ଜୟପୁର: ରାଜ୍ୟରେ ୨୪ବର୍ଷ ବିଜେଡି ଓ କେନ୍ଦ୍ରରେ ୯ବର୍ଷ ବିଜେପି ନେତୃତ୍ବାଧୀନ ସରକାର ଯାହା କରି ପାରିନି କଂଗ୍ରେସ ଯଦି ଜିତିବ ତେବେ ଗ୍ୟାରେଣ୍ଟି ଦେଇ କରିକି ଦେଖାଇବ। ଆମ ଯୋଜନାକୁ କେନ୍ଦ୍ର ଓ ରାଜ୍ୟସରକାର ହାଇଜାକ କରି ନାଁ ପରିବର୍ତ୍ତନ କରି ନିଜେ କରିବା ବାହାବା ନେଉଛନ୍ତି। ଲୋକେ ଭଲଭାବେ ଉଭୟ କୁହାଳିଆ ସରକାରଙ୍କୁ ଚିହ୍ନିଗଲେଣି ବୋଲି କଂଗ୍ରେସ ଭବନରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ମାଦିକ ସମ୍ମିଳନୀରେ କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି।

Advertisment

ଗତ କିଛି ଦିନ ହେବ ମେଣ୍ଟ ନାଁରେ ଲୋକଙ୍କ ଭାବାବେଗ ସହ ଯେଭଳି ଉଭୟ ଦଳ ଖେଳିଲେ ତାହାର ଉଚିତ ଜବାବ ଆସନ୍ତା ସାଧାରଣ ନିର୍ବାଚନରେ ଲୋକେ ଦେବେ ବୋଲି କହିଛନ୍ତି ଜୟପୁର ବିଧାୟକ। ଧାନର ଏମସପି (ସର୍ବନିମ୍ନ ସହାୟକ ମୂଲ୍ୟ)ବୃଦ୍ଦି ପାଇଁ ବିଧାନସଭାରେ ‌ବିଧାୟକ ବାରମ୍ବାର ପ୍ରଶ୍ନ ଉଠାଇବା ପରେ ଏହାକୁ ନେଇ ବିଧାନସଭାରେ ରେଜୁଲେସନ୍ କରାଗଲା। ଏମଏସପି ଦର ବୃଦ୍ଧି କେବଳ କେନ୍ଦ୍ର ହିଁ କରି ପାରିବ। ତେଣୁ ବାଚସ୍ପତିଙ୍କ ନେତୃତ୍ବରେ ଦଳମତ ଭାବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯୋଜନା କରାଯାଇଥିଲା। ତେବେ ପ୍ରଧାନମନ୍ତ୍ରୀ ବାଚସ୍ପତିଙ୍କ ଚିଠି ପାଇବା ପରେ ବି ଓଡିଶା‌ବାସୀଙ୍କୁ ଭେଟିବାକୁ ସୁଯୋଗ ଦେଇ ନଥିଲେ। ଏହା ଠାରୁ ଦୁର୍ଭାଗ୍ୟଜନକ ଘଟଣା କଣ ହୋଇପାରେ ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି।

କଂଗ୍ରେସ ସରକାର ଆସିଲେ ବୋନସ ସହ ଧାନର କ୍ରୟ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦ ଟଙ୍କା କରିବ ବୋଲି ବିଧାୟକ କହିଥିଲେ। ସେହିଭଳି କଂଗ୍ରେସ ସରକାର ହିଁ କୃଷି ଋଣ ଛାଡ଼ କରିଥିଲେ। ବିଜେପି ସରକାର କୃଷି ଋଣଛାଡ଼ କରି ନାହାନ୍ତି। କିନ୍ତୁ ପୁଣି କଂଗ୍ରେସ ସରକାର ଆସିଲେ କୃଷି ଋଣ ଛାଡ଼ କରାଯିବ। ପ୍ରତ୍ୟେକ ଘରୋଇ ଉପଭୋକ୍ତା, ଚାଷୀଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ଼। କଂଗ୍ରେସ ସରକାର ର୍ହି ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତିକରଣ ଯୋଜନା ଆରମ୍ଭ କରିଥିଲେ ବୋଲି କହିଥିଲେ। ଶିକ୍ଷିତ ୫ ଲକ୍ଷ ଯୁବକ ଯୁବତୀଙ୍କୁ ପାଇଁ ନିଯୁକ୍ତି ବ୍ୟବସ୍ଥା। ଲୋକେ ଦାଦନ ଖଟିବାକୁ ଯାଉଥିବାରୁ ସେମାନଙ୍କୁ ରୋକିବା ପାଇଁ ବେକାରୀ ଭତ୍ତା ମାସିକ ୩ହଜାର ଟଙ୍କା ପ୍ରଦାନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼, ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ (ମହିଳା) ଙ୍କୁ ମାସିକ ଭତ୍ତା ୨୦୦୦ଟଙ୍କା, ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ଗୋଟିଏ ସିଲିଣ୍ଡର, ସରକାରୀ, ବେସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା କରାଯିବ। ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା ଦିଆଯିବ ବୋଲି ଘୋଷଣା କରିଥିଲେ।