ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଜି ବୌଦ୍ଧରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି। ରାଜ୍ୟର ୧୩ଟି ସହରର ତାପମାତ୍ରା ୪୩ ଡିଗ୍ରି ଉପରେ ରହିଛି। ବୌଦ୍ଧ ଓ ବାରିପଦାରେ ପାରା ୪୫.୨ ଡିଗ୍ରି ଛୁଇଁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ପ୍ରବଳ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୮ଟାରୁ ଦିନ ୪ଟା ଭିତରେ ବାହାରକୁ ଯିବା ଅସମ୍ଭାଳ ହେଉଛି। ଜରୁରୀ କାମ ନଥିଲେ ଲୋକେ ପଦାକୁ ବାହାରୁ ନାହାନ୍ତି। ମଧ୍ୟାହ୍ଣ ସମୟରେ ରାସ୍ତାଘାଟ ଖାଲିଖାଲି ଲାଗୁଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତାକାଲିଠୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ଆସନ୍ତାକାଲି ଠାରୁ ପଶ୍ଚିମା-ଝଡ ଦ୍ୱାରା ପ୍ରଶମିତ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୨ ରୁ ୩ ଡ଼ିଗ୍ରି ଯାଏଁ ହ୍ରାସ ଘଟିବାରେ ସମ୍ଭାବନା ରହିଛି, ଯାହାରା ପ୍ରଭାବରେ ୨୧ ରୁ ୨୪ ଏପ୍ରିଲ ମଧ୍ୟରେ ରାଜ୍ୟରେ ତାତିରୁ ସାମୟିକ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି।