ବୌଦ୍ଧ: ଚାରିଦିନର ମନଛୁଆଁ କାର୍ଯ୍ୟକ୍ରମ ପରେ ସୋମବାର ବୌଦ୍ଧ ମହୋତ୍ସବ ଉଦ୍‌ଯାପିତ ହୋଇଛି।  ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ବିଜ୍ଞାନ ଓ ବୈଷୟିକ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ଓ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀ ପଣ୍ଡା ବୌଦ୍ଧ ଜିଲ୍ଲାର ଅତୀତ ବେଶ୍‌ ଗୌରବମୟ ବୋଲି କହିବା ସହ ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀ ପ୍ରେମଶଙ୍କର ପଟ୍ଟନାୟକ, ପ୍ରହଲ୍ଲାଦ ବିଶି, ଭଗବାନ ପଣ୍ଡା, ରୁଦ୍ର ଶଙ୍କର ପଣ୍ଡା, ଯଶୋବନ୍ତ ପ୍ରଧାନଙ୍କୁ ସ୍ମରଣ କରିଥିଲେ। ଜିଲ୍ଲାର ଦଣ୍ଡ ନୃତ୍ୟର ସ୍ବାତନ୍ତ୍ରୢ ରହିଛି।

Advertisment

publive-image

ଏହାର ବିକାଶ ପାଇଁ ଦଣ୍ଡନୃତ୍ୟର ରଚୟିତା ଗୋବିନ୍ଦ କ୍ଷେତିଙ୍କ ଭୂମିକା ଅବିସ୍ମରଣୀୟ। ବୌଦ୍ଧ ଜିଲ୍ଲାର ଦଣ୍ଡନୃତ୍ୟ ବିଷୟରେ ଅ‌ନେକ ଗବେଷଣା ହୋଇ ସାରିଲାଣି। ଏହା ଆହୁରି ଗବେଷଣାର ଅପେକ୍ଷା କରେ। ବୌଦ୍ଧର ରାମଲୀଳାର ଜାତୀୟ ସ୍ତରରେ ସୁଖ୍ୟାତି ରହିଛି। ସାହିତ୍ୟ କ୍ଷେତ୍ରରେ ରାମଚନ୍ଦ୍ର ମହାକୁଡ଼, ନେତ୍ରାନନ୍ଦ ମିଶ୍ର, ଦୋଳ ଗୋବିନ୍ଦ ପାଣିଗ୍ରାହୀ, ବିଦ୍ୟାଧର ବିଶ୍ବାଳ, ହୃଷୀକେଶ ମହାନ୍ତି, ମାଧବ ପ୍ରଧାନଙ୍କ ନାମ ଉଲ୍ଲେଖଯୋଗ୍ୟ। କଳା କ୍ଷେତ୍ରରେ ରୁଦ୍ର ମହାପାତ୍ର, ଉଦୟ ସିଂହଙ୍କ ନାମ ମଧ୍ୟ ସ୍ମରଣୀୟ। ପର୍ଯ୍ୟଟନ କ୍ଷେତ୍ରକୁ ଦେଖିଲେ ସମଗ୍ର ଭାରତ ବର୍ଷରେ ଥିବା ୫୦ଟି ବୌଦ୍ଧ କିର୍ତ୍ତୀରାଜି ଥିବା ସ୍ଥାନ ମଧ୍ୟରେ ବୌଦ୍ଧର ନାମ ମଧ୍ୟ ରହିଛି। ଜିଲ୍ଲାରେ ଥିବା ଚାରିଶମ୍ଭୁ, ନାଏକପଡ଼ା ଗୁମ୍ଫା, ରାମେଶ୍ବର ମନ୍ଦିର, ଦେଢ଼ଶୁର ଭାଇବୋହୂ ଆଦି କୀର୍ତ୍ତିରାଜି ଜିଲ୍ଲାର ବୈଭବମୟ ଅତୀତକୁ ସ୍ମରଣ କରାଏ ବୋଲି କହିଥିଲେ।

publive-image

ସମ୍ମାନିତ ଅତିଥି ଭାବରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ବୌଦ୍ଧ ମହୋତ୍ସବ କଳା ଓ ସଂସ୍କୃତିର ସମାଗମ ହୋଇଥିବା କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉତ୍ତରାଞ୍ଚଳ ଓ କେନ୍ଦ୍ରୀୟ ରାଜସ୍ବ କମିସନର ଡ. ସୁରେଶ ଚନ୍ଦ୍ର ଦଳେଇ ଯୋଗଦେଇ ଆମ କଳା ଓ  ଆମ ସଂସ୍କୃତି ସମଗ୍ର ଦେଶ ସହ ବିଦେଶରେ ମଧ୍ୟ ଆଦୃତ ହୋଇଥିବା କହିଥିଲେ। ଏହି ପରିପ୍ରେକ୍ଷୀରେ ମହୋତ୍ସବର ସ୍ମରଣିକା ‘ଯଶୋଧାରା’ ଉନ୍ ମୋଚିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ପୂର୍ବରୁ ଅନୁଷ୍ଠିତ ମେଗା ଚିତ୍ରାଙ୍କନ ପ୍ରତିଯୋଗିତା ଓ ଫୁଟବଲ କୃତୀ ପ୍ରତିଯୋଗୀ ଓ ଦଳଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ସ୍ବତନ୍ତ୍ର ଭାରପ୍ରାପ୍ତ ଅଧିକାରୀ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟାପକ ଅମିୟ ଧଳଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଲୋକକଳା ସଂସ୍କୃତି ସଂଘର ଉପସଭାପତି ଅବନୀ ମିଶ୍ର ମଞ୍ଚ ସଂଯୋଜନା କରିଥିଲେ। ଡେପୁଟି କଲେକ୍ଟର ଝରଣା ପ୍ରଧାନ ଧନ୍ୟବାଦ ଦେଇଥିଲେ। ସଭା ପରେ ପ୍ରିନ୍ସ ଡାନ୍‌ସ ଏକାଡେମୀ ସହ ବିଭିନ୍ନ ଅନୁଷ୍ଠାନ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା।