କୋରାପୁଟ ସହ ଅନ୍ୟ ୬ଟି ଜିଲ୍ଲାରେ ସୀମାବିବାଦ ରହିଛି, ପଡ଼ୋଶୀ ରାଜ୍ୟର ସୀମା ଅତିକ୍ରମକୁ ବରଦାସ୍ତ କରାଯିବ ନାହିଁ : ରାଜସ୍ବ ମନ୍ତ୍ରୀ

ସୀମା ବିବାଦ ନେଇ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା

ଭୁବନେଶ୍ବର: ସୀମା ବିବାଦ ନେଇ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଯାଇଛି। ଏହି ଆଲୋଚନା ସମୟରେ ରାଜ୍ୟ ସରକାରଙ୍କୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଆକ୍ଷେପ କରି କହିଛନ୍ତି, କୋଟିଆ ସମେତ ସୀମାବର୍ତ୍ତୀ ଅଞ୍ଚଳରେ ମୌଳିକ ସୁବିଧା ସରକାର ପହଞ୍ଚାଇବାରେ ବିଫଳ ହୋଇଛନ୍ତି। ପିଇବା ପାଣି,ଘର, ସ୍କୁଲ ଓ ଡାକ୍ତର ଏସବୁର ଘୋର ଅଭାବ ରହିଛି । ଏପରି କି ବିଦ୍ୟୁତ ସେବା ବି ଦୁର୍ବଳ ରହିଛି। ସେପଟେ ଆନ୍ଦ୍ର ସରକାର ବିଭିନ୍ନ ସ୍କିମ୍ କରି ଲୋକଙ୍କୁ ସୁବିଧା ଯୋଗାଉଥିବାରୁ ଲୋକେ ଆନ୍ଧ୍ରା ଆଡକୁ ଢଳି ଯାଉଛନ୍ତି ।

ଗୃହରେ ମୁଲତବୀ ପ୍ରସ୍ତାବର ଜବାବ ରଖି ରାଜସ୍ବମନ୍ତ୍ରୀ ସୁଦାମ ର୍ମାଣ୍ଡି କହିଛନ୍ତି, ଓଡ଼ିଶାର ୧୪ଟି ଜିଲ୍ଲାର ସୀମାକୁ ପଡ଼ୋଶୀ ରାଜ୍ୟର ଜିଲ୍ଲାର ସୀମା ଲାଗି ରହିଛି। ବର୍ତ୍ତମାନ କୋରାପୁଟ ସହ ଅନ୍ୟ ୬ଟି ଜିଲ୍ଲାରେ ସୀମାବିବାଦ ରହିଛି। ଏହି ସବୁ ଜିଲ୍ଲା ମଧ୍ୟରେ ରହିଛି ବାଲେଶ୍ୱର, ମୟୁରଭଞ୍ଜ, ଗଞ୍ଜାମ, ଗଜପତି, କେନ୍ଦୁଝର ଓ ନୂଆପଡା।

ସେ କହିଛନ୍ତି, କୋଟିଆର ୨୧ଟି ପଞ୍ଚାୟତ ରାଜ୍ୟ ସରକାରଙ୍କ ଅଧୀନରେ ଅଛି। ପୂର୍ବରୁ କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ନିର୍ବାଚନ ନ କରି ପଞ୍ଚାୟତ ଅଧ୍ୟକ୍ଷ ଚୟନ କରୁଥିଲା। ଏବେ ଆନ୍ଧ୍ର ନିର୍ବାଚନ କରାଇଛି। ରାଜ୍ୟ ସରକାର ଏ କଥା ସୁପ୍ରିମକୋର୍ଟକୁ ଜଣାଇଛନ୍ତି। ଏହାକୁ ନେଇ ସୁପ୍ରିମକୋର୍ଟ ୪ ସପ୍ତାହ ସମୟ ମାଗିଛନ୍ତି। ଆନ୍ଧ୍ର ସରକାର କୋର୍ଟଙ୍କ ନିର୍ଦେଶକୁ ଅବମାନନା କରୁଥିବାରୁ ରାଜ୍ୟ ସରକାର ଅଦାଲତ ଅବମାନନା ଦାୟର କରିଛନ୍ତି। ରାଜ୍ୟ ସରକାର କୋଟିଆର ଉନ୍ନୟନମୂଳକ କାମ ଚଳାଇଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି।

ସେହିପରି ବାଲେଶ୍ଵର ଜିଲ୍ଲାର ସାହାବାଜପୁର, ବିଲାସପୁର, ଗୋପାଳପୁର, ମାଁକଡ଼ିଆ, କୁଅଁରପୁର, ତୋଟାପଡା ଓ ବେହେରାସାହି ଆଦି କିଛି ଗାଁର ପଶ୍ଚିମବଙ୍ଗ ସୀମା ସହିତ ବିବାଦ ଲାଗି ରହିଛି। ଓରସାକ ସହାୟତାରେ ଗ୍ରାଉଣ୍ଡ କଣ୍ଟ୍ରୋଲ ପଏଣ୍ଟ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି।  ମୟୁରଭଞ୍ଜ ଜିଲ୍ଲାର ୪ଟି ଗାଁର ସୀମାବିବାଦ ସମାଧାନ ପାଇଁ ପଦକ୍ଷେପ ନିଆଯାଇଛି। ଗଞ୍ଜାମ ଜିଲ୍ଲାରେ ଆନ୍ଧ୍ରପ୍ରଦେଶର ମଦନପୁର ଗ୍ରାମ ସହିତ ବିବାଦ ରହିଛି। ଗଜପତି ଜିଲ୍ଲା ସମେତ କେନ୍ଦୁଝର ଓ ନୂଆପଡ଼ା ଜିଲ୍ଲାରେ ବିବାଦର ସମାଧାନ ପାଇଁ ଉଦ୍ୟମ ହେଉଛି। କିନ୍ତୁ ପଡ଼ୋଶୀ ରାଜ୍ୟର ସୀମା ଅତିକ୍ରମକୁ ବରଦାସ୍ତ କରାଯିବ ନାହିଁ ବୋଲି ବୋଲି ବିବୃତିରେ କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ର୍ମାଣ୍ଡି।

ଏଥିସହିତ ସୀମା ବିବାଦ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ତାର ପ୍ରସାଦବାହିନୀପତି କହିଛନ୍ତି, ମୁଖ୍ୟମନ୍ତ୍ରୀ କି ରାଜସ୍ୱ ମନ୍ତ୍ରୀ ଥରୁଟିଏ ବି କୋଟିଆ ଯାଇ ନାହାନ୍ତି। ନଦୀ ଉପରେ ଆନ୍ଧ୍ର ଡ଼୍ୟାମ ନିର୍ମାଣ କରୁଥିବା ବେଳେ ପୋଲାଭରମ ପ୍ରକଳ୍ପ କରୁଛି। କେବଳ ଏତିକି ନୁହେଁ, ମହାନଦୀ ପାଣିକୁ ଛତିଶଗଡ଼ ଅଟକାଉଛି। ପଟାଙ୍ଗିରେ ୩ ବର୍ଷ ଧରି ତହସିଲଦାର ନ ଥିବା ବେଳେ  ଆନ୍ଧ୍ରପ୍ରଦେଶର ବେପାରୀମାନେ ଜମି ମାଡି ବସୁଛନ୍ତି। ଏସବୁ ଅସୁବିଧା ସ‌ତ୍ତ୍ବେ ସରକାର କ’ଣ କରୁଛନ୍ତି।  ନିର୍ବାଚନ ସମୟରେ ଓଡ଼ିଶା ପୁଲିସକୁ କାହିଁକି ନିୟୋଜିତ କରାଯାଇ ନାହିଁ।  ମୁଖ୍ୟମନ୍ତ୍ରୀ ମା ଓ ମାଟି କଥା କହୁଥିବା ବେଳେ କାହିଁକି ସରକାର ନିର୍ବାଚନକୁ ବିରୋଧ କରି ନାହାନ୍ତି। ଆଗାମୀ ଦିନରେ ରକ୍ତ ପାତ ହେବ। ମୁଖ୍ୟମନ୍ତ୍ରୀ କୋଟିଆରେ ସର୍ବଦଳୀୟ ବୈଠକ ଡାକନ୍ତୁ।

ସମ୍ବନ୍ଧିତ ଖବର