ମଧୁବାବୁଙ୍କ ଯୋଗୁ ଓଡ଼ିଶାର ଜନ୍ମ: ଜଷ୍ଟିସ ବିଶ୍ବନାଥ ରଥ

‘ଶ୍ରୀଜଗନ୍ନାଥଙ୍କୁ ସାରାବିଶ୍ବରେ ବଡ଼ଠାକୁର ଭାବେ ପରିଚିତ କରାଇଲେ ମଧୁବାବୁଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ’

କଟକ: ଜଗନ୍ନାଥଙ୍କୁ ଜଗତ ପୂଜା କରେ, ମଧୁବାବୁଙ୍କୁ ଓଡ଼ିଶାବାସୀ ପୂଜା କରନ୍ତି। ଠାକୁର ସଂସାର ଗଢ଼ିଛନ୍ତି, ମଧୁବାବୁଙ୍କ ଯୋଗୁ ଓଡ଼ିଶାର ଜନ୍ମ। ସ୍ବତନ୍ତ୍ର ଓଡ଼ିଶା ଗଠନରେ ମଧୁବାବୁଙ୍କ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଥିଲା। ଓଡ଼ିଆ ଜାତିକୁ ମଧୁବାବୁଙ୍କ ଅବଦାନକୁ ପରବର୍ତ୍ତୀ ପିଢ଼ି ପାଇଁ ଉଜ୍ଜୀବିତ ତଥା ସ˚ରକ୍ଷିତ କରି ରଖିବାର ଆବଶ୍ୟକତା ରହିଛି। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମାଧିପୀଠ ତୁଳସୀପୁରସ୍ଥିତ ଗୋରା କବରରେ ଆୟୋଜିତ ସ୍ବାଭିମାନ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିଶ୍ବନାଥ ରଥ ଏହା କହିଛନ୍ତି।

ଉତ୍କଳ ଗୌରବଙ୍କ ଜୟନ୍ତୀ ଅବସରରେ ‘ସମ୍ବାଦ’, ‘ଆମ ଓଡ଼ିଶା’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜଷ୍ଟିସ ରଥ କହିଥିଲେ; କାଠଯୋଡ଼ି କୂଳରେ ଗାନ୍ଧୀଜୀଙ୍କ ନାମରେ ଯେମିତି ପାର୍କ କରାଯାଇଛି, ମହାନଦୀ କୂଳରେ ମଧୁବାବୁଙ୍କ ନାମରେ ସେହିଭଳି ଏକ ପାର୍କ କରାଯାଉ। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମଧୁବାବୁଙ୍କ ଅବଦାନ ବିଷୟରେ ପାଠ୍ୟକ୍ରମରେ ସୂଚନା ଦିଆଯାଉ। ମଧୁବାବୁଙ୍କ ଜନ୍ମସ୍ଥାନରେ ତାଙ୍କଦ୍ବାରା ବ୍ୟବହୃତ ଅନେକ ବିରଳ ସାମଗ୍ରୀ ସାଇତା ହୋଇରହିଛି। କିନ୍ତୁ, ଜନ୍ମପୀଠ ସତ୍ୟଭାମାପୁରରେ ଆଜି ଲୋକାର୍ପିତ ସ˚ଗ୍ରହାଳୟ ବହୁପୂର୍ବରୁ ହେବାର ଥିଲା ବୋଲି ଜଷ୍ଟିସ୍‌ ରଥ କହିଥିଲେ। ଜଷ୍ଟିସ ରଥ ଅାହୁରି ମଧ୍ୟ କହିଥିଲେ ଯେ ମଧୁବାବୁ ପାଠ ପଢିବା ପାଇଁ ଅନେକ କଷ୍ଟ ସହିଥିଲେ। ଓଡ଼ିଶାରେ ଓଡ଼ିଆଙ୍କ କଥା ଶୁଣିବା ପାଇଁ ସେ କଟକ ଓ ବାଲେଶ୍ବରରେ ମକଦ୍ଦମା ଲଢିବା ବ୍ୟବସ୍ଥା କରିଥିଲେ। ମହିଳା ଆଇନଜୀବୀ ସୃଷ୍ଟି କରିବା ପାଇଁ ନିଜ ଝିଅ ସୁଧା˚ଶୁବାଳାଙ୍କୁ ପ୍ରସ୍ତୁତ କରାଇଥିଲେ। ଉତ୍କଳ ଟାନେରୀ ଖୋଲି ପ୍ରଥମ ଓଡ଼ିଆ ଶିଳ୍ପପତିର ମାନ୍ୟତା ପାଇଥିଲେ। ଓଡ଼ିଶାର ପ୍ରତିଟି ଅନୁଷ୍ଠାନ ଓ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦେଖିଲେ ସେମାନଙ୍କ ଭିତରେ ମଧୁବାବୁଙ୍କ ପ୍ରତିଛବି ଦେଖିବାକୁ ମିଳିବ ବୋଲି ଜଷ୍ଟିସ ରଥ କହିଥିଲେ।

‘ସମ୍ବାଦ’ ସମ୍ପାଦକ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟର˚ଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଟକର ମେୟର ସୁବାସ ସି˚ହ କହିଥିଲେ, ପୂର୍ବରୁ ଆମ ରାଜ୍ୟ ବଙ୍ଗ, ବିହାର ଭିତରେ ରହିଆସୁଥିଲା। ହେଲେ ମଧୁବାବୁଙ୍କ ଅବଦାନ ପାଇଁ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହୋଇଥିଲା। ଭାଷାଭିତ୍ତିକ ରାଜ୍ୟ ଗଠନର ମୂଳଦୁଆ ଏଇଠି ପଡ଼ିଥିଲା ଏବଂ ତାହା ଦେଶରେ ଅନେକ ରାଜ୍ୟ ଗଠନର ଆଧାର ଭାବେ ଗ୍ରହଣ କରାଯାଇଥିଲା। ମେୟର ଶ୍ରୀ ସିଂହ ଗୋରା କବରର ପରିବେଶର ବିକାଶ ପାଇଁ ଉଦ୍ୟମ ହେବା ଆବଶ୍ୟକ ବୋଲି କହିଥିଲେ।

ସମାରୋହରେ ସଭାପତିତ୍ବ ଅଭିଭାଷଣ ରଖି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବର୍ତ୍ତମାନର ସରକାରୀ ସୁବିଧା ଓ ଓଡ଼ିଆ ଜାତିର ଟେକ ରଖିବା ପାଇଁ ମିଛ କାନ୍ଦଣା ବନ୍ଦହେବା ଆବଶ୍ୟକ। ସରକାର ସବୁପ୍ରକାର ସୁବିଧା ଦେଉଥିଲେ ବି ଶିକ୍ଷା ଯେଉଁଭଳି ଭାବେ ସମୃଦ୍ଧ ହେବା କଥା ତାହା ହୋଇପାରୁନାହିଁ। ଜଣେ ବ୍ୟକ୍ତିକୁ ବଡ଼ କରିଦେଲେ ସେ ବଡ଼ ହୋଇ ଯାଏନି କିମ୍ବା ଛୋଟ କରି ଦେଖାଇବାକୁ ନୂଆ ଇତିହାସ ଲେଖିଲେ ସେ ଆମ ମାନସପଟରୁ ଉଭେଇ ଯିବେନି। ପାଠ ପଢିବାକୁ ମଧୁବାବୁ ଧର୍ମ ପରିବର୍ତ୍ତନ କରିଥିଲେ। କିନ୍ତୁ ଓଡ଼ିଶାବାସୀଙ୍କ ପାଇଁ ତାଙ୍କ ଧର୍ମରେ କୌଣସି ପରିବର୍ତ୍ତନ ହୋଇ ନଥିଲା। ଧର୍ମ ପରିବର୍ତ୍ତନ କରିଥିଲେ ସୁଦ୍ଧା ଜଗନ୍ନାଥଙ୍କ ପ୍ରତି ଆସିଥିବା ବିପଦ ସମୟରେ ସେ ନିଶୁକ୍ଳ ଭାବେ ମାମଲା ଲଢିଥିଲେ। ଜଗନ୍ନାଥଙ୍କୁ ନେଇ ଗର୍ବ କରିବା, କନ୍ଦଳରୁ ଉର୍ଦ୍ଧ୍ବକୁ ଉଠି ଜଗନ୍ନାଥଙ୍କୁ ସାରାବିଶ୍ବରେ ବଡ଼ ଠାକୁର ଭାବେ ପରିଚିତ କରାଇବାର ଉଦ୍ୟମ କରିବା ହିଁ ମଧୁବାବୁଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ପଟ୍ଟନାୟକ କହିବା ସହିତ ମାଟି ଓ ପାର୍ଟି ଭିତରେ ଆଗ ମାଟି କଥା ଚିନ୍ତା କରିବାକୁ ପରାମର୍ଶ ଦେଇଥିଲେ।

ଏହି ସମାରୋହରେ କେନ୍ଦ୍ର ସାହିତ୍ୟ ଏକାଡେମି ଓଡ଼ିଆ ଉପଦେଷ୍ଟାମଣ୍ତଳୀର ଆବାହକ ଡ. ବିଜୟାନନ୍ଦ ସି˚ହ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଆମ ଓଡ଼ିଶାର ସମ୍ପାଦକ ସ୍ବରାଜ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସମାରୋହ ପ୍ରାରମ୍ଭରେ ଅତିଥିମାନେ ମଧୁ ବାବୁଙ୍କ ସମାଧିପୀଠରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର