ପ୍ରତି ବ୍ଲକ୍‌ରେ ଟିକାକରଣ କରୁଛନ୍ତି ୮ ମୋବାଇଲ ଭ୍ୟାନ୍
୬୦ବର୍ଷରୁ ଅଧିକ ୧୦% ହିତାଧିକାରୀ ନେଇ ନାହାନ୍ତି ପ୍ରଥମ ଡୋଜ୍

Advertisment

ଭୁବନେଶ୍ୱର : ରାଜ୍ୟରେ ଉଭୟ ଡୋଜ୍ ଟିକାକରଣ ୨କୋଟି ଟପିଛି। ସୋମବାର ଦିନ ରାଜ୍ୟରେ ୨ଲକ୍ଷ ୪୪ହଜାର ୮୭୭ଜଣଙ୍କୁ କରୋନା ଟିକା ଦିଆଯିବା ପରେ ରାଜ୍ୟ ଏହି ସଫଳତା ହାସଲ କରିଛି। ବର୍ତମାନ ସୁଦ୍ଧା ରାଜ୍ୟରେ ୨.୮୯ କୋଟିର ଅଧିକ ପ୍ରଥମ ଡୋଜ୍ ଟିକା ଦିଆଗଲାଣି। ସମୁଦାୟଭାବେ ୪କୋଟି ୯୦ଲକ୍ଷ ୩୧ହଜାର ୪୫୨ ହିତାଧିକାରୀ ଟିକା ନେଇ ସାରିଲେଣି।

ଅପରପକ୍ଷରେ ରାଜ୍ୟରେ ଏବେ ଟିକାର ଅଭାବ ନାହିଁ। ମୋବାଇଲ ଭ୍ୟାନ୍ ଜରିଆରେ ଟିକାକରଣ କରାଯାଉଛି। ଏହାସତ୍ତ୍ବେ ରାଜ୍ୟରେ ୬୦ବର୍ଷରୁ ଅଧିକ ଲୋକଙ୍କ ପ୍ରଥମ ଡୋଜ୍ ଟିକାକରଣ ଶତ ପ୍ରତିଶତ ଛୁଇଁନାହିଁ। ଏହି ବର୍ଗରେ ୫୨ଲକ୍ଷରୁ ଅଧିକ ଲୋକ ଥିବା ବେଳେ ତହିଁରୁ ୧୦ ପ୍ରତିଶତ ନିଜର ପ୍ରଥମ ଡୋଜ୍ ନେଇ ନାହାନ୍ତି। ଏହାସହ ଯେତିକି ସଂଖ୍ୟକ ଲୋକ ପ୍ରଥମ ଡୋଜ୍ ନେଇଛନ୍ତି ତହିଁରୁ ୮୫ ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇଛନ୍ତି। ଆସନ୍ତାମାସ ୧୦ତାରିଖରୁ ଦେଶବ୍ୟାପୀ ପ୍ରିକସନ୍(ବୁଷ୍ଟର) ଡୋଜ୍ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଯେହେତୁ ୧୦ପ୍ରତିଶତରୁ ଅଧିକ ବୟସ୍କ ଏ ପର୍ଯ୍ୟନ୍ତ ନିଜର ଉଭୟ ଡୋଜ୍ ଟିକା ନେଇ ନାହାନ୍ତି ସେମାନେ ପ୍ରିକସନ୍ ଡୋଜ୍ ନେବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ। ଗୋଟିଏ ପଟେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆହୁରି ୫ଲକ୍ଷରୁ ଅଧିକ ବୟସ୍କ ପ୍ରଥମ ଡୋଜ୍ ଟିକା ନେଇ ନ ଥିବା କାରଣରୁ ସେମାନଙ୍କ ପ୍ରତି ବିପଦ ବୃଦ୍ଧି ପାଇଛି।

ଆସନ୍ତାମାସ ୧୦ତାରିଖରୁ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା, ୬୦ବର୍ଷରୁ ଅଧିକ ଓ ଜଟିଳ ରୋଗ ଥିବା ବୟସ୍କମାନଙ୍କୁ ପ୍ରିକସନ୍ ଡୋଜ୍ ଟିକା ଦିଆଯିବ। ଜଟିଳ ରୋଗରେ ପୀଡ଼ିତ ବ୍ୟକ୍ତି ଡାକ୍ତରଙ୍କ ପାଖରୁ ପରାମର୍ଶ ନେଇ ଏହି ଟିକା ନେଇ ପାରିବେ ବୋଲି କୁହାଯାଇଛି। ରାଜ୍ୟରେ ସମୁଦାୟ ୩.୨୫କୋଟି ହିତାଧିକାରୀଙ୍କୁ ଟିକା ଦିଆଯିବ। ଆସନ୍ତାମାସ ୧୫ତାରିଖ ସୁଦ୍ଧା ରାଜ୍ୟ ସରକାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଅତିକମ୍‌ରେ ପ୍ରଥମ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଶତ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ନିଜର ପ୍ରଥମ ଡୋଜ୍ ନେଇ ସାରିଥିବା ବେଳେ ବୟସ୍କଙ୍କ ପାଇଁ ପ୍ରିକସନ୍ ଡୋଜ୍ ଆହୁରି ବିଳମ୍ବ ହୋଇପାରେ ବୋଲି ଆଶଙ୍କା ଦେଖା ଦେଇଛି। ବିଶେଷକରି ଗ୍ରାମାଞ୍ଚଳରେ ଏହି ହାର ଅଧିକ ରହିଛି। ତେବେ ଟିକାକରଣ ହାର ବଢ଼ାଇବା ଲାଗି ପ୍ରତି ବ୍ଲକ୍‌ରେ ୮ଟି ମୋବାଇଲ ଭ୍ୟାନ୍ ଟିକାକରଣରେ ସାମିଲ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଟିକାକାଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ।

ଡା.ପାଣିଗ୍ରାହୀଙ୍କ କହିବା କଥା ରାଜ୍ୟରେ ଏବେ ବି ୨୯ଲକ୍ଷ ଲୋକ ନିଜର ପ୍ରଥମ ଡୋଜ୍ ଟିକା ନେଇ ନାହାନ୍ତି। ଦ୍ବିତୀୟ ଡୋଜ୍ ଟିକା ନେବାକୁ ଆହୁରି ୩୦ଲକ୍ଷ ଲୋକ ରହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରିକସନ୍ ଡୋଜ୍ ପାଇଁ ଘୋଷଣା କରାଯାଇଛି, ମାତ୍ର କୌଣସି ନିର୍ଦେଶନାମା ଆସିନାହିଁ। ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟମାନଙ୍କ ବୈଠକ ହେବ। ଏଥିରେ ପ୍ରିକସନ୍ ଡୋଜ୍ ନେଇ ଆଲୋଚନା ହେବ ବୋଲି ଆଶା କରାଯାଉଛି। ୧୫-୧୮ବର୍ଷ ବୟସର ପିଲାଙ୍କୁ ଟିକା ନେବାକୁ ହେଲେ ପଞ୍ଜୀକରଣ କରିବାକୁ ପଡ଼ିବ। ଆବଶ୍ୟକ ହେଲେ ସ୍କୁଲ ଓ କଲେଜରେ ଟିକା ଦେବାର ବ୍ୟବସ୍ଥା କରାଯିବ।