ତାପମାତ୍ରା: ବୌଦ୍ଧ ଉତ୍ତପ୍ତ ସହର, ଆଜି ୪୫ ଡିଗ୍ରି ରେକର୍ଡ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଟାଣ ଖରା ଅନୁଭୂତ ହେଉଛି। ପଦାକୁ ବାହାରିବା ଅସହଜ ହେଉଛି। ଆଜି ବୌଦ୍ଧରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୫ ଡ଼ିଗ୍ରି ରେକର୍ଡ ହୋଇଛି। ୮ ସହରରେ ତାତି ୪୪ ଡ଼ିଗ୍ରି କିମ୍ବା ଅଧିକ ରେକର୍ଡ ହୋଇଛି। ସେହିପରି ରାଜ୍ୟର ୨୫ ସହରରେ ଦିନର ତାତି ୪୦ ଡ଼ିଗ୍ରି କିମ୍ବା ଅଧିକ ଉପରେ ରେକର୍ଡ ହୋଇଥିବା ବେଳେ ୧୩ ସହରରେ ତାପମାତ୍ରା ୪୩ ଡ଼ିଗ୍ରି କେରର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ବରରେ ୩୯.୮ ଓ କଟକରେ ୪୦ ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ,  ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରାର ବିଶେଷ ପ୍ରଭାବ ପଡିବ ନାହିଁ। କାଳବୈଶାଖୀ ପ୍ରଭାବରେ ହିଟ ୱେଭ୍‌ରେ ସାମାନ୍ୟ ବ୍ରେକ୍‌ ଲାଗିବ। ଆଗାମୀ ୩ ଦିନ ପରେ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ମେ’ ମାସ ୧ରୁ ୨ ତାରିଖରେ ୨ ଡିଗ୍ରି ଯାଏଁ ତାପମାତ୍ରା ତଳକୁ ଖସିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଆଧାରରେ ଏସ୍‌ଆରସି ପକ୍ଷରୁ ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଂଜ, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଚିଠି ଲେଖଯାଇଛି। ଏହି ସବୁ ଜିଲ୍ଲାଗୁଡ଼ିକରେ ଆଗାମୀ ୨ ଦିନ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି କୁହାଯାଇଛି। ଆଇଏମ୍‌ଡି ପକ୍ଷରୁ ଏହି ଜିଲ୍ଲା ଗୁଡ଼ିକ ପାଇଁ ୟୋଲୋ ଓ୍ଵାର୍ଣ୍ଣିଂ ଜାରି କରିଛି।

ଏସ୍‌ଆରସି ପକ୍ଷରୁ କୁହାଯାଇଛି ଯେ, ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉପରୋକ୍ତ ଜିଲ୍ଲା ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ନେଉ। ତାପମାତ୍ରା ବଢ଼ିବାକୁ ଥିବା ବେଳେ ଶିଶୁ ଓ ବୟସ୍କଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପଡ଼ିବ। ଟାଣ ଖରା (ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା)ରେ ଲୋକଙ୍କୁ ବାହାରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ଅନୁସାରେ ପଦକ୍ଷେପ ନେବା ପାଇଁ ଏସ୍‌ଆରସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର