ବୌଦ୍ଧ: କପି ନକରି ପିଲାଙ୍କୁ ମାଲ୍ପ୍ରାକ୍ଟିସ୍ କରାଯାଇଛି। ଯୁକ୍ତ ଦୁଇ ପରୀକ୍ଷାର ପ୍ରଶ୍ନପତ୍ରରେ ଅଜାଣତରେ କିମ୍ବା ଭୁଲବଶତଃ ହୋଇଯାଇଥିବା ଡଟ୍ ଓ ଟିକ୍ ଚିହ୍ନ ପାଇଁ ସେହି ପରୀକ୍ଷାର୍ଥୀଙ୍କ ଗୋଟେ ବର୍ଷ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଜଣେ କିମ୍ବା ଦୁଇ ଜଣ ନୁହଁ ଏକାଥରକେ ୧୯ଜଣ ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ଏଭଳି ଆଶଙ୍କା ଦେଖାଯାଇଛି। ବୌଦ୍ଧ ପଞ୍ଚାୟତ କଲେଜରେ ଚାଲିଥିବା ଯୁକ୍ତ ଦୁଇ ପରୀକ୍ଷାର ଗତକାଲି ଥିଲା ପଞ୍ଚମ ଦିନ। ଯୁକ୍ତ ଦୁଇ କଳାର ଶିକ୍ଷା(ଏଜୁକେସନ୍) ଓ ଭୋକେସନାଲ୍ର ଓଡ଼ିଆ ପରୀକ୍ଷା ଚାଲିଥିଲା।
ପରୀକ୍ଷା ଶେଷ ହେବାକୁ ମାତ୍ର ଅଧ ଘଣ୍ଟା ପୂର୍ବରୁ ଅଚାନକ୍ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ନିୟୋଜିତ ଏକ ଚାରିଜଣିଆ କେନ୍ଦ୍ରୀୟ ସ୍କ୍ବାଡ୍ ଦଳ କଲେଜରେ ପହଞ୍ଚି ୨୦ଜଣ ପରୀକ୍ଷାର୍ଥୀଙ୍କୁ ମାଲ୍ ପ୍ରାକ୍ଟିସ୍ରେ ବୁକ୍ କରିଥିଲେ। ତେବେ ଯେଉଁ ପରୀକ୍ଷାର୍ଥୀଙ୍କୁ ମାଲ୍ ପ୍ରାକ୍ଟିସ୍ କରାଯାଇଛି, ସେମାନଙ୍କ ଠାରୁ ଜଣକୁ ବାଦ୍ ଦେଲେ ଅନ୍ୟ କୌଣସି ପରୀକ୍ଷାର୍ଥୀଙ୍କଠାରୁ କପି ଜବତ ହୋଇ ନାହିଁ। ସେମାନଙ୍କ ପ୍ରଶ୍ନପତ୍ରରେ ସାମାନ୍ୟ ଡଟ୍ ଓ ଟିକ୍ ଚିହ୍ନ ଥିବାରୁ ତାଙ୍କୁ ମାଲ୍ ପ୍ରାକ୍ଟିସ୍ କରାଯାଇଥିବା ସେଣ୍ଟ୍ରାଲ୍ ସ୍କ୍ବାଡ୍ର ସଦସ୍ୟମାନେ ପ୍ରକାଶ କରିଛନ୍ତି। ଅପରପକ୍ଷେ ଏହି କେନ୍ଦ୍ରୀୟ ସ୍କ୍ବାଡ୍ରେ କେହି ବି ମହିଳା ସଦସ୍ୟ ନ ଥିବା ବେଳେ ଜଣେ ପୁରୁଷ ସଦସ୍ୟ ଛାତ୍ରୀମାନଙ୍କୁ ଯାଞ୍ଚ କରିଥିଲେ। ଜଣେ ଛାତ୍ରୀ ଯାଞ୍ଚ ପାଇଁ ପ୍ରସ୍ତୁତ ନ ହେବାରୁ ତାଙ୍କ ହାତକୁ ଏଭଳି ଟାଣିଲେ ଯାହା ଦ୍ବାରା ଛାତ୍ରୀଙ୍କ ହାତ ଆଙ୍ଗୁଠିରୁ ରକ୍ତ ବାହାରି ପଡ଼ିଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି।
ସ୍କ୍ବାଡ୍ ଦଳର ଏଭଳି ଦବଙ୍ଗଗିରିକୁ ନେଇ ପରୀକ୍ଷାର୍ଥୀମାନେ ବିରୋଧ କରିବା ଆରମ୍ଭ କରିଥିଲେ। ପରେ ଛାତ୍ରଛାତ୍ରୀଙ୍କ ଅଭିଭାବକ ପହଞ୍ଚିଥିଲେ। କଲେଜର କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀମାନେ ମଧ୍ୟ ସ୍କ୍ବାଡ୍ ସଦସ୍ୟଙ୍କ ଆଶାଳୀନ ବ୍ୟବହାରକୁ ନାପସନ୍ଦ କରିଥିଲେ। ଘଟଣାକୁ କେନ୍ଦ୍ରକରି ପଞ୍ଚାୟତ କଲେଜରେ ଚାପା ଉତ୍ତେଜନା ଦେଖାଯାଇଥିଲା। କଲେଜ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ସୁର୍ଯ୍ୟନାରାୟଣ ଦାଶ, ବୌଦ୍ଧ ଥାନା ଅଧିକାରୀ ତପସ୍ବିନୀ କହଁର କଲେଜ ପହଞ୍ଚି ପିଲାଙ୍କୁ ବୁଝାସୁଝା କରିବା ପରେ ପରିବେଶ ଶାନ୍ତ ହୋଇଥିଲା।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀଦାଶ କେନ୍ଦ୍ରୀୟ ସ୍କ୍ବାଡ୍ ସଦସ୍ୟମାନଙ୍କ ସହ ଘଟଣାକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ପରୀକ୍ଷା ଚାଲିଥିବା କୋଠରୀଗୁଡ଼ିକର ସିସି ଟିଭି ଫୁଟେଜ୍ ମଧ୍ୟ ଦେଖାଯାଇଥିଲା। ତେବେ ସିସି ଟିଭି ଫୁଟେଜ୍ରେ କେହି ଜଣେ ବି ପରୀକ୍ଷାର୍ଥୀ କପି କରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇ ନ ଥିବା ଜଣାପଡିଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀଦାଶ ଉକ୍ତ ସିସି ଟିଭି ଫୁଟେଜ୍କୁ ସଂଗ୍ରହ କରିଥିବା ଜଣାପଡ଼ିଛି। ତେବେ ଯେଉଁ ୧୯ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ରରେ ଚିହ୍ନ ଥିବାରୁ ଗାଇଡ୍ଲାଇନ୍ ଅନୁସାରେ ମାଲ୍ ପ୍ରାକ୍ଟିସ୍ କରାଯାଇଛି ସେସଂପର୍କରେ ଶିକ୍ଷା ବିଭାଗ ଅତିରିକ୍ତି ସଚିବଙ୍କୁ ଜଣାଇ ଦିଆଯାଇଛି। ଏଣିକି ପରବର୍ତ୍ତୀ ନିଷ୍ପତ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନେବ ବୋଲି କେନ୍ଦ୍ରୀୟ ସ୍କ୍ବାଡ୍ ଦଳ ପକ୍ଷରୁ ବରିଷ୍ଠ ସଦସ୍ୟ ବିବେକାନନ୍ଦ କର କହିଛନ୍ତି। ଅପରପକ୍ଷେ ଛାତ୍ରୀମାନଙ୍କୁ ଆଶାଳୀନ ଭାବେ କପି ଯାଞ୍ଚ କରିବା ଓ ପ୍ରଶ୍ନପତ୍ରରେ ସାଧାରଣ ଚିହ୍ନ ପଡ଼ିବାରୁ ମାଲ୍ ପ୍ରାକ୍ଟିସ୍ କରାଯିବା ଘଟଣାଟି ପ୍ରଘଟ ହେବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।