ମିଳିମିଶି ଖଣି ଲୁଟୁଛନ୍ତି ଉଭୟ ସରକାର: ପଞ୍ଚାନନ

ଭୁବନେଶ୍ବର : ବିଜେପି କ୍ଷମତାକୁ ଆସିଲେ ଖଣିଜ ପଦାର୍ଥ ଚୋରି ଅପରାଧରେ ରାଜ୍ୟ ସରକାରଙ୍କୁ ଜେଲରେ ଭର୍ତି କରିବ ବୋଲି କହିଥିଲା। ରାଜ୍ୟ ବିଜେପି ଖଣି ଦୁର୍ନୀତିର ସିବିଆଇ ତଦନ୍ତ ମଧ୍ୟ ଦାବି କରୁଥିଲା। କେନ୍ଦ୍ରରେ ବିଜେପି ୭ବର୍ଷ ତଳେ ସରକାରକୁ ଆସିବା ପରେ ୨୦୧୫ରେ ଖଣି ଆଇନର ପରିବର୍ତନ କଲେ। ଏଥିରେ ଖଣି ଉତ୍ତୋଳନକାରୀମାନଙ୍କୁ ଖଣିଜ ସମ୍ପଦ ଲୁଟ୍‌ କରିବାର ସୁଯୋଗ ସୃଷ୍ଟି କରାଗଲା। ପ୍ରାକୃତିକ ସମ୍ପଦରେ ଓଡ଼ିଶା ସମସ୍ତ ରାଜ୍ୟମାନଙ୍କ ଭିତରେ ଶୀର୍ଷରେ ରହିଛି। ସେଥିପାଇଁ ଦେଶ ଓ ବିଦେଶର ବେପାରୀଙ୍କର ଆଖି ଓଡ଼ିଶା ଉପରେ ପଡିଛି। ସେମାନଙ୍କୁ ଉଭୟ ସରକାର କୃପା ଦୃଷ୍ଟିରେ ରଖି ଏହି ଲୁଟ୍‌ପାଟ୍‌ରେ ଭାଗୀଦାର ହୋଇଛନ୍ତି ବୋଲି ଏକ ପ୍ରେସ୍‌ ବିବୃତିରେ କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ।

ବ୍ୟବସ୍ଥା ମୁତାବକ ପ୍ରତି ତିନିବର୍ଷରେ ଖଣିଜ ପଦାର୍ଥର ରୟାଲଟି ବୃଦ୍ଧି ବ୍ୟବସ୍ଥା ରହିଛି। ଏହା ରାଜ୍ୟର ହକ୍। ଉପା ସରକାର ୨୦୧୨ ରେ ଖଣିଜ ସମ୍ପଦ ମୂଲ୍ୟଭିତ୍ତିରେ (ଆଡଭୋଲେରମ) ୧୪ ପ୍ରତିଶତ ହାରରେ ରୟାଲଟି ଦେବା ନିଷ୍ପତ୍ତି ନେଇଥିଲେ। ରାଜ୍ୟ ସରକାର ଏହାର ବିରୋଧ କରି ଅଧିକ ୪/୫ ପ୍ରତିଶତ ବୃଦ୍ଧି ପାଇଁ ଦାବି କରିଥିଲେ। ଏହାର ବିଚାର ପାଇଁ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସରକାର ମନ୍ତ୍ରୀମଣ୍ଡଳୀୟ କମିଟି ଜରିଆରେ ଉଦ୍ୟମ କରୁଥିଲେ। ଇତିମଧ୍ୟରେ ୨୦୧୪ରେ ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ବରେ ବିଜେପି ସରକାର ଶାସନ ଦାୟିତ୍ୱ ନେଲା। ଏପଟେ କେନ୍ଦ୍ରୀୟ ଅବହେଳାର ନାରା ଦେଇ ଆସୁଥିବା ବିଜେଡି ସରକାରଙ୍କର ସ୍ବର କାହିଁକି ନରମି ଗଲା ବୋଲି ଶ୍ରୀ କାନୁନ୍‌ଗୋ ପ୍ରଶ୍ନ କରିଛନ୍ତି।

୨୦୨୦ ରେ ରୟାଲଟି ଆଉ ବୃଦ୍ଧି କରି ହେବ ନାହିଁ ବୋଲି ରାଜ୍ୟ ସଭାରେ କେନ୍ଦ୍ରମନ୍ତ୍ରୀ ରୋକ୍‌ଠୋକ୍‌ ମନା କରି ଦେଇଛନ୍ତି। ଫଳରେ ଗତ ୭ ବର୍ଷରେ ରାଜ୍ୟ ରୟାଲଟି ବାବଦରେ ପ୍ରାୟ ୧୨ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହରାଇଛି। ହଜାର ହଜାର କୋଟି ଟଙ୍କା ରାଜ୍ୟରୁ ଲୁଟ୍‌ ହୋଇ କେନ୍ଦ୍ରକୁ ଯାଉଥିବା ବେଳେ ରାଜ୍ୟ ସରକାର କେତେ ପାଉଛନ୍ତି ସେ ସମ୍ପର୍କରେ ସରକାର ସ୍ପଷ୍ଟ ଉତ୍ତର ରଖିବାକୁ ଶ୍ରୀ କାନନୁଗୋ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର