ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନବିରୋଧୀ: ନିରଞ୍ଜନ 

ଆନନ୍ଦପୁର: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଓ ରାଜ୍ୟର ନବୀନ ପଟ୍ଟନାୟକ ସରକାର ଉପରେ ସାଧାରଣ ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି। ରାଜ୍ୟରେ କୃଷକମାନେ ସବୁଠାରୁ ଅଧିକ ଅବହେଳିତ ହୋଇଥିବା ବେଳେ ମହିଳା ଓ ଶିଶୁଙ୍କ ପ୍ରତି ଅତ୍ୟାଚାର ଚରମସୀମାରେ ପହଞ୍ଚିଛି। ସାଧାରଣ ଲୋକେ ସର୍ବନିମ୍ନ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଶାସକ ଦଳର କର୍ମୀମାନେ ସରକାରୀ ଅନୁଦାନ ଲୁଟିବାରେ ବ୍ୟସ୍ତ ରହୁଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନବିରୋଧୀ ବୋଲି ଘସିପୁରା ବ୍ଲକ୍‌ ମଦନପୁର ପଞ୍ଚାୟତ ଭଗାନଈ ଆମ୍ବତୋଟାରେ ଆୟୋଜିତ କଂଗ୍ରେସର ବ୍ଲକ୍‌ସ୍ତରୀୟ ସାଂଗଠନିକ ବୈଠକରେ ଯୋଗଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି।

ଜିଲ୍ଲା କଂଗ୍ରେସ ସଭାପତି ବିପ୍ଲବ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ମୋଦୀ ଦେଶବାସୀଙ୍କୁ ଠକିଛନ୍ତି। ଚାଷୀମାନେ ହନ୍ତସନ୍ତ ହେଉଛନ୍ତି। ପାଞ୍ଚବର୍ଷରେ ସମସ୍ତଙ୍କ ଜମାଖାତାକୁ ୧୫ଲକ୍ଷ ଟଙ୍କା ପ୍ରଦାନ, ଚାଷୀଙ୍କ ଆୟ ଅଢ଼େଇ ଗୁଣ ବୃଦ୍ଧି, ବ୍ୟାପକ ନିଯୁକ୍ତି ସୁଯୋଗ ପାଇଁ ମୋଦୀ ପ୍ରତିଶ୍ରୁତି ଦେଇଥିବା ବେଳେ ଏହା ପ୍ରହସନରେ ପରିଣତ ହୋଇଛି। ତେଲ ଦର ବୃଦ୍ଧିରେ ଜନସାଧାରଣ ଅତିଷ୍ଠ ହୋଇଥିବାବେଳେ ଏହାର ଲାଭାଂଶ ନେତାଙ୍କ ପକେଟକୁ ଯାଉଥିବା ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଥିଲେ। ସେହିପରି ନବୀନ ସରକାର ଅମଳରେ ଦୁର୍ନୀତି ଚରମସୀମାରେ ପହଞ୍ଚିଛି। ସରକାରୀ ଅଧିକାରୀମାନେ ଗାଁ ଟାଉଟରଙ୍କ କଥାରେ ପରିଚାଳିତ ହୋଇ ସାଧାରଣ ଲୋକଙ୍କ ସମସ୍ୟାକୁ ଅଣଦେଖା କରୁଥିବା ସେ ଅଭିଯୋଗ କରିଛନ୍ତି। ଆଗକୁ ବିଜେଡି ଦଳ ଭାଙ୍ଗିବା ନିଶ୍ଚିତ। କଂଗ୍ରେସ ପୁଣି କ୍ଷମତାକୁ ଫେରିବ ବୋଲି ସେ କହିଛନ୍ତି। କଂଗ୍ରେସ କର୍ମୀମାନେ ଲୋକଙ୍କ ନିକଟକୁ ଯାଇ ବିଜେପି ଓ ବିଜେଡିର ଦୁର୍ନୀତି ଏବଂ ଭ୍ରଷ୍ଟାଚାର ସମ୍ପର୍କରେ ଅବଗତ କରିବା ସହ ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ ସପକ୍ଷରେ ଜନମତ ସୃଷ୍ଟି କରିବାକୁ ସେ ଆହ୍ବାନ ଦେଇଥିଲେ। ଏହି ଅବସରରେ ସେ ଦଳୀୟ କର୍ମୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ଉପହାର ପ୍ରଦାନ କରିଥିଲେ।

ପୂର୍ବତନ ସଭାପତି ମୋହନ ଚରଣ ପରିଡ଼ା, ପୂର୍ବତନ କାର୍ଯ୍ୟକାରୀ ସଭାପତି ରତିକାନ୍ତ ବରାଳ, ପୂର୍ବତନ ବ୍ଲକ୍‌ ସଭାପତି ଦିଲୀପ ଜେନା ପ୍ରମୁଖ କଂଗ୍ରେସ ଦଳକୁ କିଭଳି ମଜଭୁତ୍ କରାଯାଇପାରିବ ସେ ସମ୍ପର୍କରେ ଉଦ୍‌ବୋଧନ ଦେଇଥିଲେ। ପ୍ରାରମ୍ଭରେ ଦଳର ପୁରୁଖା ସଦସ୍ୟ ତଥା ପୂର୍ବତନ ସରପଞ୍ଚ ବୈକୁଣ୍ଠ ମହାନ୍ତି, ପୂର୍ବତନ ସରପଞ୍ଚ କଳାକାର ନାୟକ, ନଦୁଆଁର ରାମଚନ୍ଦ୍ର ସାହୁ, ଖାଳିଆମେଣ୍ଟାର ବୃନ୍ଦାବନ ଜେନା, ଦରଡ଼ିପାଳର ନିଶାକର ଜେନା, ବାବାଜି ପେରେଇ, ଗଁପୁରର କନକା ମୁଣ୍ଡା, ବାତୋର ବଲ୍ଲଭ ସାହୁ, ସଟ୍‌ତିରାର ସନାତନ ଅମାନ୍ତ, ନବଘନ ସାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଘସିପୁରା ବ୍ଲକ୍‌ କଂଗ୍ରେସ ସଭାପତି ମନୋନୟନ ପାଇଁ ମତାମତ ନିଆଯାଇଥିଲା।

ଗଡ଼ବାନ୍ଧଗୋଡ଼ା ପଞ୍ଚାୟତର ସୁବ୍ରତ କୁମାର ଚକ୍ର (ଟିଟୁନି)ଙ୍କ ସପକ୍ଷରେ ସର୍ବାଧିକ ମତ ଯାଇଥିବାବେଳେ ମଦନପୁର ପଞ୍ଚାୟତର ସୁବ୍ରତ କୁଅଁର (ଚଗଲା)ଙ୍କ ନାମ ମଧ୍ୟ ଆଲୋଚନାକୁ ଆସିଥିଲା। ଚୂଡ଼ାନ୍ତ ଅନୁମୋଦନ ପାଇଁ ପିସିସିକୁ ପଠାଯାଇଥିବା ଜଣାପଡ଼ିଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଚତୁର୍ଭୁଜ ନାୟକ, ସନ୍ତୋଷ ଚକ୍ର, ମନୋଜ ସ୍ବାଇଁ, ପୂର୍ବତନ ପୌର ଉପାଧ୍ୟକ୍ଷ ସୁରେଶ ସାହୁ, ଯୁବନେତା ଅଭିମନ୍ୟୁ ନାଥ, ମନୋଜ ସ୍ବାଇଁ, ସଦାଶିବ ନାୟକ, ଜୟନ୍ତ ସାହୁ, ନିରାକାର ଜେନା, ତ୍ରିଲୋଚନ ପରିଡ଼ା, ତାରିଣୀ ପ୍ରସାଦ ପଟ୍ଟନାୟକ, ଅନନ୍ତ ଜେନା, ମିଲୁ ପୁହାଣ, ଦୀପ୍ତିରଂଜନ ସାହୁ, ବୈଲୋଚନ ପଣ୍ଡା, କାଠି ସାହୁ, ଧ୍ରୁବ ଚକ୍ର, ଦୈତାରୀ ନାୟକ, ନିରଂଜନ ଜେନା, ଭୀମସେନ ମାଝୀ, ନବଘନ ସାହୁ, ନିରାକାର ସାହୁଙ୍କ ସମେତ ସମସ୍ତ ପଞ୍ଚାୟତର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର