ସୀମାନ୍ତ ଗାଁର ଜୀବନ : ଘର ଝାଡ଼ଖଣ୍ଡ, ଜୀବିକା ଓଡ଼ିଶାରେ

ରାଉରକେଲା : କୋରାପୁଟ ଜିଲ୍ଲାର କୋଟିଆ ବିବାଦ ପ୍ରସଙ୍ଗ ଏବେ ରାଜ୍ୟ ରାଜନୀତିକୁ ସରଗରମ କରି ରଖିଛି। ଆନ୍ଧ୍ର କୋଟିଆରେ ନିଜର ପତିଆରା ଜାହିର କରି ଚାଲିଛି। କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାରେ ଏହାର ବିପରୀତ ଚିତ୍ର ଅଛି। ଝାଡ଼ଖଣ୍ଡ ସୀମାରେ ଥିବା ଅନେକ ଗାଁରେ ଅଲକ୍ଷ୍ୟରେ ଆପଣାଛାଏଁ ଓଡ଼ିଶାର ପତିଆରା ତିଆରି ହୋଇ ଯାଇଛି। କାରଣ ସେ ଗାଁଗୁଡ଼ିକ ଓଡ଼ିଶାର ପାଣି ପବନରେ ବଞ୍ଚୁଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ ଆଦି ମୌଳିକ ସୁବିଧା ପାଇଁ ସେମାନେ ଓଡ଼ିଶା ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। ଓଡ଼ିଶା ମାଟି ନ ଛୁଇଁଲେ ସେଠାରେ ଚଳିବା କେବଳ କଷ୍ଟକର ନୁହେଁ, ଅସମ୍ଭବ। ନକ୍ସଲ ଉପଦ୍ରୁତ ଏସବୁ ଗାଁରେ ସର୍ବଦା ଆତଙ୍କ ରହିଛି। ଏହା ସତ୍ବେ ସେ ଗୁଁଗୁଡ଼ିକର ଲୋକେ ଜଙ୍ଗଲ ରାସ୍ତାରେ ପ୍ରତିଦିନ ଛୁଟି ଆସନ୍ତି ଓଡ଼ିଶା ମାଟିକୁ। ସନ୍ଧ୍ୟାରେ ଫେରନ୍ତି।

ସୁନ୍ଦରଗଡ଼ର ନୂଆଗାଁ, ବିଶ୍ରା ଓ ବୀରମିତ୍ରପୁରକୁ ଲାଗିଛି ଏପରି ୩୦ରୁ ଅଧିକ ଗାଁ। ସେଠା ଲୋକଙ୍କ ଘର ଝାଡ଼ଖଣ୍ଡରେ, କିନ୍ତୁ ଜୀବନ ଜୀବିକା ସବୁ କିଛି ଓଡ଼ିଶାରେ। କୋଟିଆ ଯେମିତି ବିକାଶ ଦେଖିନି, ସେମିତି ଝାଡ଼ଖଣ୍ଡର ସୀମାନ୍ତର ଅଧିକାଂଶ ଗାଁରେ ମଧ୍ୟ ବିକାଶର ପାଦଚିହ୍ନ ପଡିନି। ଏହି ଗାଁଗୁଡ଼ିକ ମଧ୍ୟରେ ରହିଛି ବୁଲୁନ୍ଦା, ରୁଙ୍ଘି, ଫଟକା, ରାଏକେଲା, ହୁର୍ଦା, ଓଡଗାଁ, ଗେନମେର, ଡଙ୍ଗାପାନି, ପରବା, ମାରାନି, ଜରମଣ୍ଡା, କୋହିପାଟ, ଟେମ୍ବର ଓ ଚାନମାଏ ଆଦି। ଏଗୁଡ଼ିକ ନୂଆଗାଁ ବ୍ଲକର ସୀମାଠାରୁ ମାତ୍ର ୪ରୁ ୮ କି.ମି. ଦୂର। ସେହିପରି ଝାଡ଼ଖଣ୍ଡର ପାରୋଡିହି, ମକରଣ୍ଡା, ସମଠା, ସାଗଯୋଡି, ରେଡା, ଧାନପାଲୀ, ପାଞ୍ଚପହିଆ, ଲାଇଲୋଇ, ଫୁଲବାରି, ପ୍ରଧାନପଲ୍ଲୀ, ବିକାଳକୁଦର, ଅଭୟପୁର, ପୋଟକା, ପୁରାନାଡିହି, ନୱାଡିହି ଓ ଡୋମଲାଇ ଭଳି ୨୦ରୁ ଅଧିକ ଗାଁ ଆମ ବିଶ୍ରା ବ୍ଲକ ଅନ୍ତର୍ଗତ ଜରେଇକେଲାକୁ ଲାଗିଛି। ଏହି ୨୦ଟି ଗାଁରେ ୧୨ ହଜାରରୁ ଅଧିକ ଲୋକ ବସବାସ କରନ୍ତି। ସେମିତି ନୂଆଗାଁ ସୀମାକୁ ଲାଗିଥିବା ୧୪ରୁ ଅଧିକ ଗାଁରେ ବସବାସ କରନ୍ତି ପ୍ରାୟ ୯ ହଜାର ଲୋକ। ‌ଏହି ଗାଁଗୁଡ଼ିକ ଲୋକେ ସକାଳ ହେଲେ ବାହାରି ଆସନ୍ତି ଓଡ଼ିଶା ମାଟିକୁ। ଚାଲି ଚାଲି, ମୋଟରବାଇକ୍‌ ହେଉ ଅବା ଅଟୋ ରିକ୍ସାରେ ପହଞ୍ଚିଯାଆନ୍ତି ନୂଆଗାଁ, ବିଶ୍ରା, ବୀରମିତ୍ରପୁର ସହ ରାଉରକେଲାରେ। ଏମାନଙ୍କ ଭିତରୁ ଶହ ଶହ ଲୋକ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ସମେତ ଅନ୍ୟ ଛୋଟ ବଡ଼ ଆଇରନ କାରଖାନାରେ ଠିକା ଶ୍ରମିକ ଭାବେ କାମ କରନ୍ତି। ‌ କିଛି ଲୋକ ଛୋଟ ଛୋଟ ବ୍ୟବସାୟ ମଧ୍ୟ କରନ୍ତି। ଆହୁରି ଶହ ଶହ ଲୋକ ରାଉରକେଲାରେ କୋଠାବାଡି ଓ ରାସ୍ତା ନିର୍ମାଣ କାମକରି ପରିବାର ଚଳାନ୍ତି।

