ବିଜେପି ପକ୍ଷରୁ ବୌଦ୍ଧ ବନ୍ଦ ଆଜି

ବୌଦ୍ଧ : କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗରେ ଘଟିଥିବା ମମିତା ମେହେର ହତ୍ୟା ମାମଲା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଘନିଷ୍ଠ ସଂପର୍କ ଥିବାରୁ ମନ୍ତ୍ରୀ ପଦରୁ ତାଙ୍କୁ ବହିଷ୍କାର ଓ ଗିରଫ ଦାବି କରିଛି ବିଜେପି। ବୌଦ୍ଧ ବିଜେପି ପକ୍ଷରୁ ଶୁକ୍ରବାର ଜିଲ୍ଲାର ସମସ୍ତ ମଣ୍ଡଳ ଅଧୀନରେ ଥିବା ଥାନା ଓ ଫାଣ୍ଡିରେ ମନ୍ତ୍ରୀଙ୍କ ଗିରଫ ଦାବିରେ ଏଫ୍‌ଆଇଆର୍‌ ଦାଖଲ କରାଯାଇଛି। ଏହାପରେ ଶନିବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଏ ନେଇ ଶୁକ୍ରବାର ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ବନ୍ଦ ପାଳନ କରାଯିବ। ବନ୍ଦ ଡାକରାକୁ ଠିକ୍‌ ଭାବରେ କାର୍ଯ୍ୟକାରୀ କରାଇବା ପାଇଁ ଜିଲ୍ଲାକୁ ଚାରି ଭାଗରେ ବିଭକ୍ତ କରାଯାଇଛି। ପ୍ରତି ଭାଗର କର୍ମକର୍ତ୍ତା ଓ କର୍ମୀ ନିଜ ଅଞ୍ଚଳରେ ପିକେଟିଂ କରିବେ। ବନ୍ଦ ସମୟ ମଧ୍ୟରେ ଯାନବାହନ ଚଳାଚଳ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସଂପୂର୍ଣ୍ଣ ବନ୍ଦ ରହିବ। ତେବେ ଜରୁରୀକାଳନୀ ସେବା ଓ ପରୀକ୍ଷା ପାଇଁ ଯାଉଥିବା ଛାତ୍ରଛାତ୍ରୀଙ୍କ ଯାତାୟାତରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଟଳ ପ୍ରଧାନ, ଜିଲ୍ଲା ଉପସଭାପତି ଶ୍ୟାମସୁନ୍ଦର ପୁରୋହିତ, ଜିଲ୍ଲା କୋଷାଧ୍ୟକ୍ଷ ନିରଞ୍ଜନ ଦାନୀ, ଜିଲ୍ଲା ଉପସଭାନେତ୍ରୀ ନିବେଦିତା ମହାକୁଡ଼ ଓ ନମିତା ରାଣୀ ଦାଶ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର