ସୀମାନ୍ତ ଗଙ୍ଗାବାଡ଼ ପଞ୍ଚାୟତବାସୀ ନା ଏ କୂଳର, ନା ସେ କୂଳର

ଆନ୍ଧ୍ର ପୁଲିସର ହାକିମଗିରି ପରେ ଗୁଦୁଖୁଡ଼ିରେ ଗଜପତି ପ୍ରଶାସନ
ସରକାରଙ୍କ ନିରବତା ନେଇ ବୁଦ୍ଧିଜୀବୀ ଅସନ୍ତୁଷ୍ଟ

ପାରଳାଖେମୁଣ୍ତି : ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତବାସୀ ନା ଏ କୂଳର ହୋଇ ପାରୁଛନ୍ତି, ନା ସେ କୂଳର। ମାଣିକପାଟଣା ପରେ ଏବେ ଗୁଦୁଖୁଡିରେ ପଡ଼ୋଶୀ ଆନ୍ଧ୍ରର ବଡ଼ଭାଇପଣିଆ ଆରମ୍ଭ ହୋଇଛି। ଗତ ୧୨ ତାରିଖରେ ଆନ୍ଧ୍ର ପ୍ରଦେଶ ଚିପି ପଞ୍ଚାୟତର ସରପଞ୍ଚଙ୍କ ଏତଲା ପ୍ରକାରେ ମଞ୍ଜୁଷା ପୁଲିସର ଏକ ଟିମ୍‌ ଗୁଦୁଖୁଡ଼ି ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚି ଓଡ଼ିଶାର ଅଙ୍ଗନବାଡ଼ି କର୍ମୀ କସ୍ତୁରୀ ରଇତଙ୍କୁ ତେଲୁଗୁରେ ଲିଖିତ ଏକ ଧମକପୂର୍ଣ୍ଣ ଚିଠି ଦେବା ଓ ଗୁଦୁଖୁଡ଼ି ଗ୍ରାମର ଶିଶୁଙ୍କୁ ଓଡ଼ିଶା ସରକାରଙ୍କ ପ୍ରଦତ୍ତ ଖାଦ୍ୟ ଓ ଅଣ୍ଡା ବଣ୍ଟା ବନ୍ଦ କରିଥିଲେ। ଓଡ଼ିଶା ରାସନ ଗ୍ରାମବାସୀଙ୍କୁ ଆବଶ୍ୟକ ନାହିଁ, ଅଙ୍ଗନବାଡ଼ି ଦିଦିଙ୍କୁ ଗୁଦୁଖୁଡ଼ିକୁ ନଆସିବା ପାଇଁ ବି ଏଥିରେ ଚେତାବନୀ ଦିଆ ଯାଇଥିଲା। ଆନ୍ଧ୍ର ପୁଲିସର ଏଭଳି ହାକିମଗିରି ଘଟଣା ପରେ ଗଜପତି ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି। ଦଶହରା ଛୁଟି ସତ୍ତ୍ବେ ଗାରାବନ୍ଧ ଥାନା ଅଧିକାରୀ, ରାୟଗଡ଼ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ଦାସ ପ୍ରମୁଖ ଗଙ୍ଗାବାଡ଼ ପଞ୍ଚାୟତରେ ପହଞ୍ଚି ଗୁଦୁଖୁଡ଼ି ଗ୍ରାମର ଯେଉଁ ପରିବାର ଓଡ଼ିଶାର ରାସନ ସାମଗ୍ରୀ ଓ ଅଙ୍ଗନବାଡ଼ି ଖାଦ୍ୟ ଗ୍ରହଣ କରିବାକୁ ମନା କରୁଥିଲେ ସେମାନଙ୍କୁ ବୁଝାସୁଝା କରିଛନ୍ତି। ବୁଝାସୁଝା ପରେ ସମସ୍ୟାର ସାମୟିକ ସମାଧାନ ହୋଇଛି ବୋଲି ଗଙ୍ଗାବାଡ଼ ପଞ୍ଚାୟତବାସୀ ମତ ଦେଇଛନ୍ତି। ଜିଲ୍ଲା ପ୍ରଶାସନର ସୂଚନା ପ୍ରକାରେ, ଗତ ୧୨ ତାରିଖ ଦିନର ଘଟଣାକୁ ଗମ୍ଭୀରତାର ସହ ବିଚାର କରାଯାଉଛି। ଗଙ୍ଗାବାଡ଼ ପଞ୍ଚାୟତରେ କିଭଳି ବିଭିନ୍ନ ଉନ୍ନ୍ରୟନ କାର୍ଯ୍ୟ ତ୍ବରାନ୍ବିତ ହେବ, ତାହା ଉପରେ ସ୍ବତନ୍ତ୍ର ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରାଯାଉଛି।

ଏହି ଘଟଣାରେ ପରେ ଉତ୍କଳ ସମ୍ମିଳନୀର ଉପସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଉଦ୍‌ବେଗ ପ୍ରକାଶ କରି ରାଜ୍ୟ ସରକାର ଓ ଗଜପତି ଜିଲ୍ଲା ପ୍ରଶାସନ ଏହି ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ପ୍ରୟାସ କାହିଁକି କରୁନାହାନ୍ତି ବୋଲି ପାଲଟା ପ୍ରଶ୍ନ କରିଛନ୍ତି। ଗ୍ରାମରେ ଓଡ଼ିଆରେ ଫଳକ ଲଗାଇବା ପାଇଁ ଉତ୍କଳ ସମ୍ମିଳନୀ ବାରମ୍ବାର ଦାବି କରିଛି। ଗଙ୍ଗାବାଡ଼କୁ କଇଁପୁର ସହ ରାସ୍ତା ସ˚ଯୋଗ କରିବା ଯୋଜନା ଲଟକି ରହିଛି। କେବଳ ପ୍ରତିଶ୍ରୁତି ହିଁ ମିଳୁଛି। ସୀମା ବିବାଦର କୌଣସି ସ୍ଥାୟୀ ସମାଧାନ ବାଟ ଖୋଲିନାହିଁ। ଅନ୍ୟପକ୍ଷରେ ଗଙ୍ଗାବାଡ଼ ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଯୀ କହିଛନ୍ତି, ଆସନ୍ତା ସପ୍ତାହେ ମଧ୍ୟରେ ଗ୍ରାମର ସମସ୍ତ ଆଦିବାସୀ ଏକତ୍ରିତ ହେବେ ଏବ˚ ସରକାରଙ୍କୁ ସେମାନଙ୍କର ଆଭିମୁଖ୍ୟ ଜଣାଇବେ। କିଛି ଘଟିଲେ ପ୍ରଶାସନ ଯେଉଁ ତତ୍ପରତା ଦେଖାଉଛନ୍ତି, ପରବର୍ତ୍ତୀ ସମୟରେ ଏହାକୁ ଭୁଲି ଯାଉଛନ୍ତି। ତେଣୁ ଆନ୍ଧ୍ର ସରକାରଙ୍କ ଜୁଲୁମ୍‌ ସେମାନେ ଆଉ କେତେ ଦିନ ସହିବେ ବୋଲି ସେ କହିଛନ୍ତି। ଯଦି ପ୍ରକୃତରେ ଗଜପତି ଜିଲ୍ଲା ପ୍ରଶାସନ କିଛି କରିବା ପାଇଁ ଆଗ୍ରହୀ, ସରକାରଙ୍କ ଯୋଜନା ସମ୍ପର୍କରେ ଏକ ଲିଖିତ ଇସ୍ତାହାର ପ୍ରକାଶ କରନ୍ତୁ ବୋଲି ସେ କହିଛନ୍ତି।

