ଚକ୍ଷୁ ଓଟି ସଂକ୍ରମଣ ଘଟଣା : ତଦନ୍ତ ପାଇଁ ଗଠନ ହେଲା କମିଟି

କଟକ : ଏସ୍‌ସିବି ମେଡିକାଲ୍‌ ଚକ୍ଷୁ ବିଭାଗ ଓଟି ସଂକ୍ରମଣ ଘଟଣାରେ ତିନି ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି। ପ୍ରଫେସର ଡାକ୍ତର ଇନ୍ଦ୍ରାଣୀ ରଥଙ୍କ ନେତୃତ୍ୱରେ ଏହି କମିଟି ଗଠନ କରାଯାଇଛି। ବର୍ତ୍ତମାନ ଡାକ୍ତର ରଥ ଛୁଟିରେ ଥିବାରୁ ସେ ଆସିବା ପରେ ତଦନ୍ତ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ଗତ ୭ ତାରିଖରେ ଏସ୍‌ସିବି ଚକ୍ଷୁ ବିଭାଗ ଓଟିରେ ୧୨ ଜଣଙ୍କର ମୋତିଆବିନ୍ଧୁ ଅସ୍ତ୍ରୋପଚାର କରାଯାଇଥିଲା। ୮ତାରିଖରେ ସମସ୍ତ ପରୀକ୍ଷା ହେବା ପରେ ରୋଗୀମାନଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା। ତେବେ ୯ତାରିଖରେ ରୋଗୀମାନଙ୍କ ଆଖିରୁ ପାଣି ବାହାରିବା ସହିତ କୁଣ୍ଡେଇ ହୋଇଥିଲା। ଛୁଟି ଥିବାରୁ ପରେ ସେମାନେ ଏସ୍‌ସିବିରେ ଚିକିତ୍ସା କରାଇନପାରି ସିଡିଏସ୍ଥିତ ରୋଟାରୀ ଚକ୍ଷୁ ଚିକିତ୍ସାଳୟକୁ ଚାଲିଯାଇଥିଲେ। ଘଟଣା ପ୍ରଘଟ ହେବା ପରେ ଓଟିକୁ ଫ୍ୟୁମିଗେସନ୍‌ ପାଇଁ ବନ୍ଦ କରିଦିଆଯାଇଛି। ଓଟିରେ ବ୍ୟବହୃତ ହେଉଥିବା ଟାେଓ୍ଵଲ, ସାଲାଇନ୍‌ ବୋତଲ, ଷ୍ଟାଣ୍ଡ, ଅସ୍ତ୍ରୋପଚାର ଉପକରଣ ଇତ୍ୟାଦି ସମସ୍ତ ସାମଗ୍ରୀକୁ ପରୀକ୍ଷା ପାଇଁ ମାଇକ୍ରୋବାୟୋଲୋଜି ବିଭାଗକୁ ପଠାଇ ଦିଆଯାଇଛି। ଯଦି ରିପୋର୍ଟ ପଜିଟିଭ୍‌ ବାହାରେ ତାହେଲେ ୭ଦିନ ପର୍ଯ୍ୟନ୍ତ ଓଟିକୁ ବନ୍ଦ କରାଯାଇ ସଂପୂର୍ଣ୍ଣ ଭାବେ ଫ୍ୟୁମିଗେଟ୍‌ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର