ରାଉରକେଲା/ବିଶ୍ରା: ଝାଡ଼ଖଣ୍ଡରେ ସୁରକ୍ଷାବାହିନୀ ଓ ପୁଲିସର ମିଳିତ ଅପରେସନ୍ରେ ନକ୍ସଲ ସଙ୍ଗଠନକୁ ବଡ଼ ଝଟକା ଲାଗିଛି। ସୋମବାର ଯବାନ-ମାଓବାଦୀ ଗୁଳି ବିନିମୟରେ ଦୁର୍ଦ୍ଦାନ୍ତ ମାଓନେତା ତଥା ସିପିଆଇ ମାଓବାଦୀ କେନ୍ଦ୍ରୀୟ କମିଟି ସଦସ୍ୟ ସହଦେବ ସୋରେନ ଓରଫ୍ ପ୍ରବେଶ ଓରଫ୍ ନିର୍ଭୟ ସହ ତିନିଜଣ ନିହତ ହୋଇଛନ୍ତି। ଅନ୍ୟ ଦୁଇଜଣ ହେଲେ ଏସ୍ଏସି ସଦସ୍ୟ ରଘୁନାଥ ହେମ୍ବ୍ରମ୍ ଓରଫ୍ ଚଞ୍ଚଳ ଓ ଜୋନାଲ୍ କମାଣ୍ଡର ବୀରସେନ ଗଞ୍ଜୁ। ସହଦେବ ମୁଣ୍ଡ ଉପରେ ଝାଡ଼ଖଣ୍ଡ ସରକାର ୧ କୋଟି, ଚଞ୍ଚଳ ପାଇଁ ୨୫ ଲକ୍ଷ ଓ ବୀରସେନ ପାଇଁ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ଘଟଣାସ୍ଥଳରୁ ପୁଲିସ ତିନୋଟି ଏକେ-୪୭ ସ୍ବୟଂଚାଳିତ ରାଇଫଲ୍ ସହ ଅନ୍ୟ ମାରଣାସ୍ତ୍ର ଜବତ କରିଛି। ଗୁଳି ବିନିମୟରେ ସିଆରପିଏଫ୍ର ତିନିଜଣ କୋବ୍ରା ମଧ୍ୟ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଆଜି ଭୋର ସମୟରେ ହଜାରିବାଗ ଗୋରହର ଜଙ୍ଗଲରେ ମାଓବାଦୀମାନେ ବଡ଼ଧରଣ ହିଂସା ଯୋଜନା କରୁଥିବା ପୁଲିସକୁ ସୂଚନା ମିଳିଥିଲା। ଏସ୍ପି ଅଞ୍ଜନୀ ଅଞ୍ଜନଙ୍କ ନେତୃତ୍ବରେ ଝାଡ଼ଖଣ୍ଡ ପୁଲିସ ଓ ସିଆର୍ପିଏଫ୍ କୋବ୍ରା ଯବାନ ସେଠାରେ କମ୍ବିଂ ଅପରେସନ୍ କରିଥିଲେ। ଏହି ସମୟରେ ମାଓବାଦୀମାନେ ଆଖିବୁଜା ଗୁଳି ଚଳାଇଥିଲେ। ପାଲଟା ଜବାବରେ ସୁରକ୍ଷାବାହିନୀ ପକ୍ଷରୁ ମଧ୍ୟ ଗୁଳିଚାଳନା କରାଯାଇଥିଲା। ପ୍ରାୟ ଘଣ୍ଟାଏ ଧରି ଉଭୟପକ୍ଷ ମଧ୍ୟରେ ଗୁଳିଚାଳନା ପରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ଏହା ପରେ ସୁରକ୍ଷାବାହିନୀ ସେଠାରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରି ତିନିଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଥିଲା। ଗତ ୬ ମାସ ମଧ୍ୟରେ ସୁରକ୍ଷାବାହିନୀର ଏହା ଦ୍ୱିତୀୟ ବଡ଼ ଏନ୍କାଉଣ୍ଟର, ଯେଉଁଥିରେ ୧ କୋଟି ଟଙ୍କା ପୁରସ୍କାର ରାଶି ଥିବା ଆଉ ଜଣେ ମାଓବାଦୀ ନିହତ ହୋଇଛି। ଏହା ପୂର୍ବରୁ ଏପ୍ରିଲ ୨୧ ତାରିଖରେ ସୁରକ୍ଷାବାହିନୀ ବୋକାରୋ ଜିଲ୍ଲାରେ ୧ କୋଟି ଟଙ୍କା ପୁରସ୍କାର ଥିବା ମାଓବାଦୀ ବିବେକ ଓରଫ୍ ପ୍ରୟାଗ ମାଝୀ ସମେତ ୮ଜଣ ମାଓବାଦୀଙ୍କୁ ନିପାତ କରିଥିଲେ। ଏବେ ସହଦେବର ହତ୍ୟା ପରେ ଝାଡ଼ଖଣ୍ଡରେ ୧ କୋଟି ଟଙ୍କା ପୁରସ୍କାର ରାଶି ଥିବା ମାଓବାଦୀଙ୍କ ସଂଖ୍ୟା ତିନିକୁ ଖସିଆସିଛି। ସେମାନେ ହେଉଛନ୍ତି ମିସିର ବେସରା, ଅସୀମ ମଣ୍ଡଳ ଓ ଅନଲ ମାରାଣ୍ଡି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/16/untitled-25-2025-09-16-07-59-06.jpg)