ବୌଦ୍ଧ/ ନୀଳଗିରି/ଔପଦା : ଏକ ସଡ଼କ ଦୁର୍ଘଟଣାରେ ସୋମବାର ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀ (୫୮) ପ୍ରାଣ ହରାଇଛନ୍ତି। ସ୍ବର୍ଗତ ସେଠୀଙ୍କ ନିଜ ଘର ବାଲେଶ୍ବର ଜିଲ୍ଲା ନୀଳଗିରି ସବଡିଭିଜନ ଅନ୍ତର୍ଗତ ଔପଦା ବ୍ଲକ କାଣ୍ତଗରଡ଼ି ପଞ୍ଚାୟତର କାନପୁରରେ। ବର୍ତ୍ତମାନ ତାଙ୍କ ପରିବାର ଭୁବନେଶ୍ବର ରେଣ୍ଟାଲ କଲୋନିରେ ରହୁଛନ୍ତି। ସୋମବାର ‌ସକାଳେ ସେ ଭୁବନେଶ୍ବରରୁ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ୫୭ରେ ଏକ କାର୍‌(ଓଡି ୨୭ ଏ ୫୨୫୧)ରେ ବୌଦ୍ଧ ଆସୁଥିଲେ। ଚାରିଛକ ଠାରୁ ଅଳ୍ପ ଦୂର କରଡ଼ାକୋଠା ବୁଲାଣିରେ କାରଟି ରାସ୍ତା କଡ଼ର ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କାର୍‌ର ପଛପଟ ଚୂରମାର ହୋଇଯାଇଥିଲା। ଦୁର୍ଘଟଣାଗ୍ରସ୍ତ କାର୍‌ରୁ ଶ୍ରୀ ସେଠୀଙ୍କୁ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଡାକ୍ତରଖାନା ଅଣାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣାରେ ଶ୍ରୀ ସେଠୀ ଗାଡ଼ିରେ ଚାପି ହୋଇଯିବାରୁ ଶ୍ବାସରୁଦ୍ଧ କିମ୍ବା ହୃଦଘାତ ଯୋଗୁଁ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି।

Advertisment

ଏହି ଦୁର୍ଘଟଣାରେ ଗାଡ଼ିର ଚାଳକ ରଞ୍ଜନ ପ୍ରଧାନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଖବର ପାଇ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଉପଜିଲ୍ଲାପାଳ ଏନସି ଜ୍ୟୋତିରଂଜନ ନାଏକ, ବିଡିଓ ଅଶ୍ବିନୀ ମେହେର, ତହସିଲଦାର ଲଲାଟେନ୍ଦୁ ସି, ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶିଶିର ସାହୁ ଏବଂ ବହୁ ସରକାରୀ କର୍ମଚାରୀ ଡାକ୍ତରଖାନାରେ ପହଂଚିଥିଲେ। ଏଡିଏମଙ୍କ ପରିବାର ଲୋକେ ବୌଦ୍ଧରେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ହୋଇଥିଲା। ପରେ ତାଙ୍କ ମରଶରୀରକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନିଆଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଶୋକସଭା ଅନୁଷ୍ଠିତ ହୋଇଥିଲା। ପରେ ମହାପ୍ରୟାଣ ଗାଡ଼ିରେ ପୁରୀ ସ୍ବର୍ଗଦ୍ବାର ଅଭିମୁଖେ ନିଆଯାଇଥିଲା। ଶ୍ରୀ ସେଠୀ ଜିଲ୍ଲାରେ ପ୍ରଶାସନିକ ଅଧିକାରୀ, କର୍ମଚାରୀଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମଧ୍ୟ ବେଶ୍‌ ଲୋକପ୍ରିୟ ହୋଇ ପାରିଥିଲେ। ତାଙ୍କ ବିୟୋଗରେ ଜିଲ୍ଲାବ୍ୟାପୀ ଶୋକ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ଆଜି ଏହି ଖବର ତାଙ୍କ ଜନ୍ମମାଟି ସନ୍ତରାଗଡ଼ିଆ ଅଞ୍ଚଳରେ ପହଞ୍ଚିବା ପରେ ଏଠାରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ସେଠୀ କାନପୁରର ଜଟିଆ ସେଠୀଙ୍କର ପୁଅ ହୋଇଥିବା ବେଳେ ସେ ବୌଦ୍ଧରେ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ତାଙ୍କର ସ୍ତ୍ରୀ ସତ୍ୟଭାମା ଜଣେ ଶିକ୍ଷୟିତ୍ରୀ ଅଟନ୍ତି। ସ୍ବର୍ଗତ ସେଠୀଙ୍କ ଜଣେ ପୁଅ ଏବଂ ଜଣେ ଝିଅ ଭୁବନେଶ୍ବରରେ ମା’ ପାଖରେ ରହୁଥିବା ଜଣାପଡ଼ିଛି।