ବୋସ୍‌ ଛାତ୍ରଛାତ୍ରୀଙ୍କ ଅଭିନବ ଉଦ୍ଭାବନ : ପିଲାଙ୍କ ପାଇଁ ଅଫିସ୍‌ ପାଲଟିବ ଘର

କର୍ମଜୀବୀ ମହିଳାଙ୍କ ପାଇଁ ସୁଯୋଗ ଆଣିବ ‘ସ୍ମାର୍ଟ ବେବି ସୁଇଙ୍ଗ୍‌’.....

କଟକ : ଏଣିକି କର୍ମଜୀବୀ ମହିଳା ଅଫିସରେ ରହି ବି ନିଜ ପିଲାର କଥା ବୁଝି ପାରିବେ। ଝୁଲଣାରେ ଶୋଇଥିବା ଶିଶୁକୁ କାର୍ଯ୍ୟକ୍ଷେତ୍ରରେ ରହି ଦେଖିପାରିବେ। ଝୁଲଣାକୁ ଝୁଲାଇ ପାରିବେ। ଗୀତ ଶୁଣାଇ ପାରିବେ। ମା’ ମାନେ ଘରେ କାମ କରୁଥିବା ସମୟରେ ଶିଶୁ ବିଛଣାରେ ପରିସ୍ରା କିମ୍ବା ମଳତ୍ୟାଗ କଲେ ତାହା ବି ଜାଣି ପାରିବେ। କଟକର ଭୁବନାନନ୍ଦ ସ୍କୁଲ୍‌ ଅଫ୍‌ ଇଂଜିନିୟରିଂ (ବୋସ୍‌)ର ଛାତ୍ରଛାତ୍ରୀ ତିଆରି କରିଛନ୍ତି ଶିଶୁଙ୍କ ପାଇଁ ଏଭଳି ଅତ୍ୟାଧୁନିକ ଉପକରଣ। ‘ସ୍ମାର୍ଟ ବେବି ସୁଇଙ୍ଗ୍‌’, ‘ବେବି ଏୟାର ବେଡ୍‌’, ‘ସ୍ମାର୍ଟ ବେବି ଷ୍ଟ୍ରଲର’, ‘ବ୍ୟାଗ ପ୍ୟାକ ସୋଲାର ଫୋଲଡିଙ୍ଗ ସାଇକେଲ’ ଭଳି ଉପକରଣ ଛାତ୍ରଛାତ୍ରୀମାନେ ତିଆରି କରିଛନ୍ତି।

