଲରେ ବ୍ୟାଗ୍‌, ୟୁନିଫର୍ମ, ପାଠ୍ୟ ପୁସ୍ତକ, ନୋଟ୍‌ ବୁକ୍‌, ଜୋତା ଆଦି ସବୁ କିଛି ମାଗଣାରେ ମିଳୁଛି। ଭଲ ପାଠପଢା ହେଉଥିବାରୁ ଏଠାରେ ନାମ ଲେଖାଇଛି। ସେହିପରି ଆନ୍ଧ୍ର ସ୍କୁଲରେ ନବମ ଶ୍ରେଣୀରେ ପଢୁଥିବା ପାତ୍ରପୁର କେ.ଭେଙ୍କେଟେଶ୍‌ ଓ ଅଷ୍ଟମ ଶ୍ରେଣୀରେ ପଢୁଥିବା ସାମନ୍ତିଆପଲ୍ଲୀର ବି.ଲୋକେଶ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଥିଲେ।

ସମ୍ବନ୍ଧିତ ଖବର