ଭୁବନେଶ୍ବର: ଚଳିତବର୍ଷ ପ୍ରଥମ ଥର ଓଡ଼ିଶାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରି ଡେଇଁଛି। ବୌଦ୍ଧ ସହରରେ ରାଜ୍ୟ ତଥା ଦେଶର ସର୍ବୋଚ୍ଚ ତାପମାତ୍ରା ୪୪.୩ ଡିଗ୍ରି ଓ ବାରିପଦାରେ ୪୪.୨ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ରାଜ୍ୟର ୩୨ଟି ସହରର ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ରହିଥିବା ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ସେଥିମଧ୍ୟରୁ ୧୦ଟି ସହରରେ ୪୩ ଡିଗ୍ରି କିମ୍ବା ଅଧିକ ରହିଛି। ତେବେ ପାଣିପାଗ ସଂସ୍ଥା ଓଗିମେଟି ତଥ୍ୟ ଅନୁଯାୟୀ ଆଜି ଦିନରେ ବୌଦ୍ଧ ଓ ବାରିପଦାଠାରେ ଏସିଆ ମହାଦେଶର ତୃତୀୟ ଏବଂ ଚତୁର୍ଥ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବା ନେଇ ପୂର୍ବାନୁମାନ କରାଯାଇଛି। ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବା ବେଳେ କେନ୍ଦୁଝର, ଖୋର୍ଦ୍ଧା, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ଢେଙ୍କାନାଳ, ମାଲକାନଗିରି, ନବରଙ୍ଗପୁର, ଗଜପତି ଓ ଗଞ୍ଜାମ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

Advertisment

ମୟୂରଭଞ୍ଜ, ବୌଦ୍ଧ, କଟକ, କେନ୍ଦୁଝର, ଜଗତ୍‌ସିଂହପୁର, କେନ୍ଦ୍ରାପଡା, ଯାଜପୁର, ନବରଙ୍ଗପୁର, ଗଞ୍ଜାମ, ଖୋର୍ଦ୍ଧା, ଦେବଗଡ, ଢେଙ୍କାନାଳ ଜିଲ୍ଲାରେ ଆଜି ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି। ଏଥିସହ ଚଳିତ ଏପ୍ରିଲରେ ୭ଦିନ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇସାରିଛି। ତେବେ ୨୧ ତାରିଖଠାରୁ ପଶ୍ଚିମା-ଝଡ଼ ଦ୍ୱାରା ପ୍ରଶମିତ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ଯାଏଁ ହ୍ରାସ ଘଟିବ। ୨୪ ତାରିଖ ପର୍ଯ୍ୟନ୍ତ ତାତିରୁ ସାମୟିକ ଆଶ୍ବସ୍ତି ମିଳିପାରେ। ୨୫ ତାରିଖଠାରୁ ପୁଣି ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହ ରାଜ୍ୟର ତାପମାତ୍ରା ବୃଦ୍ଧି ହେବ। ମାସର ଶେଷ ଆଡ଼କୁ ଗ୍ରୀଷ୍ମ ପ୍ରବାହ ସହ କିଛି ଅଞ୍ଚଳରେ ଉଷ୍ମ ଆର୍ଦ୍ର ପାଣିପାଗ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏପ୍ରିଲ ୨୬ରୁ ମେ’ ୨ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ମଧ୍ୟମଧରଣର ଗ୍ରୀଷ୍ମପ୍ରବାହ ସମ୍ଭାବନା(୩୪%ରୁ ୬୭%) ରହିଥିବା ନେଇ ଭାରତ ପାଣିପାଗ ବିଭାଗ(ଆଇଏମ୍‌ଡି) ଆକଳନ କରିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ରାଜ୍ୟର ଅଧିକାଂଶ ସ୍ଥାନରେ ତାତି ବଢ଼ିଛି। ବାରିପଦାରୁ ଝାରସୁଗୁଡ଼ା, ଅନୁଗୁଳରୁ ବୌଦ୍ଧ, ଦକ୍ଷିଣ ଅଭ୍ୟନ୍ତରଣର ପାରଳାଖେମୁଣ୍ଡି, ରାୟଗଡ଼ା, ମାଲକାନଗିରି ଓ ଗଞ୍ଜାମର କେତେକ ସ୍ଥାନରେ ମାସ ଶେଷ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ୪୩ରୁ ୪୫ ଡିଗ୍ରି ରହିବ। ପୁରୀଠାରୁ ବାଲେଶ୍ବର ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅସନ୍ତା ତିନି ଦିନ ତାପମାତ୍ରା ୨ରୁ ୩ ଡିଗ୍ରି କମ୍‌ ରହିପାରେ। ଦକ୍ଷିଣ-ପୂର୍ବା ପବନ ହେତୁ ପାଗ ମେଘୁଆ ସହ ତାପମାତ୍ରା କମିବ। ଏପ୍ରିଲ ୨୨ରେ କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବ। ସୋନପୁର, ସମ୍ବଲପୁର, ଭୁବନେଶ୍ବର, ଖୋର୍ଦ୍ଧାରେ ଏହି ବର୍ଷା ହେତୁ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତାପମାତ୍ରା କିଛି କମିବାକୁ ଥିଲେ ମଧ୍ୟ ୪୦ ଡିଗ୍ରି ରହିବ। ୨୫ରୁ ସାରା ରାଜ୍ୟରେ ତାପମାତ୍ରା ଖୁବ୍‌ ବଢ଼ିବ। ଭୁବନେଶ୍ବର, ଅନୁଗୁଳ, ଝାରସୁଗୁଡ଼ା, ରାୟଗଡ଼ା ୪୬ ଡିଗ୍ରି ଅତିକ୍ରମ କରିପାରେ। ପଶ୍ଚିମା/ଉତ୍ତର ପଶ୍ଚିମା ଶୁଷ୍କ ପବନ, ନିର୍ମଳ ଆକାଶ, ଶାନ୍ତ ବାୟୁ ପ୍ରବାହ ସହ ଭୁବନେଶ୍ବରରେ ଯାନବାହନ ବୃଦ୍ଧି, ଏସିରୁ ନିର୍ଗତ ଗ୍ୟାସ୍‌ ଯୋଗୁଁ ତାପମାତ୍ରା ଅଧିକ ବଢ଼ୁଥିବା ସେ କହିଛନ୍ତି।

ପରିବେଶ ଓ ଜଳବାୟୁ କେନ୍ଦ୍ର(ସିଇସି) ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ବର୍ତମାନ ଜାରି ରହିଥିବା ଖରା ତାତି ଆଉ ଗୋଟିଏ ଦିନ ଜାରି ରହିବ। ୨୧ ତାରିଖରୁ ସମୁଦ୍ର ଆଡୁ ଉପକୂଳ ଅଞ୍ଚଳକୁ ଦୁର୍ବଳ ବାୟୁ ପ୍ରବାହ ହେବ, ଯାହାକି ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିପାରେ। ଏପ୍ରିଲ୍ ୨୧ ଓ ପରବର୍ତୀ ଦିନ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କେତୋଟି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ତେବେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଦିନର ତାପମାତ୍ରା ୩୮ରୁ ୪୧ ଡିଗ୍ରି ମଧ୍ୟରେ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ୩୭ରୁ ୩୯ ଡିଗ୍ରି ମଧ୍ୟରେ ରହିପାରେ। ତେବେ ଏପ୍ରିଲ ୨୬ରୁ ୩୦ ପର୍ଯ୍ୟନ୍ତ ଦିନର ତାପମାତ୍ରା ବୃଦ୍ଧି ପାଇବ। ଏପ୍ରିଲ୍ ୨୮ ପରେ ୪୪ରୁ ୪୫ ଡିଗ୍ରି ରହିପାରେ ବୋଲି ସେ କହିଛନ୍ତି।