ଜହ୍ନାପଙ୍କ : ବୌଦ୍ଧ ବ୍ଲକ୍‌ ତେଲିବନ୍ଧ ମଣ୍ଡିରୁ ୭ ଦିନ ହେଲା ଧାନ ଉଠୁନାହିଁ। ଫଳରେ ସୋମବାର ଚାଷୀମାନେ ପ୍ୟାକ୍ସ ‌ଫାଟକରେ ତାଲା ପକାଇ ଦେଇଛନ୍ତି।

Advertisment

ପ୍ୟାକ୍ସ ପକ୍ଷରୁ ଖରିଫ ଋତୁର ଧାନ କ୍ରୟ ପାଇଁ ଜିଲ୍ଲାର ରାଣୀସତୀ, ସେରାବାଲି, ପାହାଡ଼ବାଲି ରାଇସ ମିଲ୍‌କୁ ୧୦ ହଜାର କ୍ୱିଣ୍ଟାଲ ଲେଖାଏଁ, ଗୋପୀନାଥକୁ ୫ ହଜାର ଓ ଶ୍ରୀକୃଷ୍ଣା ରାଇସ୍‌ ମିଲ୍‌କୁ ୧୭୦୦ କ୍ୱିଣ୍ଟାଲ ଧାନ କ୍ରୟ ପାଇଁ ଚୁକ୍ତିନାମା କରିଥିଲା। ସମିତିରେ ଅଞ୍ଚଳର ୧୫୦୦ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ସପ୍ତାହର ସୋମବାର, ମଙ୍ଗଳବାର, ବୁଧବାର ଓ ଗୁରୁବାର ତେଲିବନ୍ଧ ମଣ୍ଡିରୁ ଧାନ ଉଠୁଥିବା ବେଳେ ଶୁକ୍ରବାର, ଶନିବାର ଓ ରବିବାର ଲକ୍ଷ୍ମୀପ୍ରସାଦ ଅସ୍ଥାୟୀ ମଣ୍ଡିରୁ ଧାନ ବିକ୍ରି କରିବା ବ୍ୟବସ୍ଥା କରାଯାଇଛି। ଦୀର୍ଘ ୭ ଦିନ ହେଲା ତେଲିବନ୍ଧ ମଣ୍ଡିକୁ ଧାନ କ୍ରୟ ପାଇଁ ମିଲର ଆସୁନଥିବାରୁ ସୋମବାର ୫୦ରୁ ଅଧିକ ଚାଷୀ ତେଲିବନ୍ଧ ପ୍ୟାକ୍ସର ଫାଟକରେ ଦିନ ୧୧ ଟାରୁ ୧୨ ଟା ପର୍ଯ୍ୟନ୍ତ ତାଲା ପକାଇ ଦେଇଥିଲେ।