ବୋସ୍‌ ଛାତ୍ରଛାତ୍ରୀ ‘ଡିଜାଇନ୍‌ ଆଣ୍ଡ ଇନୋଭେସନ୍‌ ପ୍ରୋଜେକ୍ଟ’ ଓ ‘ସ୍ପୋକ୍‌ ସେଣ୍ଟର ଅଫ ଆଇଆଇଟି’ ଭୁବନେଶ୍ୱର ମାଧ୍ୟମରେ ତିଆରି କରିଛନ୍ତି ଏଭଳି ଅତ୍ୟାଧୁନିକ ସାମଗ୍ରୀ। କଲେଜର ମେକାନିକାଲ୍‌, ଆପ୍ଲାଇଡ୍‌ ଇଲୋକ୍ଟ୍ରନିକ୍ସ ଓ ସିଭିଲ୍‌ ଇଂଜିନିୟରିଙ୍ଗ ଛାତ୍ରଛାତ୍ରୀ ଏହାକୁ ନିର୍ମାଣ କରିଛନ୍ତି। ଶିଶୁଙ୍କ ପାଇଁ ବିଶେଷ ଭାବେ ତିଆରି ହୋଇଛି ସ୍ମାର୍ଟ ସେନ୍‌ସର ବେବି ସୁଇଙ୍ଗ୍‌। ଯେଉଁଥିରେ ପିଲାକୁ ଘରେ ଶୁଆଇ ମା’ ମାନେ କାର୍ଯ୍ୟ କ୍ଷେତ୍ରକୁ ଯାଇ ପାରିବେ। ଅଫିସ୍‌ରେ ବସି ପିଲା କାନ୍ଦିବା ଓ ହସିବା ଜାଣିବା ସହ ଏହାକୁ ମୋବାଇଲରେ ଦେଖିପାରିବେ। ୨୦ କିଲୋମିଟର ପରିସର ମଧ୍ୟରେ ଏହା ସମ୍ଭବ ହେଉଥିବା ବେଳେ ସେଠାରେ ବସି ଝୁଲଣାକୁ ମଧ୍ୟ ଝୁଲାଇ ପାରିବେ ଓ ଗୀତ ମଧ୍ୟ ଶୁଣାଇ ପାରିବେ। ତେବେ ମା’ ମାନଙ୍କୁ ସେମାନଙ୍କ ମୋବାଇଲରେ ‘ଆଡ୍ରିନୋ’ ସିଷ୍ଟମକୁ ଅପ୍‌ଲୋଡ୍‌ କରିବାକୁ ପଡିବ। ସେହିପରି ଶିଶୁ ଶେଯରେ ପରିସ୍ରା କିମ୍ବା ମଳତ୍ୟାଗ କଲେ ବି ମା’ ଜାଣିି ପାରିବେ। ଏଥିପାଇଁ ତିଆରି ହୋଇଛି ‘ବେବି ଏୟାର ବେଡ୍‌’। ମା’ କାମ କରୁଥିବା ସ୍ଥାନରେ ବେଲ ରହିଥିବା ବେଳେ ଶେଯରେ ଶିଶୁ ପରିସ୍ରା କିମ୍ବା ଝାଡ଼ା କଲେ ଏହା ବାଜି ଉଠିବ। ବେଡ୍‌ରେ ଲାଗିଥିବା ସେନ୍‌ସର ବିଛଣା ଓଦା କିମ୍ବା ମଳ ଦୁର୍ଗନ୍ଧ ହେଲେ ଏହା ବେଲ ବାଜିବାକୁ ନିର୍ଦ୍ଦେଶ ଦେବ। ସେହିପରି ଛାତ୍ରଛାତ୍ରୀ ଛୋଟ ପିଲାଙ୍କ ପାଇଁ ତିଆରି କରଛନ୍ତି ‘ସୋଲାର ସେନ୍‌ସର ଫୋଲଡିଙ୍ଗ୍‌ ସାଇକେଲ’। ଅଢେଇ ଫୁଟ ଉଚ୍ଚତା ଓ ୬ କେଜି ଓଜନର ସୌର ଶକ୍ତିରେ ଚାଲୁଥିବା ଏହି ସାଇକେଲଟି ରିମୋଟ୍‌ରେ ନିୟନ୍ତ୍ରଣ ହେଉଛି। ଦୁଇ କିଲୋମିଟର ପରିସର ମଧ୍ୟରେ ପିଲା ସାଇକେଲ ଚଲାଉଥିଲେ ଆଗରୁ ଗାଡି ଆସିବା କିମ୍ବା ରାସ୍ତାର ଅବସ୍ଥାକୁ ରିମୋଟ୍‌ରେ ଦେଖି ଏହାକୁ ନିୟନ୍ତ୍ରଣ କରିହେବ। ସୂର୍ଯ୍ୟଙ୍କ କିରଣରେ ଏହାର ବ୍ୟାଟେରିକୁ ଚାର୍ଜ କରାଯାଇ ପାରିବ। ଏବେ ଏହାର ଓଜନକୁ ୬ କେଜି ବଦଳରେ ୩ କେଜି କରିବାକୁ କାମ ଚାଲିଛି। ସାଇକେଲଟିକୁ ଫୋଲଡିଙ୍ଗ କରି ଏକ ଛୋଟ ବ୍ୟାଗରେ ମଧ୍ୟ ସାଙ୍ଗରେ ବିଭିନ୍ନ ସ୍ଥାନକୁ ନେଇ ହେବ। ଶିଶୁଙ୍କ ପାଇଁ ମଧ୍ୟ ତିଆରି ହୋଇଛି ‘ସ୍ମାର୍ଟ ବେବି ଷ୍ଟ୍ରଲର’ ଯାହା ରିମୋଟ ଦ୍ୱାରା ନିୟନ୍ତ୍ରଣ କରିହେବ। ମା’ ମାନେ ପିଲାଙ୍କୁ ଷ୍ଟ୍ରଲରରେ ବସାଇ ଏହାକୁ ନଠେଲି ରିମୋଟ ମାଧ୍ୟମରେ ଗଡାଇ ପାରିବେ।

କଲେଜ ଛାତ୍ରଛାତ୍ରୀଙ୍କ ଦ୍ୱାରା ତିଆରି ହୋଇଥିବା ଉପରୋକ୍ତ ଉପକରଣ ଗୁଡିକ ବନାରସ୍‌ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଅଲ୍‌ ଇଣ୍ଡିଆ ଡିଆଇସି ମିଟ୍‌ରେ ପ୍ରଦର୍ଶିତ ହୋଇ ବେଶ୍‌ ପ୍ରଶଂସିତ ହୋଇଛି। ଆଗାମୀ ଦିନରେ ଉପକରଣ ଗୁଡିକ ଉପରେ ଅଧିକ ଗବେଷଣା କରାଯିବ ବୋଲି ବୋସ୍‌ର ଅଧ୍ୟକ୍ଷ ଇଂଜିନିୟର ଅରୁଣ କୁମାର ମହାନ୍ତି କହିଛନ୍ତି। ଛାତ୍ରଛାତ୍ରୀ ତିଆରି କରିଥିବା ଉପକରଣର ‘ପେଟେଣ୍ଟ୍‌’ ତିଆରି କରାଯାଇ ବଜାରକୁ ବିକ୍ରି କରିବା ଉଦ୍ଦେଶ୍ୟରେ ଛଡାଯିବ ବୋଲି ଅଧ୍ୟାପକ ସଂଗ୍ରାମ କିଶୋର ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର