ସିଲ୍ ହେଲା ଭୋଗରାଇ ବ୍ଲକର ୩୨ ସୀମାନ୍ତ ରାସ୍ତା

ଭୋଗରାଇର ତିନି ଥାନା ପାଇଁ ୪ ସେକ୍ସନ ସଶସ୍ତ୍ର ଫୋର୍ସ

ଭୋଗରାଇ : ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ ସରକାର ରୋକ ଲଗାଇଛନ୍ତି। ଏହି ସମୟରେ ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ହାର ୪୦୦ ପ୍ରତିଶତ ବୃଦ୍ଧି ପାଇଛି। ଫଳରେ ପଶ୍ଚିମବଙ୍ଗରେ ଜୀବନ ଜୀବିକା ନିର୍ବାହ କରୁଥିବା ପ୍ରବାସୀ ଓଡ଼ିଆମାନେ ଏବେ ଘରମୁହାଁ ହୋଇଛନ୍ତି। ଫଳରେ ସୀମାନ୍ତ ବାଲେଶ୍ବର ଜିଲ୍ଲାର ଭୋଗରାଇ ବ୍ଲକ୍ ପ୍ରତି ବିପଦ ବଢ଼ିଛି।

ପଶ୍ଚିମବଙ୍ଗର ପୂର୍ବ ଓ ପଶ୍ଚିମ ମେଦିନୀପୁର ଜିଲ୍ଲାର ୮୪ ଟି ସୀମାନ୍ତ ଗାଁ ସହିତ ଭୋଗରାଇର ୯୦ ଟି ସୀମାନ୍ତ ଗାଁ ଯୋଡ଼ି ହୋଇ ରହିଛି। ଏହାସହିତ ଭୋଗରାଇର ୩୨ଟି ସୀମାନ୍ତ ରାସ୍ତା ପଶ୍ଚିମବଙ୍ଗକୁ ସଂଯୋଗ କରୁଛି। ଏହି ରାସ୍ତା ଗୁଡ଼ିକ ଦେଇ ପ୍ରତିଦିନ ଶହ ଶହ ସଂଖ୍ୟାର ପ୍ରବାସୀ ଓଡ଼ିଶା ଫେରୁଛନ୍ତି। ପୁଲିସ ପକ୍ଷରୁ ଏହି ରାସ୍ତାଗୁଡ଼ିକ ଉପରେ ପହରା ବ୍ୟବସ୍ଥା ନଥିବାରୁ ପ୍ରବାସୀମାନେ ଅବାଧରେ ଓଡ଼ିଶା ଫେରିବା ସହ ଉଭୟ ରାଜ୍ୟର ସୀମାନ୍ତ ଗାଁଗୁଡ଼ିକ ମଧ୍ୟରେ ଯାତାୟାତ କରୁଛନ୍ତି। ଗତବର୍ଷ ଲକଡାଉନ ସମୟରେ ଏହି ରାସ୍ତାଗୁଡ଼ିକ ସିଲ ହୋଇଥିବା ଚଳିତ ବର୍ଷ ମଧ୍ୟ ପୁଣି ଏହି ରାସ୍ତାଗୁଡ଼ିକୁ ସିଲ୍ କରିବା ପାଇଁ ବିଭିନ୍ନ ମହଲରୁ ଦାବି ଉଠିଥିଲା। ବାଲେଶ୍ବର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର ସୋମବାର ସନ୍ଧ୍ୟାରେ ଏହି ସୀମାନ୍ତ ରାସ୍ତାଗୁଡ଼ିକ ବୁଲି ଦେଖିବା ସହ ସ୍ଥାନୀୟ ତିନି ଥାନା ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଗତ ମଙ୍ଗଳବାର ଭୋଗରାଇ ତହସିଲଦାର କମଳା କାନ୍ତ ପଣ୍ଡା, ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ବିଡିଓ ସତ୍ୟଜିତ ରାଉତ ଭୋଗରାଇ ବ୍ଲକ ଅଞ୍ଚଳର ୨୭ ଟି ସୀମାନ୍ତ ରାସ୍ତାକୁ ତୁରନ୍ତ ସିଲ କରି ୨୪ ଘଣ୍ଟିଆ ପହରା ବ୍ୟବସ୍ଥା କରିବା ଓ ସୀମାନ୍ତ ଅଞ୍ଚଳର ସାହାବାଜିପୁର, ଉଦୟପୁର, ଗଣେଶ୍ବରପୁର, ମାନକୁଣ୍ଡା, ଅନଳିଆ ଓ ବେଲଦା ମୁଖ୍ୟରାସ୍ତାରେ ପୁଲିସ କ୍ୟାମ୍ପ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ  ଭୋଗରାଇ ଥାନା ପାଇଁ ୨ ସେକ୍ସନ, ତାଳସାରୀ ସାମୁଦ୍ରିକ ଥାନା ଓ କମର୍ଦ୍ଦା ଥାନାକୁ ଗୋଟିଏ ସେକ୍ସନ ଲେଖାଏଁ ମୋଟ ୪ ସେକ୍ସନ ସଶସ୍ତ୍ର ଫୋର୍ସ ଯୋଗାଇ ଦିଆଯାଇଛି। ମଙ୍ଗଳବାର ସ୍ଥାନୀୟ ଥାନା ଅଧିକାରୀମାନେ ସୀମାନ୍ତ ସମସ୍ତ ରାସ୍ତାକୁ ସିଲ୍ କରିବା ସହ ୫ଟି ରାସ୍ତାରେ ପୁଲିସ ବ୍ୟାରିକେଡ୍ କରିଥିବା ସୂଚନା ମିଳିଛି। ଅପରପକ୍ଷରେ ତାଳସାରି ସାମୁଦ୍ରିକ ଥାନା ଅଞ୍ଚଳରେ ଉଦୟପୁର ହାଡ଼ିବାଡ଼ି ଛକଠାରେ ସୀମା ସିଲ କରିବାକୁ ନେଇ ସ୍ଥାନୀୟ ଲୋକେ ବିରୋଧ କରିଥିଲେ।

ସୂଚନାଯୋଗ୍ୟ, ଭୋଗରାଇ ବ୍ଲକ କମର୍ଦ୍ଦା, ଭୋଗରାଇ ଓ ତାଳସାରୀ ସାମୁଦ୍ରିକ ଥାନା ଅଞ୍ଚଳ ସହିତ ପଶ୍ଚିମବଙ୍ଗ ପଶ୍ଚିମ ମେଦିନୀପୁର ଜିଲ୍ଲାର ମୋହନପୁର ଓ ଏଗ୍ରା ଏବଂ ପୂର୍ବ ମେଦିନୀପୁର ଜିଲ୍ଲାର ରାମନଗର ଓ ଦୀଘା ସାମୁଦ୍ରିକ ଥାନା ଅଞ୍ଚଳ ସିଧାସଳଖ ସଂଯୋଗ ହୋଇଛି। ଅନ୍ୟ ଛୋଟ ଛୋଟ ଗାଉଁଲି ରାସ୍ତାକୁ ବାଦ ଦେଲେ କମର୍ଦ୍ଦା ଥାନା ଅଞ୍ଚଳର ୨ଟି ସୀମାନ୍ତ ରାସ୍ତା, ଭୋଗରାଇ ଥାନା ଅଞ୍ଚଳର ୧୩ ଟି ଏବଂ ତାଳସାରୀ ସାମୁଦ୍ରିକ ଥାନା ଅଞ୍ଚଳର ୭ଟି ସୀମାନ୍ତ ମୁଖ୍ୟରାସ୍ତା ପଶ୍ଚିମବଙ୍ଗକୁ ସଂଯୋଗ କରିଛି। ସାହାବାଜିପୁର-ଦୀଘା,ଗଣେଶ୍ବରପୁର-ନୁଣାଆଡ଼ି, ଅନଳିଆ-ଶଙ୍ଖାମେଦୀ, ମାନକୁଣ୍ଡା-ସନ୍ତେଶ୍ବରପୁର, ବେଲଦା-ପୁରୁଣୀ ଆଦି ମୁଖ୍ୟରାସ୍ତା ଦେଇ ପ୍ରବାସୀମାନେ ଓଡ଼ିଶାକୁ ପ୍ରବେଶ କରିବା ସମ୍ଭାବନା ଅଧିକ ଥିବାରୁ ଏହି ୫ଟି ରାସ୍ତାରେ ପୁଲିସ କ୍ୟାମ୍ପ ସହିତ ସ୍ବାସ୍ଥ୍ୟ ବିଭାଗର କ୍ୟାମ୍ପ ଖୋଲାଯାଇଛି। ଏଠାରେ ପଶ୍ଚିମବଙ୍ଗରୁ ଫେରୁଥିବା ପ୍ରବାସୀଙ୍କ ପଞ୍ଜୀକରଣ ସହ କୋଭିଡ୍ ପରୀକ୍ଷା କରାଯିବାର ବ୍ୟବସ୍ଥା ରହିଛି।

ଭୋଗରାଇର ଅନ୍ୟ ୨୭ ଟି ସୀମାନ୍ତ ରାସ୍ତାରେ ବାଡ଼ କରି ସିଲ କରାଯିବା ସହ ସ୍ଥାନୀୟ ପଞ୍ଚାୟତର ତତ୍ତ୍ବାବଧାନରେ ଏହା ଉପରେ ନଜର ରଖିବାକୁ କୁହାଯାଇଛି। କମର୍ଦ୍ଦା ଥାନା ଆଇଆଇସି ପାସ୍କେଲ ଏକ୍କା, ଭୋଗରାଇ ଥାନା ଆଇଆଇସି ସୁଜାତା ଖମାରୀ, ତାଳସାରୀ ସାମୁଦ୍ରିକ ଥାନା ଭାରପ୍ରାପ୍ତ ଅଧିକାରୀ ହେମନ୍ତ ମାଝୀଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀମାନେ ସମସ୍ତ ସୀମାନ୍ତ ରାସ୍ତା ବୁଲି ତଦାରଖ କରିଛନ୍ତି।

ସମ୍ବନ୍ଧିତ ଖବର