ଏ ଗାଁଗୁଡ଼ିକର ଚାଷୀମାନେ ନିଜ ଉତ୍ପାଦିତ ପନି ପରିବା ଝାଡ଼ଖଣ୍ଡ ପରିବର୍ତ୍ତେ ଓଡ଼ିଶା ହାଟରେ ବିକନ୍ତି, ରାଉରକେଲା ମଧ୍ୟ ଆସନ୍ତି। ବିଶେଷ କରି ନୂଆଗାଁର କାତେପୁର, ନୂଆଗାଁ, ସୋରଡା, ହାତୀବାରି, ପୁରୁଣାପାଣି ସାପ୍ତାହିକୀ ହାଟ, ବିଶ୍ରାର ଜରେଇକେଲା, ଭାଲୁଲତା ଆଦି ହାଟରେ ଏମାନେ ଦୈନନ୍ଦିନ ବେପାର କରନ୍ତି। ଏହିସବୁ ହାଟରେ ଥିବା କୁକୁଡ଼ା ପଡ଼ାକୁ କୁକୁଡ଼ା ଲଢ଼େଇ କରିବାଲାଗି ଆସନ୍ତି। ପର୍ବ ପର୍ବାଣୀ, ବିବାହ, ବ୍ରତ, ସାମାଜିକ କାର୍ଯ୍ୟକ୍ରମରେ ଜିନିଷପତ୍ର ପାଇଁ ଏମାନଙ୍କ ପ୍ରମୁଖ ବଜାର ହେଉଛି ରାଉରକେଲା। ସ୍ବାସ୍ଥ୍ୟସେବା ପାଇଁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌), ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌) ସମେତ ରାଉରକେଲାର ଘରୋଇ କ୍ଲିନିକ୍‌, ଘରୋଇ ହସ୍ପିଟାଲ ଉପରେ ସେମାନେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଏଠାରୁ ରେଫର ହୋଇ ସେମାନେ ବୁର୍ଲା ଓ କଟକ ବଡ ମେଡିକାଲକୁ ଯାଆନ୍ତି। ନିତିଦିନିଆ ସାଧାରଣ ରୋଗର ପାଇଁ ସେମାନେ ନୂଆଁ ଗାଁ ଓ ବିଶ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସନ୍ତି। ଏପରିକି କିଛି ଛାତ୍ରଛାତ୍ରୀ ସୀମାରେ ଥିବା ଓଡ଼ିଆ ସ୍କୁଲ୍‌କୁ ମଧ୍ୟ ଆସୁଛନ୍ତି। କଲେଜଗୁଡ଼ିକରେ ସେଠାକାର ଛାତ୍ର ଛାତ୍ରୀଙ୍କର ସଂଖ୍ୟା ବେଶ୍ ଉଲ୍ଲେଖଯୋଗ୍ୟ। ଏପରି ହେବାର କାରଣ ହେଉଛି, ତୁଳନାତ୍ମକ ଭାବେ ସୀମାବର୍ତ୍ତୀ ନିଜ ଗାଁଗୁଡ଼ିକରେ ଓଡ଼ିଶା ସରକାର ଯେତିକି ସୁବିଧା ସୁଯୋଗ ଖଞ୍ଜି ପାରିଛନ୍ତି, ସୀମାବର୍ତ୍ତୀ ନିଜ ଗାଁଗୁଡ଼ିକରେ ଝାଡ଼ଖଣ୍ଡ ସରକାର ଆଜିଯାଏ ତାହା କରି ପାରି ନାହାନ୍ତି।

ସମ୍ବନ୍ଧିତ ଖବର