କଲେଇପୋଷ: ୬ ମାସ ପଡ଼ାରେ ଥିବା ନଳକୂଅଟି ଅଚଳ ହୋଇଯାଇଛି। ଫଳରେ ସେହି ନଳକୂଅ ଉପରେ ନିର୍ଭର କରୁଥିବା ୬ ପରିବାର ପାଣିଟୋପାଏ ପାଇଁ ଡହଳବିକଳ ହେଉଛନ୍ତି। କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ଏ ହେଉଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକ୍‌ କୁଡେଇକଳା ପଞ୍ଚାୟତ ବାସୁବାହାଳର ୩ ନମ୍ବର ୱାର୍ଡ ମୁଖ୍ୟ ରାସ୍ତାକଡ଼ରେ ଥିବା ନଳକୂଅର କାହାଣୀ। ଦୀର୍ଘ ୬ ମାସ ହେଲା ଅଚଳ ହୋଇଯାଇଛି ସେହି ନଳକୂଅ। ଏହି ନଳକୂଅ ଉପରେ ସ୍ଥାନୀୟ ୬ଟି ପରିବାର ଓ ରାସ୍ତାରେ ଯାତାୟାତ କରୁଥିବା ଟ୍ରକ୍‌ର ଚାଳକମାନେ ନିର୍ଭର କରିଥାନ୍ତି। କିନ୍ତୁ ଦୀର୍ଘଦିନ ଧରି ନଳକୂଅଟି ଅଚଳ ପଡ଼ିବାରୁ ସମ୍ପୃକ୍ତ ପରିବାର ଓ ଚାଳକମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ପରିବାରଗୁଡ଼ିକ ବିପଦସଂକୁଳ ଭାବେ ରାସ୍ତା ପାରହୋଇ ଅନ୍ୟଜଣକ ଘରକୁ ପାଣି ପାଇଁ ଯାଉଥିବା ଦେଖାଯାଉଛି।

Advertisment

ଏନେଇ ପଡ଼ାବାସୀ ସରପଞ୍ଚଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ ​ସେ ବ୍ଲକ୍‌ରେ ଯାଇ ଅଭିଯୋଗ କରିବାକୁ କହୁଛନ୍ତି ବୋଲି ପଡ଼ାବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ନଳକୂଅଟିକୁ ମରାମତି କରିବାକୁ ସ୍ଥାନୀୟଲୋକ ଦାବି କରିଛନ୍ତି। ଏ ନେଇ ସ୍ଥାନୀୟ ସରପଞ୍ଚ ଶଙ୍କର ନାଏକଙ୍କୁ ପଚାରିବାରୁ, ପଞ୍ଚାୟତରେ ନଳକୂଅର ଯନ୍ତ୍ରାଂଶ ନଥିବାରୁ ସେ ବ୍ଲକ୍‌ରେ ଏ ନେଇ ବାରମ୍ବାର ଅନୁରୋଧ କରିଛନ୍ତି। ଏପରିକି ଗତକାଲି ମଧ୍ୟ ସେ ବିଷୟରେ ଯୋଗାଯୋଗ କରିଥିଲେ। କିନ୍ତୁ ବ୍ଲକ୍‌ରେ ମଧ୍ୟ ଯନ୍ତ୍ରାଂଶ ନଥିବାରୁ ମରାମତିରେ ଅସୁବିଧା ହେଉଛି। ଯନ୍ତ୍ରାଂଶ ଆସିଲେ ନଳକୂଅର ତୁରନ୍ତ ମରାମତି କରାଯିବ ବୋଲି କହିଛନ୍ତି।