ଭୁବନେଶ୍ବର : କୋରାପୁଟର କୋଟିଆ ଗ୍ରାମପୁଞ୍ଜ ଉପରେ ଆନ୍ଧ୍ରପ୍ରଦେଶ ସରକକାରଙ୍କ ଅନୁପ୍ରବେଶର ସୀମା ଟପିଲାଣି। ୨୧ଟି ଗାଁରୁ ୩ଟିରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଛି। ଯାହାକି ରାଜ୍ୟ ପାଇଁ ଲଜ୍ଜା ଓ ଦୁର୍ଭାଗ୍ୟର କଥା ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ଅଞ୍ଚଳକୁ ନେଇ ଅତୀତରେ ସୁପ୍ରିମକୋର୍ଟରେ ମାମଲା ହୋଇଥିଲା। ସୁପ୍ରିମକୋର୍ଟ ମତ ରଖି କହିଥିଲେ କି ଏହି ବିବାଦୀୟ ଅଞ୍ଚଳ ଉପରେ କାହାର ସାର୍ବଭୌମତ୍ବ ରହିବ, ସେ ନେଇ ସଂସଦ ନିଷ୍ପତ୍ତି ନେବ। ମହାନଦୀ ଜଳବିବାଦ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ଭୂମିକା ଯେପରି ନିରୁତ୍ସାହଜନକ, ସେହିପରି କୋଟିଆ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ନିଜର ଲଢ଼େଇକୁ ତୀବ୍ରତର କରିପାରୁନାହାନ୍ତି। ବିଜେଡି ସରକାର କେନ୍ଦ୍ରର ବିଜେପି ସରକାରଙ୍କ ସମସ୍ତ ନୀତି ନିଷ୍ପତ୍ତିକୁ ନିଃସର୍ତ୍ତ ସମର୍ଥନ ଦେଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି।
ସେ ଆହୁରି ଅଭିଯୋଗ କରି କହିଛନ୍ତି, ଦୀର୍ଘଦିନ ଧରି କୋଟିଆ ଅଞ୍ଚଳକୁ ନେଇ ବିବାଦ ଲାଗି ରହିଥିବାବେଳେ ଓଡ଼ିଶାର ଅଞ୍ଚଳକୁ ନେଇ ପ୍ରଥମ ଥର ପାଇଁ ସେଠାକାର ନିର୍ବାଚନ କମିସନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏତେବଡ଼ ଘଟଣା ପରେ ବି ବିଜେଡି ଓ ବିଜେପି ନିରବଦ୍ରଷ୍ଟା ସାଜିବା ଓଡ଼ିଶାବାସୀଙ୍କ ପ୍ରତି ବିଶ୍ବାସଘାତକତା। ଆଗାମୀ ୧୩ ତାରିଖରେ ନିର୍ବାଚନ ହେଉଛି। ଏହା ପୂର୍ବରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏ ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନେବା ଦରକାର। ନଚେତ୍ ଆନ୍ଧ୍ର ସମ୍ପୂର୍ଣ୍ଣ କୋଟିଆ ଅଞ୍ଚଳକୁ ଦଖଲ କରିନେବ ବୋଲି ଶ୍ରୀ ପଟ୍ଟନାୟକ ସତର୍କ କରାଇ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Niranjan_Patnaik.jpg)