ମଣ୍ଡିରେ ଦୀର୍ଘ ଦିନ ହେଲା ବଉଦିଆ ଭୋକ୍ତାଙ୍କ ୭୫ କ୍ବିଣ୍ଟାଲ, ରଞ୍ଜନ ବାରିକଙ୍କ ୭୭ କ୍ବିଣ୍ଟାଲ, ଡମ୍ବରୁ ନାଏକଙ୍କ ୫୭ କ୍ବିଣ୍ଟାଲ, ସାଧୁ ବାରିକଙ୍କ ୫୨ କ୍ବିଣ୍ଟାଲ, ହିମାଂଶୁ ପ୍ରଧାନଙ୍କ ୭୦ କ୍ବିଣ୍ଟାଲ, ସୁରେଶ ମେହେରଙ୍କ ୬୫ କ୍ବିଣ୍ଟାଲ, ଗୌତମ ଭୋଇଙ୍କ ୫୭,ମହେଶ୍ୱର ଭୋଇଙ୍କ ୭୫ କ୍ବିଣ୍ଟାଲ, କୈଳାସ ପ୍ରଧାନଙ୍କ ୫୦ କ୍ବିଣ୍ଟାଲ, ସନ୍ତୋଷ ମେହେରଙ୍କ ୬୦ କ୍ବିଣ୍ଟାଲ, ଦୁଃଶାସନ ସେଠୀଙ୍କ ୫୮ କ୍ବିଣ୍ଟାଲ, ରବୀନ୍ଦ୍ର ମେହେରଙ୍କ ୫୪ କ୍ବିଣ୍ଟାଲ, ଯଦୁମଣି ଦେହୁରୀଙ୍କ ୭୫ କ୍ବିଣ୍ଟାଲ, ସୁଶାନ୍ତ ଭୋଇଙ୍କ ୭୫ କ୍ବିଣ୍ଟାଲ, ଉର୍ମିଳା ହୋତାଙ୍କ ୩୩ କ୍ବିଣ୍ଟାଲ ଓ ଚତୁର୍ଭୁଜ ପ୍ରଧାନଙ୍କ ୨୭ କ୍ୱିଣ୍ଟାଲ ସହ ସମୁଦାୟ ୩୦୫୦ କ୍ୱିଣ୍ଟାଲ ଧାନ ମଣ୍ଡିରେ ମହଜୁଦ ଅଛି। ବର୍ତ୍ତମାନ ସୁଦ୍ଧା ୫୬୦ ଜଣ ଚାଷୀଙ୍କଠାରୁ ୩୦ ହଜାର କ୍ୱିଣ୍ଟାଲ ଧାନ କ୍ରୟ କରିଥିବା ବେଳେ ଆହୁରି ୯୪୦ ଜଣ ଚାଷୀଙ୍କ ଧାନ ବିକ୍ରି କରିବାକୁ ବାକି ଅଛି।

ତେବେ ଆଶ୍ଚର୍ଯ୍ୟର ବିଷୟ ଆଉ ମାତ୍ର ୬୬୫୦ କ୍ୱିଣ୍ଟାଲ ଧାନ କ୍ରୟ କରିବାକୁ ଟାର୍ଗେଟ ଥିବା ବେଳେ ସମିତିର ଟାର୍ଗେଟ ନ ବଢ଼ାଇଲେ ଏମାନଙ୍କ ଧାନ କେଉଁଠି ବିକ୍ରି କରିବେ ତାହା ଚିନ୍ତାର ବିଷୟ। ଚାଷୀଙ୍କ ଅଭିଯୋଗ ଅନ୍ୟ ମଣ୍ଡିରେ ୨୨ ଓ ୨୩ ତାରିଖର ଟୋକନରେ ଚାଷୀ ଧାନ ବିକ୍ରି କରି ସାରିଲେଣି। ସଂପାଦକ ସୀତାରାମ ମେହେରଙ୍କୁ ୪ଟି ଗାଡ଼ି ଧରିଆସିଲେ ଯାଇ ପ୍ୟାକ୍ସକୁ ଆସିବ ବୋଲି ଚାଷୀମାନେ ତାଗିଦ କରିଥିବା ଜଣାଯାଇଛି। ଏ ସମ୍ପର୍କରେ ସହକାରୀ ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ଚାଷୀମାନେ ୪ଟି ଗାଡ଼ି ଗଲେ ଧାନ ଦେବୁ ବୋଲି ଜିଦରେ ଅଟଳ ଅଛନ୍ତି। ଗୋଟିଏ ଗାଡ଼ି ପଠାହୋଇଛି ଧାନ ଲୋଡ୍‌ କରୁନାହାନ୍ତି। ଆଉ ୩ ଟି ଗାଡି ପଠା ହୋଇଛି ବୋଲି କହିଥିଲେ। ସମ୍ପାଦକ ଶ୍ରୀ ମେହେରଙ୍କୁ ଯୋଗାଯୋଗ କରିବାରୁ ମୁଁ ଲଷ୍ମୀପ୍ରସାଦ ମଣ୍ଡିରେ ଅଛି। ଆମର ଅନ୍ୟ ଷ୍ଟାଫ୍‌ ସେଠି ଧାନ କ୍ରୟ କରିବେ। କାଲି ବଜାର ହେଉଥିବାରୁ ଏହା ଖାଲି କରିବାକୁ ପଡ଼ିବ ବୋଲି କହିଛନ୍ତି।