ବୌଦ୍ଧ: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା କୋଟିପତି ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର ଗିରଫ ହୋଇଛନ୍ତି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଭିଜିଲାନ୍ସର ୧୦ଟି ଟିମ୍ ଗତକାଲି ଆର୍ଟିଓ ଶ୍ରୀ ମହାପାତ୍ରଙ୍କ ଭଡ଼ାଘର, ପୈତୃକ ଘର ଆଦି ୧୦ଟି ସ୍ଥାନରେ ଚଢ଼ଉ କରି ୧୯କୋଟିରୁ ଊର୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲେ।
ଚଢ଼ଉ ବେଳେ କେବଳ ଭୁବନେଶ୍ବରରୁ ଶ୍ରୀ ମହାପାତ୍ରଙ୍କ ୫ଟି ଦାମୀ ଫ୍ଲାଟ୍ ସାଙ୍ଗକୁ ଗୋଟିଏ ସପିଂ କମ୍ପ୍ଲେକ୍ସ ଠାବ କରାଯାଇଛି। ପାହାଳ ଅଞ୍ଚଳରେ ଥିବା ଉତ୍କଳ ସିଗ୍ନେଚରରେ ୩୦୦୦ ବର୍ଗଫୁଟ୍ରେ ନିର୍ମିତ କୋଟିଏ ଟଙ୍କାର ଫ୍ଲାଟ୍ ଥିବା ବେଳେ ଗୌତମନଗର ଅଞ୍ଚଳରେ ଥିବା ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ୨ କୋଟି ଟଙ୍କା ମୂଲ୍ୟର ୨୫୦୦ ବର୍ଗଫୁଟ୍ର ସପିଂ କମ୍ପ୍ଲେକ୍ସ, କଳ୍ପନା ସ୍ଥିତି ଉତ୍କଳ ରୟାଲ୍ ରେସିଡେନ୍ସିରେ କୋଟିଏ ଟଙ୍କା ମୂଲ୍ୟର ଫ୍ଲାଟ, କଳାରାହଙ୍ଗ ଅଞ୍ଚଳରେ ଜେଡ୍-୧ ଆଇକନିକ୍ରେ ୫ବିଏଚ୍କେ ଫ୍ଲାଟ୍ ପାଇଁ ଅଗ୍ରୀମ ୧.୩୫କୋଟି ଟଙ୍କା ଜମା, ଶୈଳଶ୍ରୀବିହାର ଅଞ୍ଚଳରେ ଥିବା ୱେଷ୍ଟ୍ ଏଣ୍ଡ ଆପାର୍ଟମେଣ୍ଟରେ ଫ୍ଲାଟ୍, ରଙ୍ଗମାଟିଆ ହରପ୍ରିୟା ଏନ୍କ୍ଲେଭରେ ଫ୍ଲାଟ ଠାବ ହୋଇଛି। ବେଙ୍ଗାଲୁରୁରେ ମଧ୍ୟ ତାଙ୍କ ଫ୍ଲାଟ ରହିଛି। ସେ ଓଜୋନ୍ ଏଲିଗାଣ୍ଟରେ ଫ୍ଲାଟ ପାଇଁ ୮୮ଲକ୍ଷ ଟଙ୍କା ଅଗ୍ରିମ ଦେଇଥିବା ଜଣାପଡ଼ିଛି।
ତାଙ୍କର ବିଭିନ୍ନ ବ୍ୟାଙ୍କ୍ରେ ୩କୋଟିରୁ ଊର୍ଧ୍ବ ଟଙ୍କା ଜମାଥିବା ଭିଜିଲାନ୍ସ ହାତରେ ତଥ୍ୟ ଲାଗିଛି। ଭୁବନେଶ୍ବର ଆକ୍ସିସ ବ୍ୟାଙ୍କରେ ସର୍ବାଧିକ ୨ କୋଟି ୧୧ଲକ୍ଷ ୭୯ ହଜାର ଟଙ୍କା ଥିବା ବେଳେ ଆଇସିଆଇସିଆଇ ବ୍ୟାଙ୍କରେ ୪୪ ଲକ୍ଷ ୩୫ ହଜାର ଟଙ୍କା ଓ ଏସ୍ବିଆଇରେ ୩୯ ଲକ୍ଷ ୫୫ ହଜାର ଟଙ୍କା ରହିଛି। ଇନ୍ସ୍ୟୁରାନ୍ସ ଓ ବଣ୍ଡ୍ ଜମାକୁ ଠାବ କରାଯାଇଛି। ଏନ୍ଏଚ୍ଏଆଇ କ୍ୟାପିଟାଲ୍ ଗେନ୍ ବଣ୍ଡରେ ୪୮ଲକ୍ଷ ଟଙ୍କା ଓ ମ୍ୟାକ୍ସ ଲାଇଫ୍ରେ ୩୧ ଲକ୍ଷ ୯୦ ହଜାର ଟଙ୍କା ରହିଛି। ଘରୁ ନଗଦ ୧ଲକ୍ଷ ୧୬ହଜାର ୭୦୦ ଟଙ୍କା, ୬୦୦ ଗ୍ରାମ୍ର ସୁନା ଗହଣା ୩୧୮ ଗ୍ରାମର ରୁପା, ୯ ଲକ୍ଷ ଟଙ୍କାର ଆସବାବପତ୍ର ମଧ୍ୟ ଜବତ କରାଯାଇଛି। ଗୋଟିଏ ବାଇକ୍ ଠାବ ହୋଇଛି। ଠାବ ହୋଇଥିବା ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୯ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହାଠାରୁ ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତି ଆହୁରି ଢେର୍ ଅଧିକ ହେବ ବୋଲି ଅନୁମାନ କରାଯାଉଛି।
୨ଜଣ ଅତିରିକ୍ତ ଏସ୍ପିଙ୍କ ନେତୃତ୍ବରେ ୬ଜଣ ଡିଏସ୍ପି, ୬ଜଣ ଆଇଆଇସି ଓ ଅନ୍ୟ କର୍ମଚାରୀମାନେ ଭୁବନେଶ୍ବର, ବୌଦ୍ଧ ଓ ଗଞ୍ଜାମ ଜିଲ୍ଲାର ୧୦ଟି ସ୍ଥାନରେ ଆଜି ଏହି ଚଢ଼ଉ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/a5879eba-1feb-473d-896f-2f8e190a7fc1.jpeg)