ନୂଆପଡ଼ା/ସିନାପାଲି : ପ୍ରଥମେ ପାଣି ତାପରେ ଜମି ଆଉ ଏଥର ରାସ୍ତାକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଉପୁଜିଲାଣି ବିବାଦ। ବର୍ତ୍ତମାନ ରାସ୍ତା ନିର୍ମାଣକୁ ଛତିଶଗଡ଼ ପ୍ରଶାସନ ବିରୋଧ କରିବା ପରେ ସୀମାନ୍ତରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ନୂଆପଡ଼ା ଜିଲ୍ଲା ସିନାପାଲି ସଦର ମହକୁମାରୁ ପ୍ରାୟ ୧୨ କିଲୋମିଟର ଦୂର କୁସୁମଯୋର ପଞ୍ଚାୟତରୁ ମାତ୍ର ଅଧ କିଲୋମିଟର ଦୂରରେ ଛତିଶଗଡ଼ ରାଜ୍ୟ ସୀମାନ୍ତ ଅବସ୍ଥିତ। କୁସୁମଯୋର ପଞ୍ଚାୟତ ଅଧୀନ ସୀମାନ୍ତ ଜାମପଡ଼ା ରାସ୍ତା ନିର୍ମାଣ କାର୍ଯ୍ୟ ସିନାପାଲି ବ୍ଲକ ପ୍ରଶାସନ ପକ୍ଷରୁ ଜାରି ରହିଛି। ୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମନରେଗା ଯୋଜନାରେ ରାସ୍ତା କାମ ଚାଲିଛି। ହେଲେ ଏହି ରାସ୍ତାକୁ ଛତିଶଗଡ଼ ପ୍ରଶାସନ ନିଜ ରାସ୍ତା କହି ବିରୋଧ କରିବା ସହ ନିର୍ମାଣ କାମ ବନ୍ଦ କରିଛନ୍ତି। ଏହାକୁ କେନ୍ଦ୍ର କରି ସୀମାନ୍ତ ଅଞ୍ଚଳର ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ପ୍ରକାଶ ଯେ, ୨୦୧୯ ମସିହାରେ ଛତିଶଗଡ଼ ରାଜସ୍ବ ବିଭାଗ ପକ୍ଷରୁ ନୂଆପଡ଼ା ଜିଲ୍ଲା ସିନାପାଲି ତହସିଲ ଅଞ୍ଚଳର ନୂଆଁମାଲପଡ଼ା ପଞ୍ଚାୟତ ସୀମାନ୍ତ ଓଡ଼ିଶାର ସରକାରୀ ଜମିକୁ ଛତିଶଗଡ଼ର ୧୮ ଜଣ ଚାଷୀଙ୍କୁ ଚାଷ କରିବା ପାଇଁ ପଟ୍ଟା ପ୍ରଦାନ କରାଯାଇଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଶାସନ ସଚିବ, ଆର୍ଡିସିଙ୍କ ସହ ତତ୍କାଳୀନ ନୂଆପଡ଼ା ଜିଲ୍ଲାପାଳ ଘଟଣାସ୍ଥଳକୁ ଯାଇ ସୀମା ନିର୍ଦ୍ଧାରଣ କରିଥିଲେ। ଏହାପରେ ୧୮ ଜଣ ଚାଷୀଙ୍କୁ ଜମିପଟ୍ଟା ଦିଆଯାଇଥିବା ଜମିଟି ଓଡ଼ିଶାର ବୋଲି ଚହ୍ନଟ କରାଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଏହାର କୌଣସି ସମାଧାନ ହୋଇପାରି ନଥିବା ବେଳେ ଛତିଶଗଡ଼ର ଚାଷୀ ଉକ୍ତ ଜମିକୁ ନିଜ ଅକ୍ତିଆରରେ ରଖିଥିବା ଜଣାପଡ଼ିଛି।
ସେହିପରି ୨୦୨୧ ମସିହାରେ ଓଡ଼ିଶା- ଛତିଶଗଡ଼ ସୀମାନ୍ତ ସିନାପାଲି ତହସିଲ ଅଧୀନ ଧିଙ୍ଗିଆମୁଣ୍ଡା ନାଳାରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ବ୍ରିଜ ନିର୍ମାଣ କରାଯାଇଥିଲା। ଏ ନେଇ ଅଭିଯୋଗ ପରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇଥିଲେ ମଧ୍ୟ ଏହାର କୌଣସି ପଦକ୍ଷେପ ନିଆଯାଇ ନାହିଁ କି କୌଣସି ସମାଧାନ ମଧ୍ୟ ହୋଇପାରି ନାହିଁ। ବାରମ୍ବାର ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଛତିଶଗଡ଼ ପ୍ରଶାସନ ଦାଦାଗିରି କରୁଥିବା ଆଲୋଚନା ହେଉଛି। ବର୍ତ୍ତମାନ ଓଡ଼ିଶାକୁ ପଶି ଜମି ଅକ୍ତିଆର କରିବାକୁ ଲାଗିଥିବା ବେଳେ ଏ ନେଇ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ସୀମାନ୍ତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବର୍ତ୍ତମାନ ପ୍ରକୃତରେ ଏହି ରାସ୍ତାଟି କାହାର ବୋଲି ଆଲୋଚନା ହେଉଥିବା ବେଳେ ତୁରନ୍ତ ଏହି ବିବାଦର ସମାଧାନ କରିବାକୁ ସ୍ଥାନୀୟ ସରପଞ୍ଚ ଉଦିତ ପ୍ରତାପ ଜ୍ୟୋତି ଦାବି କରିଛନ୍ତି।