ପାରଳା ସହର ଠାରୁ ଗୋଷାଣୀ-ଗାରାବନ୍ଧ ଗ୍ରାମ ଦେଇ ପ୍ରାୟ ୪୦ କିମି. ଗଲେ ଗଙ୍ଗାବାଡ଼ ପଞ୍ଚାୟତର ଆନ୍ଧ୍ର ସୀମାନ୍ତରେ ମାଣିକପାଟଣା। ଏହି ଗୋଟିଏ ରାସ୍ତାରେ ହିଁ ଯାନବାହନ ଯୋଗେ ଯାତାୟାତ ସମ୍ଭବ। ରାୟଗଡ଼ ବ୍ଲକ୍‌ କଇଁପୁର ପଞ୍ଚାୟତରୁ ପାହାଡ଼, ଜଙ୍ଗଲ ଦେଇ ଚାଲି ୮ ରୁ ୧୦ କିମି. ଗଲେ ଗଙ୍ଗାବାଡ଼ ପହଞ୍ଚି ହେବ। କଇଁପୁରରୁ ଗଙ୍ଗାବାଡ଼କୁ ଚାଲି ଗଲେ ଦୁଇ ଘଣ୍ଟାରୁ ଅଧିକ କଠିନ ରାସ୍ତା। ଗଜପତି ଜିଲ୍ଲା ଗଠନ ପୂର୍ବରୁ ଗଙ୍ଗାବାଡ଼ ଅବିଭକ୍ତ ଗଞ୍ଜାମର ଏକ ଦୁର୍ଗମ ପାହାଡ଼ିଆ ପଞ୍ଚାୟତ ରହିଆସିଛି। ସେତେବେଳେ ଗଞ୍ଜାମ ଜିଲ୍ଲାପାଳ କେବେହେଲେ ଏଠାରେ ପାଦ ପକାଇ ନଥିଲେ। ଗଜପତି ଜିଲ୍ଲା ଗଠନ ହେବା ପରେ କିଛି ଜିଲ୍ଲାପାଳ ଚାଲି ଚାଲି କଇଁପୁର ବାଟଦେଇ ଗଙ୍ଗାବାଡ଼ ଯାଉଥିଲେ ଏବ˚ ଆନ୍ଧ୍ରପ୍ରଦେଶ ରାସ୍ତାଦେଇ ପାରଳାଖେମୁଣ୍ତି ଗାଡ଼ିରେ ଫେରୁଥିଲେ। ଗତ କିଛିବର୍ଷ ହେଲା ଜିଲ୍ଲାପାଳମାନେ ଆଉ ପାଦରେ ଚାଲି ଗଙ୍ଗାବାଡ଼ ଯାଇନାହାନ୍ତି। ଇତି ମଧ୍ୟରେ ଆନ୍ଧ୍ର ସରକାର ଶ୍ରୀକାକୁଲମ୍‌ ଜିଲ୍ଲା ପ୍ରଶାସନ ମଞ୍ଜୁଷା ମଣ୍ତଳ ଗୁଡ଼ଆମ୍ବ ଛକ ଠାରୁ ୧୦ କିମି. ପକ୍କା ରାସ୍ତା ନିର୍ମାଣ କରିଛନ୍ତି। ଯାହା ଗଙ୍ଗାବାଡ଼ ପଞ୍ଚାୟତ ମାଣିକପାଟଣା ପର୍ଯ୍ୟନ୍ତ ଲମ୍ବିଛି, ଯାହା ଦ୍ବାରା ଆନ୍ଧ୍ରର ନେତା, ସରକାରୀ ଅଧିକାରୀ ଏବ˚ ପୁଲିସ କିଛି ସମୟ ମଧ୍ୟରେ ପହଞ୍ଚି ଯାଉଛନ୍ତି। ପଲାସାରୁ ମାଣିକପାଟଣା ପହଞ୍ଚିବାକୁ ମାତ୍ର ୩୦ ମିନିଟ ଲାଗୁଥିବା ବେଳେ ମଞ୍ଜୁଷାରୁ ମାଣିକପାଟଣା ମୋଟର ସାଇକେଲ୍‌ରେ ମାତ୍ର ୧୦ ମିନିଟର ବାଟ। ତେଣୁ ସ୍ଥାନୀୟ ଲୋକେ ଆନ୍ଧ୍ରମୁହାଁ ହେଉଥିବା ବେଳେ ସେଠାକାର ନେତା ଭୋଟବ୍ୟାଙ୍କ୍‌ ଆଶାରେ ବିଭିନ୍ନ ସମୟରେ ଓଡ଼ିଶାବାସୀଙ୍କୁ ପ୍ରଲୋଭିତ କରି ବଡ଼୍‌ଭାଇପଣିଆକୁ ଜାହିର୍‌ କରିବାକୁ ସାହସ କରୁଛନ୍ତି।

ସମ୍ବନ୍ଧିତ ଖବର